ନୂଆଦିଲ୍ଲୀ,୦୪/୦୭: ଭାରତ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନିଙ୍କ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌)  ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି । ଏହି ପରିବର୍ତ୍ତନ ତାଙ୍କ ଏଫ୍‌ଏମ୍‌ସିଜି କାରବାରରେ  ହେବ । ଆର୍‌ଆଇଏଲ୍‌ ଏହାର ସମସ୍ତ ଏଫ୍‌ଏମ୍‌ସିଜି  ବ୍ରାଣ୍ଡ୍‌ଗୁଡ଼ିକୁ ଏକ ନୂଆ କମ୍ପାନିରେ ସାମିଲ କରିବ ।  

ଏବେ ଏ ବ୍ରାଣ୍ଡ୍‌ଗୁଡ଼ିକ ରିଲାଏନ୍ସ ରିଟେଲ ଭେଞ୍ଚର୍ସ  ଲିମିଟେଡ୍‌(ଆର୍‌ଆର୍‌ଭିଏଲ୍‌), ରିଲାଏନ୍ସ ରିଟେଲ୍‌  ଲିମିଟେଡ୍‌(ଆର୍‌ଆର୍‌ଏଲ୍‌) ଏବଂ ରିଲାଏନ୍ସ  କଞ୍ଜ୍ୟୁମର ପ୍ରଡକ୍ଟ୍‌ସ ଲିମିଟେଡ୍‌(ଆର୍‌ସିପିଏଲ୍‌)  ଅଧୀନରେ ରହିଛି । ନୂଆ କମ୍ପାନି ନାଁ ‘ନ୍ୟୁ  ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ୍‌ସ ଲିମିଟେଡ୍‌’ ହେବ ।  ଏ କମ୍ପାନି ଜିଓ ପ୍ଲାଟ୍‌ଫର୍ମସ ଲିମିଟେଡ୍‌ ଭଳି  ସିଧାସଳଖ ଭାବେ ଆର୍‌ଆଇଏଲ୍‌ର ସହାୟକ  କମ୍ପାନି ହେବ । ଏହି ପରିବର୍ତ୍ତନର ଉଦ୍ଦେଶ୍ୟ  ଏଫ୍‌ଏମ୍‌ସିଜି ବ୍ରାଣ୍ଡ୍‌ଗୁଡ଼ିକ ଉପରେ ଧ୍ୟାନ ଦେବା ।  ଏହାସହିତ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ  ଏ ଯୋଜନା ଉପରେ କାର୍ଯ୍ୟ ହେଉଛି ।  

ଆର୍‌ସିପିଏଲ୍‌ର ନିର୍ଦ୍ଦେଶକ ଏବଂ ଗ୍ରୁପ୍‌ର  ଏଫ୍‌ଏମ୍‌ସିଜି ମୁଖ୍ୟ ଟି. କୃଷ୍ଣକୁମାର କହିଛନ୍ତି ଯେ,  ୬୦ କୋଟି ଉପଭୋକ୍ତାଙ୍କ ଉପରେ ଧ୍ୟାନକେନ୍ଦ୍ରିତ  କରିବା ଏବଂ ପଡ଼ୋଶୀ ଦୋକାନଗୁଡ଼ିକ ସହ  ମିଳିତ ହୋଇ କାର୍ଯ୍ୟ କରିବା ହେଉଛି ରଣନୀତି ।