ମାଲକାନଗିରି, ୨୨।୧୧ (ଆପ୍ର ): ଦୁଇ କୋମଳମତି ପୁଅ ଓ ଝିଅକୁ ବିଷ ଦେଇ ନିଜେ ମା’ ମଧ୍ୟ ବିଷ ପିଇ କଲା ଆତ୍ମହତ୍ୟା ଉଦ୍ୟମ। ମାଲକାନଗିରି ସଦର ଥାନା ଅନ୍ତର୍ଗତ କଟଲିଗୁଡା ଗ୍ରାମରେ ଘଟିଛି ଏପରି ଘଟଣା । ପୁଅ ଓ ଝିଅ ସହ ମା’ ବାସନ୍ତି ସୋଡିକୁ ଗୁରୁତର ଅବସ୍ଥାରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତ ୬ ଦିନ ପୂର୍ବେ ବାସନ୍ତୀଙ୍କ ସ୍ୱାମୀ ମହେଶ୍ବର ସୋଡିଙ୍କ ମୃତ୍ୟୁ ହୋଇଥିଲା।
ଗତ ଏକ ସପ୍ତାହ ପୂର୍ବରୁ କଟଲିଗୁଡା ଗ୍ରାମର ମହେଶ୍ବର ସୋଡି କୌଣସି ଏକ କାରଣରୁ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଏହାପରେ ତାଙ୍କ ସ୍ତ୍ରୀ ବାସନ୍ତୀ ସୋଡି ଶନିବାର ନିଜ ୨ବର୍ଷ ର ପୁଅ ଓ ୧ବର୍ଷ ର ଝିଅକୁ ବିଷାକ୍ତ କନିଆରୀ ଫଳ ଦେଇ ନିଜେ ମଧ୍ୟ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏହା ତାଙ୍କ ସମ୍ପର୍କୀୟ ଦିଲୀପ ସୋଡି ଓ ଅନ୍ୟମାନେ ଜାଣି ପାରି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ସମସ୍ତଙ୍କ ଚିକିତ୍ସା ଜାରି ରହିଛି।