ଭୁବନେଶ୍ୱର,୨୮/୦୪ : ବନ ବିଭାଗର ମୁଣ୍ଡବିନ୍ଧାର କାରଣ ପାଲଟିଛି ବନାଗ୍ନି । ପ୍ରତିଦିନ ଓଡ଼ିଶା ଜଙ୍ଗଲର ଶହ ଶହ ପଏଣ୍ଟ ଜଳି ଉଠୁଛି । ବନ୍ୟପ୍ରାଣୀଙ୍କ ଜୀବନଧାରା ଦୁର୍ବିସହ ହୋଇଗଲାଣି । କେବଳ ଫାୟାର ଲାଇନ୍‌ ଉପରେ ଭରସା କରିବା ଛାଡ଼ି ଦେଇଛି ବନ ବିଭାଗ । ଏଣିକି ଆଧୁନିକ ଜ୍ଞାନକୌଶଳ ଜରିଆରେ ଜଙ୍ଗଲ ନିଆଁକୁ ଆୟତ୍ତ କରାଯିବ । କୃତ୍ରିମ ବୁଦ୍ଧିମତା (ଏଆଇ) ଠାବ କରିବ ଜଙ୍ଗଲ ନିଆଁ । ‘ମୋଟର ସାଇକେଲ ମାଉଣ୍ଟେଡ୍‌' ଟିମ୍‌ ଗଢ଼ାଯିବ । ଦୁର୍ଗମ ଇଲାକାରେ ବି ବନାଗ୍ନିକୁ ରୋକାଯାଇ ପାରିବ । ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ଦୁର୍ଗମ ଓ ପାହାଡି଼ଆ ଇଲାକାରେ ବନାଗ୍ନି ଆୟତ୍ତ ବଡ଼ ଚାଲେଞ୍ଜ ପାଲଟିଛି । ବନ କର୍ମଚାରୀମାନେ ଚାଲି ଚାଲି କିମ୍ବା ଚାରିଚକିଆ ଗାଡ଼ି ଯୋଗେ ଘଞ୍ଚ ଜଙ୍ଗଲରେ ନିଆଁ ଲିଭାଇବା ମୁସ୍କିଲ ହେଉଛି । ବନ କର୍ମଚାରୀମାନେ ପହଞ୍ଚିବାବେଳକୁ ସାମାନ୍ୟ ଅଗ୍ନିକାଣ୍ଡଟି ଏକ ବଡ଼ ଧରଣର ବନାଗ୍ନି ପାଲଟୁଛି ।

ଖୁବ ଶୀଘ୍ର ‘ମୋଟର ସାଇକେଲ ମାଉଣ୍ଟେଡ୍‌' ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି । ଏକ ମୋଟର ସାଇକେଲରେ ସମସ୍ତ ନିଆଁ ଲିଭା ସରଞ୍ଜାମ ଖଞ୍ଜାଯିବ । ୨ଜଣ ବନ କର୍ମଚାରୀ ଉକ୍ତ ବାଇକ୍‌ରେ ଖୁବ ଶୀଘ୍ର ପାହାଡ଼ ଉପରକୁ ଓ ଦୁର୍ଗମ ଅଞ୍ଚଳକୁ ଯାଇ ପାରିବେ । ସେମାନେ ନିଆଁ ଲାଗିଥିବା ଜାଗାରେ ତ୍ୱରିତ ଢ଼ଙ୍ଗରେ ଫାୟାର ଲାଇନ୍‌ ସୃଷ୍ଟି କରିପାରିବେ । ଯାହାଦ୍ୱାରା ନିଆଁ ଆଉ ବ୍ୟାପିବ ନାହିଁ । ସେ ଆହୁରି କହିଛନ୍ତି, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ତାମିଲନାଡୁ ଭଳି ରାଜ୍ୟ ମୋଟର ସାଇକେଲ ମାଉଣ୍ଟେଡ୍‌ ଟିମ୍‌କୁ ପରୀକ୍ଷାମୂଳକ ଭାବେ ଲାଗୁ କରିଛି । ବିଗତ କିଛି ଦିନରେ ସେଠାକାର ବନାଗ୍ନିକୁ ଅତି ସହଜରେ ଆୟତ୍ତ କରାଯାଇ ପାରୁଛି । ଏନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ସବୁ କିଛି ଠିକ୍‌ଠାକ୍‌ ରହିଲେ, ଖୁବ୍‌ ଶୀଘ୍ର ମୋଟର ସାଇକେଲରେ ଜଙ୍ଗଲରେ ନିଆଁ ଲିଭାଇବେ ଅଗ୍ନିଯୋଦ୍ଧା । କଳାହାଣ୍ଡି (ଉତ୍ତର), ବାଲିଗୁଡ଼ା, ରାୟଗଡ଼ା ଭଳି ଘଞ୍ଚ ଜଙ୍ଗଲରେ ଅଧିକ ନିଆଁ ଲାଗୁଥିବା ଜଙ୍ଗଲରେ ଏହାକୁ ପରୀକ୍ଷାମୂଳକ ଭାବେ ଲାଗୁ କରାଯିବ ।

ସେହିପରି ନିଆଁକୁ ଠାବ କରିବା ପାଇଁ ଏଆଇ ସହାୟତା ନିଆଯିବ । ଘଞ୍ଚ ଜଙ୍ଗଲର ୪-୫ କିଲୋମିଟର ପରିଧି ମଧ୍ୟରେ କେଉଁ ପଏଣ୍ଟରେ ନିଆଁ ଲାଗିଛି, ତାହାର ସଠିକ୍‌ ଲୋକେସନ ଠାବ କରାଯାଇ ପାରିବ । ବନାଗ୍ନି ଭିତରେ ଫସିଥିବା ବନ୍ୟଜନ୍ତୁ ଓ ମଣିଷକୁ ମଧ୍ୟ ସହଜରେ ଠାବ କରାଯାଇପାରିବ । ଅଗ୍ନିଯୋଦ୍ଧାମାନଙ୍କୁ ସେଠାକୁ ଯଥାଶୀଘ୍ର ପଠାଯାଇ ପାରିବ । ସୂଚନା ଥାଉ କି ୨୦୨୫ରେ ସାରା ରାଜ୍ୟରେ ୨୯ ହଜାର ୭୦୯ ପଏଣ୍ଟରେ ବନାଗ୍ନି ଠାବ ହୋଇଥିଲା । ପ୍ରାୟ ୪୬୦୯.୩୫ ହେକ୍ଟର ଅଞ୍ଚଳ ପ୍ରଭାବିତ ହୋଇଥିଲା । ୨୦୨୪ରେ ୨୨ ହଜାର ୮୬୮ ବନାଗ୍ନି ଯୋଗୁ ୪୦୬୭.୩୫ ହେକ୍ଟର ଜଙ୍ଗଲ ଜମି ପୋଡି଼ ଯାଇଥିଲା । ୨୦୨୩ରେ ୩୬ ହଜାର ୭୧୩ ପଏଣ୍ଟରେ ନିଆଁ ଲାଗିଥିବା ବେଳେ ୯୫୫୦.୮୬ ହେକ୍ଟର ଅଞ୍ଚଳ ପ୍ରଭାବିତ ହୋଇଥିଲା । ଚଳିତବର୍ଷ ଆରମ୍ଭରୁ ଆଜି ସୁଦ୍ଧା ୧୪ ହଜାର ୬୩୪ ବନାଗ୍ନି ଠାବ କରାଯାଇଛି।

ଏହି ଖବରଟିକୁ ପଢନ୍ତୁRatha khala Update: ଶେଷ ପର୍ଯ୍ୟାୟରେ ବିନ୍ଧ ଖୋଦେଇ, ଆଜି ତୁମ୍ବରେ ଅର କଣ୍ଟା ବସିବାକୁ କରାଯିବ ଅଗର ବିନ୍ଧ