ବ୍ରହ୍ମପୁର, ୮।୧ : ଟାଟା କମ୍ପାନୀରେ ଚାକିରୀ କରେଇବା ନାଁରେ ଠକେଇ ଘଟଣାରେ ବ୍ରହ୍ମପୁର ଜେ ଏମ ଏଫ ସି ଗ୍ରାମାଞ୍ଚଳ କୋର୍ଟ ରାୟ ପ୍ରକାଶ କରିଛନ୍ତି। ପୂର୍ବତନ ବିଧାୟକ ତଥା ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ସମସ୍ତ ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମଙ୍ଗଳବାର ୨ଟି ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବେଳେ ବୁଧବାର ଆଉ ୩ଟି ମାମଲାରେ ପ୍ରଦୀପ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ସେହିପରି ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ କୁମାର ପାଠକଙ୍କୁ ମଧ୍ୟ ଦୋଷ ମୁକ୍ତ କରିଛନ୍ତି।
ଟାଟା କମ୍ପାନୀରେ ଚାକିରୀ କରେଇବାକୁ କହି ଟଙ୍କା ଠକି ନେବା ଘଟଣାରେ ପୂର୍ବତନ ବିଧାୟକ ତଥା ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଥିବା ୫ ଟି ମାମଲାର ରାୟ ପ୍ରକାଶ ପାଇଛି। ୫ ଟି ମାମଲାରେ ବ୍ରହ୍ମପୁର ଜେଏମଏଫସି ନିର୍ଦ୍ଦୋଷରେ ଖଲାସ ନେଇ ରାୟ ଶୁଣାଇଥିବା ପ୍ରଦୀପଙ୍କ ଓକିଲ କହିଛନ୍ତି। ଗତକାଲି ଦୁଇଟି ମାମଲାରେ ରାୟ ପ୍ରକାଶ କରି ପ୍ରଦୀପ, ଅଭୟ ଓ ତାଙ୍କ ପୁଅ ଆକାଶଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଆଜି ତିନୋଟି ମାମଲାର ଜେଏମଏଫସି ଗ୍ରାମାଞ୍ଚଳ ନିର୍ଦ୍ଦୋଷରେ ଖଲାସ କରିଥିବା ରାୟ ଶୁଣାଇଛନ୍ତି। ରାୟ ପ୍ରକାଶ ପରେ ପ୍ରଦୀପଙ୍କ ସମର୍ଥକ, ପ୍ରଦୀପ ସେନା ପକ୍ଷରୁ ପ୍ରଦୀପଙ୍କ ବାସ ଭବନରେ ବାଣ ଫୁଟାଇ, ମିଷ୍ଟାନ୍ନ ବାଣ୍ଟି ଖୁସି ମନାଇ ଥିଲେ।