ଯଦି ଆପଣଙ୍କ ପାଟିରେ ବାରମ୍ୱାର ଘା ହେଉଛି ଏବଂ ଏହା ଶୀଘ୍ର ସୁଖୁନାହିଁ, ଏହା ଏକ ବଡ଼ ବିପଦକୁ ନିମନ୍ତ୍ରଣ ଦେଇପାରେ । ପାଟିରେ କିମ୍ୱା ଓଠରେ ଗଣ୍ଠି ହେବା, ଓଠ କଳା ପଡ଼ିବା କିମ୍ୱା ଧଳା ଏବଂ ନାଲି ରଙ୍ଗର ଦାଗ ହେବା ଦ୍ୱାରା ଖାଦ୍ୟ ଖାଇବା ଏବଂ ଚୋବାଇବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏପରିକି କଥା କହିବାରେ ମଧ୍ୟ କଷ୍ଟ ଭୋଗିବାକୁ ପଡେ ।  ଯଦି ଆପଣ ଏହି ସବୁ ଲକ୍ଷଣ ଦେଖୁଛନ୍ତି ତେବେ, ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ । ଯଦି ପାଟି କିମ୍ୱା ପାଟି ପାଖରେ ହୋଇଥିବା ଘା କିଛି ସପ୍ତାହ ମଧ୍ୟରେ ଠିକ୍ ହେଉନାହିଁ, ତେବେ ଏହା ମାଉଥ୍‌ କ୍ୟାନ୍ସରର ଲକ୍ଷଣ ହୋଇପାରେ । 

ଫାଷ୍ଟ ଷ୍ଟେଜ୍‌ରେ ମାଉଥ୍‌ କ୍ୟାନ୍ସରର ଲକ୍ଷଣ-

ଦାନ୍ତ ଢିଲା ହେବା- ଯଦି ହଠାତ ଆପଣଙ୍କ ଦାନ୍ତ ଗୁଡ଼ିକ ଢିଲା ହୋଇ ପଡ଼ୁଛି କିମ୍ୱା ଦୁର୍ବଳ ହୋଇ ଯାଉଛି, ତେବେ ଏହା ମାଉଥ୍‌ କ୍ୟାନ୍ସରର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ ।  

ବେକ ଚାରିପାଖରେ ଗଣ୍ଠି ହେବା- ଆପଣଙ୍କ ପାଟି କିମ୍ୱା ବେକର ଚାରିପାଖରେ ଯଦି କୌଣସି ଗଣ୍ଠି ଦେଖୁଛନ୍ତି, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ଏହା ଆପଣଙ୍କ ପାଇଁ ବିପଦଜନକ ସାବ୍ୟସ୍ତ ହୋଇପାରେ । 

କେବଳ ଏତିକି ନୁହେଁ, ଓଠରେ ଘା ହେବା କିମ୍ୱା ବିନା କୌଣସି କାରଣରେ ଓଠ ଫୁଲିବା, ଖାଦ୍ୟ ଢୋକିବା, କଥା କହିବାରେ ପରିବର୍ତ୍ତନ ହେବା, ପାଟିରୁ ରକ୍ତ ବାହାରିବା, ଜିଭ କିମ୍ୱା ମାଢିରେ ଧଳା ଦାଗ ହେବା କିମ୍ୱା ରକ‌୍ତ ବାହାରିବା, କୌଣସି କାରଣ ନଥାଇ ଓଜନ କମିବା ଅତ୍ୟାଦି ମାଉଥ୍‌ କ୍ୟାନ୍ସର୍‌ର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ । 

ମାଉଥ୍‌ କ୍ୟାନ୍ସର୍‌ର କାରଣ-

ମାତ୍ରାଧିକ ତମାଖୁ ସେବନ କିମ୍ୱା ମଦ୍ୟପାନ କରିବା, ହ୍ୟୁମାନ ପେପିଲୋମା ଭାଇରସ୍‌, ଏପଷ୍ଟୀନ୍‌ ବାର୍‌ ଭାଇରସ୍‌, ବଂଶଗତ, ପାଟିକୁ ସଠିକ ଭାବରେ ସଫା ନକରିବା, ମାଢିରେ ରୋଗ, ସୂର୍ଯ୍ୟାଲୋକରେ ଅଧିକ ସମୟ ବିତାଇବା ଇତ୍ୟାଦି ମାଉଥ୍‌ କ୍ୟାନ୍ସର୍‌ର କାରଣ ସାଜିପାରେ ।

ଏହାର ଚିକିତ୍ସା- 

ମାଉଥ୍‌ କ୍ୟାନ୍ସର୍‌ର ଚିକିତ୍ସା ଏହାର ସ୍ଥାନ ଏବଂ ସ୍ଥିତି ଉପରେ ନିର୍ଭର କରେ । ସେଥିପାଇଁ ସିଟି ସ୍କାନ୍‌ ଏବଂ ଏମେେଆର୍‌ଆଇ ଟେଷ୍ଟ କରାଯାଇଥାଏ । ଏହି ଟେଷ୍ଟ ପରେ ହିଁ ରୋଗ କେଉଁ ଷ୍ଟେଜ୍‌ରେ ରହିଛି, ତାହା ସ୍ପଷ୍ଟ ହୋଇଥାଏ । ଏହା ପରେ ଡାକ୍ତ ଏହାର ଚିକିତ୍ସା ପଦ୍ଧତି ଆରମ୍ଭ କରନ୍ତି । ମାଉଥ୍‌ କ୍ୟାନ୍ସର୍‌ ପାଇଁ ସର୍ଜରୀ କରାଯାଇଥାଏ । ସର୍ଜରି କରି ପାଟିରୁ ଟ୍ୟୁମର୍‌କୁ କଢାଯାଇଥାଏ । ଫାଷ୍ଟ ଷ୍ଟେଜ୍‌ରେ କର୍କଟ ରୋଗର ଉପଚାର ପ୍ରଭାବଶାଳୀ ହୋଇଥାଏ । ଏହା ସହ ରେଡିଓ ଥେରାପି ସାହାଯ୍ୟରେ ମଧ୍ୟ ଛୋଟ ଛୋଟ କ୍ୟାନ୍ସର କଣିକା ଗୁଡ଼ିକୁ ଶରୀରରୁ କଢାଯାଇଥାଏ । ଏହା ସହ କେମୋ ଥେରାପି ମଧ୍ୟ କର୍କଟ ରୋଗର ଉପଚାରରେ କରାଯାଇଥାଏ ।