ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି । ସିଜିନର ପ୍ରଥମ ମ୍ୟାଚ୍ ଇଡେନ ଗାର୍ଡେନରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ ଖେଳାଯିବ। ଏହାରି ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ନିଜର ନୂଆ ଜର୍ସି ଲଞ୍ଚ କରିଛି । ଫ୍ରାଞ୍ଚାଇଜ୍ ପକ୍ଷରୁ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ଜାରି କରି ଜର୍ସି ଲଞ୍ଚ ନେଇ ସୂଚନା ଦିଆଯାଇଛି । ଭିଡିଓରେ ଅଧିନାୟକ ହାର୍ଦ୍ଦିକ ପ୍ରଶଂସକମାନଙ୍କୁ ଏକ ଭାବପ୍ରବଣ ବାର୍ତ୍ତା ମଧ୍ୟ ପଠାଇଛନ୍ତି । ପାଣ୍ଡ୍ୟା ଦଳର ମୁଖ୍ୟ ଖେଳାଳି ରୋହିତ ଶର୍ମା, ଜସପ୍ରିତ ବୁମରା, ସୂର୍ଯ୍ୟକୁମାର ଯାଦବ ଏବଂ ତିଲକ ବର୍ମାଙ୍କ ସହ ଫ୍ରାଞ୍ଚାଇଜର ଐତିହ୍ୟକୁ ଆଗକୁ ବହନ କରିବା ବିଷୟରେ କହିଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ ନୂତନ ଜର୍ସି ଲଞ୍ଚ 

ମୁମ୍ବାଇ ଇଣ୍ଡିଆନ୍ସ ଏକ ଭିଡିଓ ମାଧ୍ୟମରେ ପ୍ରଶଂସକଙ୍କ ସହ ଜର୍ସି ଲଞ୍ଚ ଖବର ସେୟାର କରିଛି। ଏହି ଭିଡିଓରେ ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି ଯେ, ପ୍ରିୟ ଟିମ୍‌ ୨୦୨୫ ଦଳ ପାଇଁ ଏକ ସୁଯୋଗ ।  ଟିମ୍‌ର କିର୍ତ୍ତୀକୁ ସେହି ସ୍ଥାନକୁ ନେଇଯିବାର ସୁଯୋଗ ଯେଉଁଠାରେ ଏହା ରହିବା ଉଚିତ । ମୁମ୍ବାଇ ଇଣ୍ଡିଆନ୍ସର ନୂତନ ଜର୍ସି ବିଷୟରେ କହିବାକୁ ଗଲେ, ଏହା ବହୁତ ଭଲ ଦେଖାଯାଉଛି। ମୁମ୍ବାଇ ଇଣ୍ଡିଆନ୍ସ ନିଜ ଜର୍ସିରେ ନୀଳ ଏବଂ ଗୋଲ୍ଡେନ ରଙ୍ଗକୁ ସ୍ଥାନ ଦେଇଛି ।  ଜର୍ସିର ମଝିରେ ପ୍ରାୟୋଜକଙ୍କ ଲୋଗୋ ରହିଛି । ସେହିଭଳି ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜର ଲୋଗୋ ବାମ ପାର୍ଶ୍ୱରେ ରହିଛି । ମୁମ୍ବାଇ ଇଣ୍ଡିଆନ୍ସର କିଛି ଖେଳାଳି ମଧ୍ୟ ଏହି ଜର୍ସିରେ ସେମାନଙ୍କର ଫଟୋସୁଟ୍ କରାଇଛନ୍ତି। 




ପ୍ରଥମ ମ୍ୟାଚ୍ ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା

IPL 2025ରେ, ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ଏକ ମ୍ୟାଚ୍ ସହ ନିଜର ଅଭିଯାନ ଆରମ୍ଭ କରିବ। ଏହି ଦୁଇ ଦଳ ମଧ୍ୟରେ ସର୍ବଦା ରୋମାଞ୍ଚକର ପ୍ରତିଯୋଗିତା ହୋଇଆସିଛି । ଏଥର ମଧ୍ୟ ପ୍ରଶଂସକମାନେ ଏକ ରୋମାଞ୍ଚକର ମ୍ୟାଚ୍ ଆଶା କରିବେ। ସେପଟେ ପ୍ରଥମ ମ୍ୟାଚ୍‌ରେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିପାରିବେ ନାହିଁ । ଗତ ସିଜିନରେ ସ୍ଲୋ ଓଭର ରେଟ୍ ଯୋଗୁଁ ଗୋଟିଏ ମ୍ୟାଚ୍ ପାଇଁ ତାଙ୍କୁ ବାସନ୍ଦ କରାଯାଇଛି । ଏହି କାରଣରୁ ସେ ଏହି ମ୍ୟାଚରୁ ବାଦ୍‌ ପଡ଼ି‌ବେ । ତେବେ ପ୍ରଥମ ମ୍ୟାଚ୍‌ରେ ଦଳର ଅଧିନାୟକ କିଏ ହେବେ ତା ଉପରେ ସମସ୍ତଙ୍କ ନଜର ରହିବ ।