ରାୟଗଡ଼ା/ଗୁଣପୁର/ଭୁବନେଶ୍ୱର,୦୫/୧୧: ପୂର୍ବତଟ ରେଳପଥ ଅଧୀନରେ ଥିବା ୱାଲଟିୟର ଡିଭିଜନ ପାଇଁ ଡିଭିଜନାଲ କମିଟିର ଏକ ବୈଠକ ବିଶାଖାପାଟଣାରେ ଅନୁଷ୍ଠିତ ହୋଇଯାଇଛି । ଆନ୍ଧ୍ରପ୍ରଦେଶର ସାଂସଦ କିଞ୍ଜାରାପୁ ରାମ ମୋହନ ନାଇଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଯୋଗଦେଇଥିଲେ । ରାୟଗଡ଼ା ରେଳପଥ ଡିଭିଜନ ଓ ଡିଭିଜନାଲ ରେଳ ପ୍ରବନ୍ଧକ କାର୍ଯ୍ୟାଳୟ ପ୍ରତିଷ୍ଠା ଏବଂ ରାୟଗଡ଼ା ରେଳପଥ ଡିଭିଜନକୁ ୨୦୨୬ ଡିସେମ୍ବର ସୁଦ୍ଧା ସାରିବାର ଲକ୍ଷ୍ୟ ରଖାଯାଇଥିବା ବୈଠକରେ ଆଲୋଚନା ହୋଇଥିଲା ।
ରାୟଗଡ଼ା ରେଳ ଡିଭିଜନରେ କୋଟ୍ଟାଭାଲସା (ଆରାକୁ)– କୋରାପୁଟ–କିରାଣ୍ଡୁଲ ଲାଇନ୍, କୋରାପୁଟ–ରାୟଗଡା ଲାଇନ୍, ଗୁଣୁପୁର–ଥେରୁବାଲି ଲାଇନ୍, ଗୋପାଳପୁର– ସିଂହପୁର ରୋଡ୍ଲାଇନ୍ ଓ ରାୟଗଡ଼ା– ପାର୍ବତୀପୁରମ ସେକ୍ସନ ରହିବ । ସେହିପରି ରାୟଗଡ଼ାରେ ନିୟନ୍ତ୍ରଣ ୟୁନିଟ୍ ମାର୍ଚ୍ଚ ୨୦୨୬ ସୁଦ୍ଧା ଶେଷ ହେବାର ଯୋଜନା ରହିଥିବା କୁହାଯାଇଥିଲା । ଗୁଣୁପୁର–ଥେରୁଭାଲି ରେଳ ଲାଇନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଚାଲିଛି । ଡବଲ୍ ଲାଇନ କାର୍ଯ୍ୟ ପାଇଁ ଅନୁମୋଦନ ଦିଆଯାଇଛି । ଗୋପାଳପୁର – ସିଙ୍ଗାପୁର ରୋଡ୍ ରେଳ ଲାଇନ ପ୍ରକଳ୍ପ ପାଇଁ ଚୂଡ଼ାନ୍ତ ସ୍ଥାନ ସର୍ଭେ ଅନୁମୋଦନ କରାଯାଇଛି ଏବଂ ବିସ୍ତୃତ ପ୍ରକଳ୍ପ ରିପୋର୍ଟର ପ୍ରସ୍ତୁତି ଚାଲିଛି । ଗୁଣୁପୁର–ଥେରୁଭାଲି ଏବଂ ଗୋପାଳପୁର–ସିଙ୍ଗାପୁର ରୋଡ୍ ପ୍ରକଳ୍ପ ପାଇଁ ଏକକାଳୀନ ଭୂମି ଅଧିଗ୍ରହଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଜୟପୁର, କୋରାପୁଟ, ଗୁଣୁପୁର, ଦାମନଯୋଡି, ରାୟଗଡ଼ା ସହ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଅନୁମୋଦିତ ଅନ୍ୟାନ୍ୟ ଷ୍ଟେସନରେ ବିକାଶ କାର୍ଯ୍ୟ ଶୀଘ୍ର ସାରିବାକୁ ଯୋଜନା ପ୍ରସ୍ତୁତ କରାଯିବାକୁ କୁହାଯାଇଥିଲା । ଆଗକୁ ଜୟପୁର-କୋରାପୁଟ-ରାୟଗଡ଼ାଭୁବନେଶ୍ୱରକୁ ସଂଯୋଗ କରୁଥିବା ଏକ ନୂତନ ଦିବାକାଳୀନ ଟ୍ରେନ୍ ସେବା ପ୍ରଚଳନ ପାଇଁ ପ୍ରସ୍ତାବ ଦିଆଯାଇଥିଲା ।