ମାଲକାନଗିରି, ୧୪/୧୨ : ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ରବିବାର ମାଲକାନଗିରି ଗସ୍ତ କରି ଏମଭି୨୬ ଓ ରଖାଲଗୁଡା ଗ୍ରାମ ପରିଦର୍ଶନ କରିଛନ୍ତି । ଉଭୟ ଗ୍ରାମର ପୀଡ଼ିତ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଶାନ୍ତିର ବାତାବରଣ ଫେରାଇ ଆଣିବାକୁ ଉଭୟ ସମ୍ପ୍ରଦାୟଙ୍କୁ ପରାମର୍ଶ ଦେଇଛନ୍ତି। ସାଂସଦ ଶ୍ରୀ ମାଝୀ ଏମଭି ୨୬ ଏବଂ ରାଖାଲଗୁଡା ଗାଁକୁ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି।

ମାଲକାନଗିରି ଜିଲ୍ଲାର ହିଂସାକାଣ୍ଡର ୭ ଦିନ ପରେ ପହଞ୍ଚିଛନ୍ତି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ । ଏମଭି ୨୬ ହିଂସାକାଣ୍ଡ ଓ ଏହାର ପରବର୍ତ୍ତୀ ସ୍ଥିତିକୁ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ କରିବା ପରେ ଏମଭି୨୬ ଗାଁକୁ ଯାଇ ଘରକୁ ଘର ବୁଲି ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ପଚାରି ବୁଝିଥିଲେ। ହିଂସାକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରଥମ ଦିନଠାରୁ ଜିଲ୍ଲା ପ୍ରଶାସନ ତରଫରୁ ରିଲିଫ ସାମଗ୍ରୀ ବଣ୍ଟା ଯାଇଥିବାବେଳେ ରନ୍ଧା ଖାଦ୍ୟ ବ୍ୟବସ୍ଥା ଚାଲିଛି । ଧୀରେ ଧୀରେ ଗାଁରେ ଶାନ୍ତି ଫେରୁଛି । ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ନବରଙ୍ଗପୁର ସାଂସଦ ଶ୍ରୀ ମାଝୀ କହିଛନ୍ତି।

ପ୍ରତିଟି ଘରେ ବିଦ୍ୟୁତ ସଂଯୋଗୀକରଣ ଓ ପାନୀୟ ଜଳ ଵ୍ୟଵସ୍ଥା ପାଇଁ ପାଇପ ଲାଇନ ବ୍ୟବସ୍ଥା କରାଯାଇଛି । ହେଲେ ଏହି ଚିନ୍ତାରେ ସବୁଠାରୁ ଅଧିକ କ୍ଷତି ସହିବାକୁ ପଡ଼ିଛି ଛାତ୍ରଛାତ୍ରୀମାନଙ୍କୁ। ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ସବୁ ସ୍କୁଲ ବନ୍ଦ ରହିଛି । ପିଲାଙ୍କ ପାଠ ପଢିବା ଲାଗି ବହି ପତ୍ର ନ ଥିବାବେଳେ ପୋଷାକ ପତ୍ର ମଧ୍ୟ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି । ହେଲେ ଖୁବଶୀଘ୍ର ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ସହ ବିଦ୍ୟାଳୟ ଖୋଲିବା ଲାଗି ପଦକ୍ଷେପ ନିଆଯିବ ବୋଲି ମାଲକାନଗିରି ଜିଲ୍ଲାପାଳ କହିଛନ୍ତି । ସାଂସଦ ଶ୍ରୀ ମାଝୀ ଘର ଘର ବୁଲି ଲୋକଙ୍କୁ ଭେଟି ସ୍ୱାନ୍ତ୍ୱନା ଦେଇ ଶାନ୍ତି ଫେରାଇ ଆଣିବା ନେଇ ଆଲୋଚନା କରିଥିଲେ।