ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟି (ଆପ୍)ର ୭ ଜଣ ରାଜ୍ୟସଭା ସାଂସଦ ବିଜେପିରେ ଯୋଗଦେବା ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି। ଏକ ଦଶନ୍ଧି ପୂର୍ବେ ଗଠିତ ହୋଇଥିବା 'ଆପ୍' ପାଇଁ ଏହା ବର୍ତ୍ତମାନ ସୁଦ୍ ସବୁଠାରୁ ବଡ଼ ବିପର୍ଯ୍ୟୟ। ଏତେ ବଡ଼ ବିଦ୍ରୋହ କିଭଳି ହେଲା ଏବଂ ଅରବିନ୍ଦ କେଜ୍ରିୱାଲ ଏ ବିଷୟରେ କିଛି ଜାଣି ପାରିଲେ ନାହିଁ କିପରି, ସେ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏ ସମ୍ପର୍କରେ ଯେବେ ପଚରାଗଲା ତ , ବିଦ୍ରୋହୀ ସାଂସଦଙ୍କ ମଧ୍ୟରୁ ଅନ୍ୟତମ ବିକ୍ରମଜିତ ସିଂ ସାହନୀ କହିଛନ୍ତି ଯେ, ଏହି ନିଷ୍ପତ୍ତି ସାମୂହିକ ଭାବେ ନିଆଯାଇଛି। ବିଜେପିରେ ସାମିଲ ହୋଇଥିବା ୭ ଜଣ ସାଂସଦ ଏକାଠି ମିଶି ଏହି ନିଷ୍ପତ୍ତି ନେଇଥିଲେ ଏବଂ ତା’ପରେ ହିଁ ଦଳ ବଦଳ ପ୍ରକ୍ରିୟା ହୋଇଥିଲା।
ସେ କହିଛନ୍ତି ଯେ ରାଘବ ଚଢା, ସ୍ୱାତୀ ମାଲିୱାଲ, ସନ୍ଦୀପ ପାଠକ ଏବଂ ରାଜିନ୍ଦର ଗୁପ୍ତାଙ୍କ ସମେତ ସମସ୍ତେ 'ଆପ୍'ରୁ ଅଲଗା ହେବା ପାଇଁ ମିଳିତ ଭାବେ ସ୍ଥିର କରିଥିଲେ।
ସେ ଇଣ୍ଡିଆନ ଏକ୍ସପ୍ରେସକୁ କହିଛନ୍ତି ଯେ, ଆମେ ସମସ୍ତେ ମିଶି ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲୁ। ଆମ୍ ଆଦମୀ ପାର୍ଟି ସହ ମୋର ଏକମାତ୍ର ସମ୍ପର୍କ ଥିଲା ସଂସଦରେ ପଞ୍ଜାବର ସମସ୍ୟା ଉଠାଇବା। ଯେତେବେଳେ ବିଦେଶରେ ଫସି ରହିଥିବା ପଞ୍ଜାବୀମାନଙ୍କୁ ଉଦ୍ଧାର କରିବାର ଆବଶ୍ୟକତା ପଡ଼ିଥିଲା, ସେତେବେଳେ ମୁଁ ପଞ୍ଜାବ ସରକାରଙ୍କୁ ସାହାଯ୍ୟ କରିଥିଲି। କେନ୍ଦ୍ର ସରକାର ଓ ବିଜେପି ସହ ମୋର ଭଲ ସମ୍ପର୍କ ଥିବାରୁ ଏହା ସମ୍ଭବ ହୋଇଥିଲା। ମୋ ପାଇଁ ପଞ୍ଜାବର ଲୋକେ ସର୍ବଦା ପ୍ରାଥମିକତା। ମୁଁ ନିଜକୁ କେବେ ବି କୌଣସି ଦଳର ନେତା ବୋଲି ଭାବି ନାହିଁ। ପଞ୍ଜାବ ପାଇଁ କିଛି କରିବା ଲକ୍ଷ୍ୟରେ ମୋତେ ରାଜ୍ୟସଭାକୁ ପଠାଇ ଥିବାରୁ ମୁଁ କେଜ୍ରିୱାଲ ଏବଂ ଆମ୍ ଆଦମୀ ପାର୍ଟି ନିକଟରେ ସଦା କୃତଜ୍ଞ ରହିବି।
ବିକ୍ରମଜିତ ସିଂ ସାହନୀଙ୍କ କହିବା ଅନୁଯାୟୀ, ଦଳର ମୁଖ୍ୟ ସଦସ୍ୟମାନଙ୍କୁ ଅଣଦେଖା କରାଯିବା କାରଣରୁ ହିଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ରାଘବ ଚଢା, ସ୍ୱାତୀ ମାଲିୱାଲ ଏବଂ ସନ୍ଦୀପ ପାଠକ ଭଳି ନେତା ଦିନେ ଦଳର ମେରୁଦଣ୍ଡ ଥିଲେ। ସେମାନଙ୍କୁ ସାଇଡଲାଇନ୍ କରାଗଲା। ୨୦୨୨ ପଞ୍ଜାବ ନିର୍ବାଚନରେ ସନ୍ଦୀପ ପାଠକ ଅକ୍ଲାନ୍ତ ପରିଶ୍ରମ କରିଥିଲେ ଏବଂ ଏକାକୀ ୯୪ ଜଣ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିଥିଲେ। ରାଘବ ଚଢା ଓ ସନ୍ଦୀପ ପାଠକଙ୍କ ନିର୍ବାଚନ ପ୍ରଚାର ଯୋଗୁଁ ହିଁ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ସେହିପରି ସ୍ୱାତୀ ମାଲିୱାଲ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସାହନୀ ଅଭିଯୋଗ କରିଛନ୍ତି ଯେ, କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଅବହେଳା କରାଯିବାରୁ ଦଳର ସ୍ଥିତି ବିଗିଡ଼ିବାରେ ଲାଗିଲା।
ସେ କହିଛନ୍ତି ଯେ, ସ୍ୱାତୀ ମାଲିୱାଲଙ୍କୁ ପ୍ରଥମେ ସାଇଡଲାଇନ୍ କରାଗଲା। ଏହାପରେ ଯେବେ ୨୦୨୫ ବିଧାନସଭା ନିର୍ବାଚନରେ ଦିଲ୍ଲୀରେ ପରାଜୟ ହେବାରୁ ସନ୍ଦୀପ ପାଠକଙ୍କୁ ହଇରାଣ କରାଗଲା। ରାଘବ ଚଢା ନିରନ୍ତର ସବୁକିଛି ଠିକ୍ କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଦିଲ୍ଲୀ ପରାଜୟ ପରେ ତାଙ୍କର କ୍ଷମତା ସଙ୍କୁଚିତ କରାଗଲା। ତାଙ୍କୁ ପଞ୍ଜାବ ଛାଡ଼ିବାକୁ କୁହାଗଲା ଏବଂ ଏପରି ଏକ ଆଡଭାଇଜରି ବୋର୍ଡରେ ରଖାଗଲା ଯାହାର କୌଣସି କାମ ନଥିଲା। ଶେଷରେ ତାଙ୍କୁ ରାଜ୍ୟସଭାର ଉପ-ନେତା ପଦରୁ ମଧ୍ୟ ହଟାଇ ଦିଆଗଲା।
ଏହାସହ ମଧ୍ୟ ପଢନ୍ତୁ : ‘ଶୀଶ ମହଲ ପାର୍ଟ-୨’କୁ ନେଇ ବର୍ଷିଲେ ରାଘବ ଚଡ୍ଡା, ଆପ୍ ଉପରେ କଲେ ବଡ଼ ଆକ୍ରମଣ
ଏସବୁ ଘଟଣା ପରେ ସାଂସଦମାନଙ୍କ ମନରେ ପ୍ରଶ୍ନ ଉଠିଥିଲା ଯେ, ଏହି ଦଳ ସହିତ ପଞ୍ଜାବର ଭବିଷ୍ୟତ କ’ଣ ? ଇଡି (ED) ଭୟରେ ଦଳ ବଦଳାଇଥିବା ଅଭିଯୋଗକୁ ସାହନୀ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଯଦି ସେଇଆ ହୋଇଥାନ୍ତା, ତେବେ ମୋ ବିରୋଧରେ କୌଣସି ଚଢ଼ାଉ ହୋଇନାହିଁ। ଏପରିକି ବିଜେପି ମୋ ସହ କେବେ ଯୋଗାଯୋଗ ମଧ୍ୟ କରି ନଥିଲା।