ଭୁବନେଶ୍ୱର,୧୧/୦୨:  ନଈ ନ ଦେଖୁନୁ ଲଙ୍ଗଳା ନ ହୁଅନ୍ତୁ ବିରୋଧୀ। ବଜେଟ ତ ଆସିନି। ମୁଖ୍ୟମନ୍ତ୍ରୀ ଯେବେ ବଜେଟ ଉପସ୍ଥାପନା କରିବେ, ସେ ସମୟରେ ଜଣା ପଡିବ ଲୋକଙ୍କ ପାଇଁ କଣ ଅଛି। ରାଜ୍ୟପାଳ ନିଜ ଅଭିଭାଷଣରେ ସରକାରଙ୍କ ଉପଲବ୍ଧି କହିବେ। ଲୋକଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ନେଇ ବଜେଟ ଆସିବ। ସରକାର ସବୁ ପାଇଁ ପ୍ରସ୍ତୁତ । ଗତ ସାତ ମାସରେ ଡବଲ ଇଂଜିନ ସରକାର ଯେପରି କାମ କରିଛି, ସେଥିପାଇଁ ବିରୋଧୀଙ୍କ ପାଖରେ ପ୍ରସଙ୍ଗ ନାହିଁ।  ଆମେ ତାଙ୍କୁ ଧାନ ବୋନସ ନେଇ ପ୍ରଶ୍ନ କରିବୁ । ଆମେ ୮୦୦ ଟଙ୍କା ବୋନସ ଦେଲୁ, ଖୁସି ହୁଅନ୍ତୁ  ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । 

ପ୍ରକାଶ  ଥାଉକି, ଆସନ୍ତା ଫେବୃଆରୀ ୧୩ରୁ ଆରମ୍ଭ ହେବ ବଜେଟ ଅଧିବେଶନ । ଏନେଇ ଆସନ୍ତାକାଲି  ବସିବ ସର୍ବଦଳୀୟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଏହାପୂର୍ବରୁ ଏହି ବୈଠକରେ ଉଭୟ ସରକାରୀ ଓ ବିରୋଧୀ ଦଳ ବିଧାୟକ ଯୋଗ ଦେଇ ଆଗତ ହେବାକୁ ଥିବା ବଜେଟ୍‌କୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ ।  ୧୭ରେ ଆଗତ ହେବ ରାଜ୍ୟ ବଜେଟ୍ । ତେବେ ଏଥିର ବଜେଟ୍‌ରେ କାହା ପାଇଁ କଣ ରହିବ ତାହାରି ଉପରେ ରହିଛି ସଭିଙ୍କ ନଜର । ଫୋକସରେ ମଧ୍ୟବିତ୍ତ, ମହିଳା ଓ ଯୁବବର୍ଗ। ସବୁ ବର୍ଗକୁ ଖୁସି କରିବା ସହ ମୁଦ୍ରାସ୍ଫିତିକୁ ନିୟନ୍ତ୍ରଣରେ ରଖିବା ପାଇଁ, ଚଳିତ ବଜେଟରେ ଅନେକ ସାମଗ୍ରୀ ଉପରୁ ଟିକସ ଛାଡ଼ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର।