ମୁମ୍ୱାଇ, ୧୪।୧୧: ପୁଣି ମୁମ୍ବାଇ ବିମାନ ବନ୍ଦରକୁ ବୋମାରେ ଉଡ଼ାଇବାକୁ ଧମକ । ଧମକ ପରେ ବିମାନବନ୍ଦରରେ ବଢ଼ିଲା ସୁରକ୍ଷା । ଆକ୍ସନ ମୁଡ୍‌ରେ ସିଆଇଏସ୍‌ଏଫ୍‌ । ବିମାନବନ୍ଦରରେ ଏକ ପୁଲିସ୍ ଟିମ୍ ନିୟୋଜିତ କରାଯାଇଛି । ଏଥିସହ ଫୋନ୍ କଲ୍ ଓ ଯାତ୍ରୀଙ୍କ ବିବରଣୀର ଯାଞ୍ଚ ଆରମ୍ଭ କରିଛି ପୋଲିସ । 

ବୋମା ଲଗାଇ ଉଡ଼ାଇ ଦେବୁ ବିମାନ ବନ୍ଦର । ମୁମ୍ବାଇ ଡୋମେଷ୍ଟିକ୍ ଏୟାପୋର୍ଟର ସିଆଇଏସ୍‌ଏଫ୍‌ କଣ୍ଟ୍ରୋଲ ରୁମ୍‌କୁ ଏଭଳିି ଧମକପୂର୍ଣ୍ଣ ଫୋନ୍‌ କଲ୍ ଆସିଛି । ମହମ୍ମଦ ନାମକ ଜଣେ ବ୍ୟକ୍ତି ମୁମ୍ବାଇରୁ ଆଜେରବାଇଜାନକୁ ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବା ଧମକରେ କେହି ଜଣେ ବ୍ୟକ୍ତି କହିଛନ୍ତି । ଏହାକୁ ନେଇ ଏବେ ହଇଚଇ ସୃଷ୍ଟି ହୋଇଛି । ସେପଟେ ଧମକ ମିଳିବା ପରେ ତୁରନ୍ତ ଆକ୍ସନ ମୁଡ୍‌କୁ ଆସିଛି ସିଆଇଏସ୍‌ଏଫ୍‌ ଟିମ୍‌ । ଏହାପରେ ପୁଲିସର ଏକ ଟିମ୍‌ ବିମାନବନ୍ଦରରେ ନିୟୋଜିତ କରାଯାଇଛି । ବିମାନ ବନ୍ଦରର ତନ୍ନ ତନ୍ନ କରି ଯାଞ୍ଚ ଚାଲିଛି । 

କହିରଖୁ କି, ଆସିଥିବା ଫୋନ୍ କଲ୍‌ର କୌଣସି ନିର୍ଦ୍ଦିଷ୍ଟ ବିମାନ ବିଷୟରେ ଉଲ୍ଲେଖ କରିନଥିଲେ । ବୁଧବାର ହଠାତ୍ ମଧ୍ୟାହ୍ନ ପ୍ରାୟ ୩ଟା ସମୟରେ ଏହି ଧମକପୂର୍ଣ୍ଣ କଲ୍‌ ଆସିଥିଲା । ଯାହା ପରେ ଅଧିକାରୀମାନେ ଏହି ଫୋନ୍‌ କଲ୍‌ର ଯାଞ୍ଚ ଆରମ୍ଭ କରିଥିଲେ । କିଏ ଏହି ଧମକପୂର୍ଣ୍ଣ ଫୋନ୍‌ କଲ୍ କରିଥିଲା ସେନେଇ ତଦନ୍ତ ଚାଲିଛି । ସତର୍କତାମୂଳକ ପଦକ୍ଷେପ ଭାବରେ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଥିବା ବେଳେ ସୁରକ୍ଷା ନିଶ୍ଚିତ କରିବାକୁ ପୁଲିସ ଯାତ୍ରୀଙ୍କ ବିବରଣୀ ଯାଞ୍ଚ କରୁଛି । ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନାହିଁ, କିନ୍ତୁ ସମଗ୍ର ପରିସ୍ଥିତିର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯାଉଛି ।