ନୂଆଦିଲ୍ଲୀ,୦୪/୧୦: ପୃଥିବୀର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟ୍‌ । ସମୁଦ୍ର ପତ୍ତନଠୁ ୮.୮୫  କିମି ଉଚ୍ଚରେ ଥିବା ଏହି ପର୍ବତର ଉଚ୍ଚତା ଲଗାତର  ବଢ଼ିଚାଲିଛି । ବର୍ଷକୁ ବର୍ଷ ଏହା ଡେଙ୍ଗା ହେଉଛି ।  ନେଚର୍‌ ଜିଓସାଇନ୍ସରେ ପ୍ରକାଶିତ ସଦ୍ୟ ଅଧ୍ୟୟନ  ଜରିଆରେ ବୈଜ୍ଞାନିକମାନେ ଏହି ଚାଞ୍ଚଲ୍ୟକର ତଥ୍ୟ  ଦେଇଛନ୍ତି । ଏଭରେଷ୍ଟ୍‌ର ଅପ୍ରତ୍ୟାଶିତ ଉଚ୍ଚତା ବୃଦ୍ଧିର କାରଣ ଏକ ନଦୀ । ହଜାର ହଜାର ବର୍ଷ ତଳେ  ହିମାଳୟର ଏକ ନଦୀରେ ଆଉ ଏକ ନଦୀର ବିଲୟ  ହୋଇଥିଲା । ତାହା ଏଭରେଷ୍ଟ୍‌ ଉଚ୍ଚତା ବୃଦ୍ଧିର କାରଣ  ହେଲା ବୋଲି ଅଧ୍ୟୟନ ସ୍ପଷ୍ଟ କରିଛି । 

ତିବ୍ୱତ ଭାଷାରେ ମାଉଣ୍ଟ୍‌ ଏଭରେଷ୍ଟ୍‌କୁ କୋମୋଲୁଙ୍ଗମା ବା ‘ପୃଥିବୀର ଦେବୀ ମାତା’  ନାମରେ ସମ୍ବୋଧନ କରାଯାଏ । ୪-୫ କୋଟି ବର୍ଷ ପୂର୍ବେ ଏହାର ଉତ୍ପତ୍ତିର କାହାଣୀ ଆରମ୍ଭ ହୋଇଥିଲା । ପୃଥିବୀର କ୍ରଷ୍ଟ୍‌ (ଉପର ପରସ୍ତ)ର ଦୁଇଟି ସ୍ଲାବ୍‌  ଉପରେ ଭୂଭାଗ- ଭାରତ ଓ ୟୁରେସୀୟ ପ୍ଲେଟ୍‌  ଧିମା ଗତିରେ ଧକ୍କା ହେବାରୁ କୌଣସି ପ୍ଲେଟ୍‌ ତଳକୁ  ଧସିଲା ନାହିଁ । ଫଳରେ ଭୂଭାଗ ଚୂର୍‌ମାର ହୋଇଗଲା ।  ଏହା ଯୋଗୁ ପଥର ଶୃଙ୍ଗମାନ ସୃଷ୍ଟି ହେଲା, ଯାହା  ଲକ୍ଷ ଲକ୍ଷ ବର୍ଷ ପରେ ହିମାଳୟ ପର୍ବତ ଶୃଙ୍ଖଳାରେ  ରୂପାନ୍ତରିତ ହେଲା । ଏହି ଶୃଙ୍ଗମାନଙ୍କ ମଧ୍ୟରେ  ଏଭରେଷ୍ଟ୍‌ ସର୍ବୋଚ୍ଚ । 

ପ୍ରାଚୀନ କାଳର ସେହି ଧକ୍କା ଆଜି ବି ହିମାଳୟ  ଶୃଙ୍ଖଳାର ଉଚ୍ଚତା ବୃଦ୍ଧି କରୁଛି । ସଦ୍ୟତମ ଜିପିଏସ୍‌  ମାପରୁ ଜଣାପଡ଼ିଛି, ହିମାଳୟ ବର୍ଷକୁ ପ୍ରାୟ ୦.୦୮  ଇଞ୍ଚ (୨ ମିଲିମିଟର) ହାରରେ ବୃଦ୍ଧି ପାଉଛି । ତେବେ  ପୂର୍ବରୁ ଧାରଣା ଥିଲା ଯେ ଏହା ବର୍ଷକୁ ୦.୦୪ ବା ୧  ମିଲିମିଟର ହାରରେ ବୃଦ୍ଧି ପାଉଛି । ସଦ୍ୟ ଅଧ୍ୟୟନ  ଅନୁସାରେ, ଏହି ଅତିରିକ୍ତ ବୃଦ୍ଧି ଏକ ଭୂବୈଜ୍ଞାନିକ ଘଟଣା ଯୋଗୁ ହେଉଛି । ପ୍ରାୟ ୮୯ ହଜାର ବର୍ଷ ତଳେ  ହିମାଳୟର କୋଶୀ ନଦୀରେ ଅରୁନ ନଦୀର ବିଲୟ ହୋଇଥିଲା । ଏହି  ପ୍ରକ୍ରିୟା ‘ରିଭର୍‌ ପାଇରାସି’ ନାମରେ ପରିଚିତ, ଯାହା ଭୂବୈଜ୍ଞାନିକ  ଘଟଣାଗୁଡ଼ିକର ଏକ ଶୃଙ୍ଖଳାକୁ ଗତି ପ୍ରଦାନ କରିଥିଲା ଏବଂ ଭୂଭାଗକୁ  ନୂଆ ଆକାର ଦେଇଥିଲା ।  

ଅଧ୍ୟୟନ ଅନୁସାରେ, କୋଶୀ ଓ ଅରୁନ ନଦୀର ବିଲୟ ଦ୍ୱାରା  ହିମାଳୟର ନିମ୍ନଦେଶରେ ଜଳପ୍ରବାହ ତୀବ୍ର ହେଲା । କୋଶୀ  ନଦୀ ଏଭରେଷ୍ଟ୍‌ ତଳ ଉପତ୍ୟକାରୁ ଅଧିକ ଶିଳାକ୍ଷରଣ କରିବାକୁ  ଲାଗିଲା । ଏହି କ୍ଷତିକୁ ଭରଣା କରିବାକୁ ହିମାଳୟର ଅନ୍ୟ ଅଂଶ  ଉପରକୁ ଉଠିଲା । ଏହି ସନ୍ତୁଳନ ‘ଆଇସୋଷ୍ଟାଟିକ୍‌ ରିବାଉଣ୍ଡ୍‌’  ନାମରେ ପରିଚିତ । ଏହା ଯୋଗୁ ଏଭରେଷ୍ଟ୍‌ ସମେତ ନିକଟ ଦୁଇଟି  ଶୃଙ୍ଗ ଲୋତ୍‌ସେ (ବିଶ୍ୱର ୪ର୍ଥ ସର୍ବୋଚ୍ଚ) ଓ ମକାଲୁ(ବିଶ୍ୱର ୫ମ  ସର୍ବୋଚ୍ଚ) ଶୃଙ୍ଗର ଉଚ୍ଚତା ଅତିକମ୍‌ରେ ୪୯ ଫୁଟ (୧୫ ମିଟର) ରୁ ୧୬୪ ଫୁଟ (୫୦ ମିଟର) ବୃଦ୍ଧି ହୋଇଥିବା ବୈଜ୍ଞାନିକମାନେ  କମ୍ପ୍ୟୁଟର ମଡେଲ ଜରିଆରେ ଆକଳନ କରିଛନ୍ତି । 

ଅଧ୍ୟୟନକର୍ତ୍ତା ଚାଇନା ୟୁନିଭର୍ସିଟି ଅଫ୍‌ ଜିଓସାଇନ୍ସେସ୍‌ର  ଜିଓଲୋଜି ପ୍ରଫେସର ଜିନ-ଜେନ୍‌ ଦାଇ କହିଛନ୍ତି, ନଦୀ ପ୍ରଣାଳୀରେ  ହଠାତ୍‌ ପରିବର୍ତ୍ତନ କିଭଳି ଭୂଭାଗରେ ବ୍ୟାପକ ପ୍ରଭାବ ପକାଇପାରେ,  ଏହି ଅଧ୍ୟୟନ ତାହା ଦର୍ଶାଇଛି । ପ୍ଲେଟ୍‌ ଧକ୍କା ଏଭରେଷ୍ଟ୍‌ ଉଚ୍ଚତା ବୃଦ୍ଧିର  ମୁଖ୍ୟ କାରକ । କିନ୍ତୁ ସଦ୍ୟ ଆବିଷ୍କାର ଏହି ଜଟିଳ ଘଟଣାରେ ନୂଆ  ଦିଗକୁ ଯୋଡ଼ିଛି । ତାହା ପର୍ବତ ଉତ୍ପତ୍ତିର ତନ୍ତ୍ର ଉପରେ ଆଲୋକପାତ  କରିଛି, ଯାହାକୁ ଦୀର୍ଘ ସମୟ ଧରି ଅଣଦେଖା କରାଯାଉଥିଲା ।  

ଦାଇ କହିଛନ୍ତି, ନଦୀ ପ୍ରଣାଳୀ ଶିଳା କ୍ଷରଣ ଫଳରେ ହିମାଳୟ  ଚତୁଃପାଶ୍ୱର୍ର ଶୃଙ୍ଗଗୁଡ଼ିକ ବାସ୍ତବରେ ଉପରକୁ ଉଠିଥିଲା । ପୃଥିବୀ  କ୍ରଷ୍ଟ୍‌ର ଇଲାଷ୍ଟିକ୍‌ ରିବାଉଣ୍ଡ୍‌ ଏହାର କାରଣ । ଅର୍ଥାତ୍‌ ଭୂଭାଗ କିଛି  ସ୍ଥାନରେ ନିମ୍ନକୁ ଯାଇଥିବାବେଳେ କିଛି ସ୍ଥାନରେ ଉଚ୍ଚକୁ ଉଠିଥିଲା । ନଦୀ  କ୍ଷରଣ ଓ ଗିରିଶୃଙ୍ଗ ଉପରକୁ ଉଠିବା ମଧ୍ୟରେ ସମ୍ପର୍କକୁ ଗବେଷକମାନେ  ଉତ୍ତମ ରୂପେ ଅଧ୍ୟୟନ କରିଛନ୍ତି । ଆଲ୍ପସ, ଆଣ୍ଟାର୍କଟିକା ଓ କଲରାଡୋ  ପଠା ଭଳି ସ୍ଥାନରେ ସେମାନେ ଅଧ୍ୟୟନ କରିଥିଲେ ।