ନୂଆଦିଲ୍ଲୀ,୧୫/୦୮: ଟିମ୍ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ଓପନର ଭାବରେ ଜଣାଶୁଣା ଥିଲେ ବୀରେନ୍ଦ୍ର ସେହୱାଗ । ତାଙ୍କ ଆଗରେ ବୋଲରମାନେ ଥରୁଥିଲେ । ଭୟ କରୁଥିଲେ । ସେ ପ୍ରଥମ ବଲରୁ ବଡ଼ ସଟ୍ ମାରିବାକୁ ଚେଷ୍ଟା କରୁଥିଲେ । ଅନେକ ବର୍ଷ ପରେ ସେ ଏକ ବଡ଼ ଖୁଲାସା କରିଛନ୍ତି । ଏମଏସ ଧୋନି ତାଙ୍କୁ ଦଳରୁ ବାହାର କରିଥିବା କଥା କହିଛନ୍ତି ।
ବର୍ଷ ପୁରୁଣା କଥାକୁ ମନେ ପକାଇ ସେହୱାଗ କହିଛନ୍ତି ଯେ, ସେ ଅବସର ନେବାକୁ ଚାହୁଁଥିଲେ, ହେଲେ ଟିମ୍ ଇଣ୍ଡିଆରୁ ଧୋନୀ ତାଙ୍କୁ ବାହାର କରିଦେଇଥିଲେ । ସଚିନ ତେନ୍ଦୁଲକରଙ୍କ ପରାମର୍ଶ ତାଙ୍କୁ ସାହାଯ୍ୟ କରିଥିଲା । ୨୦୦୭-୦୮ରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ପ୍ରଥମ ୩ଟି ମ୍ୟାଚ୍ ପରେ ଏମଏସ ଧୋନି ମୋତେ ଦଳରୁ ବାହାର କରିଥିଲେ । ଏହା ପରେ, ମୁଁ କିଛି ସମୟ ପାଇଁ ଦଳରେ ସ୍ଥାନ ପାଇନଥିଲି । ତା'ପରେ ମୁଁ ଭାବିଲି ଯେ ଯଦି ମୁଁ ପ୍ଲେଇଂ ୧୧ରେ ଆସି ପାରିବି ନାହିଁ, ତେବେ ଦିନିକିଆ କ୍ରିକେଟ୍ ଖେଳିବାର କୌଣସି ଅର୍ଥ ନାହିଁ ।
ସଚିନ ତେନ୍ଦୁଲକରଙ୍କ ପରାମର୍ଶ ସାହାଯ୍ୟ କରିଥିଲା- ବୀରେନ୍ଦ୍ର ସେହୱାଗ କହିଥିଲେ ଯେ, ''ସେ ସଚିନ ତେନ୍ଦୁଲକରଙ୍କ ପାଖକୁ ଯାଇଥିଲେ । ତାଙ୍କୁ କହିଥିଲି ଯେ ମୁଁ ଦିନିକିଆରୁ ଅବସର ନେବାକୁ ଚାହୁଁଛି । ସଚିନ କହିଥିଲେ ସେ ମଧ୍ୟ ୧୯୯୯ରୁ ୨୦୦୦ ଏପରି ଏକ ପର୍ଯ୍ୟାୟ ଦେଖିଥିଲେ ଏବଂ ସେ ବି ଅବସର ନେବାକୁ ଚାହୁଁଥିଲେ । କିନ୍ତୁ ତା’ପରେ ସେହି ସମୟ ଚାଲିଗଲା । ସଚିନ ମୋତେ କହିଥିଲେ ଯେ, ଭାବପ୍ରବଣ ହୋଇ କୌଣସି ବଡ଼ ନିଷ୍ପତ୍ତି ନିଅନାହିଁ । ଗୋଟିଏ-ଦୁଇଟି ସିରିଜ୍ ପାଇଁ ସମୟ ଦିଅ ଏବଂ ତା’ପରେ ଏହା ବିଷୟରେ ଚିନ୍ତା କର । "
୨୦୦୮ ଟ୍ରିାଇ ସିରିଜରେ ବୀରେନ୍ଦ୍ର ସେହୱାଗଙ୍କ ପ୍ରଦର୍ଶନ ଏତେ ଭଲ ନଥିଲା । ସେ ୫ଟି ମ୍ୟାଚରେ ମାତ୍ର ୮୧ ରନ କରିଥିଲେ । ଗୌତମ ଗମ୍ଭୀର ଏଥିରେ ୪୪୦ ରନ କରିଥିଲେ । ସିରିଜରେ ସର୍ବାଧିକ ରନ୍ ସ୍କୋରର ଥିଲେ ଗମ୍ଭୀର । ସଚିନ ତେନ୍ଦୁଲକର ଦ୍ୱିତୀୟ ସ୍ଥାନରେ ଥିଲେ । ସେ ୩୯୯ ରନ୍ କରିଥିଲେ । ସଚିନ ତେନ୍ଦୁଲକରଙ୍କ ପରାମର୍ଶ ବୀରେନ୍ଦ୍ର ସେହୱାଗଙ୍କୁ ସହାୟକ ହୋଇଥିଲା । ଯାହା ପରେ ସେ ଭାରତୀୟ ଦଳକୁ ଫେରି ପାରିଲେ । ତା’ପରେ ଉପ-ଅଧିନାୟକ ମଧ୍ୟ ହୋଇଥିଲେ। ସେ ୨୦୧୧ ବିଶ୍ୱକପରେ ଦଳର ଅଂଶ ଥିଲେ । ଯାହାକୁ ଭାରତ ଏମଏସ୍ ଧୋନିଙ୍କ ଅଧିନାୟକତ୍ୱରେ ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ବିଶ୍ୱ ବିଜୟୀ ହୋଇଥିଲା ।