ମୁମ୍ବାଇ,୨୦।୫:  ମହାରାଷ୍ଟ୍ରର ଥାନେ ନିକଟ କଲ୍ୟାଣ ଅଞ୍ଚଳରେ ବଡ଼ ଧରଣର ଅଘଟଣ। ଏକ ଆବାସିକ କୋଠାର   ଛାତ ଭୁଶୁଡ଼ି ଜଣେ ଶିଶୁ ସମେତ ଅନ୍ୟ ଛଅ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ ୪ ଜଣ ଆହତ ହୋଇଛନ୍ତି। କଲ୍ୟାଣ ଡୋମ୍ବ୍ରିଭାଲି ମ୍ୟୁନିସିପାଲ କର୍ପୋରେସନର  ଅଧିକାରୀ ଏହି ଘଟଣା ନେଇ ସୂଚନା ଦେଇଛନ୍ତି।

କୋଠାର ସ୍ଲାବ୍ ଭୁଶୁଡ଼ି ପଡ଼ିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅଧିକାରୀମାନେ କହିଛନ୍ତି। ଏବେ ବି ଜଣେ ବ୍ୟକ୍ତି ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି ଏବଂ ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି।  ଏକ ରିପୋର୍ଟ ଅନୁଯାୟୀ, କେଡିଏମସି ସୂତ୍ରରୁ ଜଣାପଡିଛି ଯେ କୋଠାଟିକୁ 'ବିପଜ୍ଜନକ' ଘୋଷଣା କରାଯାଇଥିଲା ଏବଂ ବର୍ଷା ଋତୁ ପୂର୍ବରୁ ଏହାକୁ ଖାଲି କରାଯିବାକୁ  କୁହାଯାଇଥିଲା। KDMC ସୂତ୍ର ଅନୁଯାୟୀ, ବର୍ଷା ପୂର୍ବରୁ ଘର ଖାଲି କରିବା ପାଇଁ ଏକ ନୋଟିସ ଜାରି କରାଯାଇଥିଲା, କିନ୍ତୁ ଦୁର୍ଘଟଣା ସମୟରେ ଲୋକମାନେ କୋଠାରେ ଥିଲେ।

ଅନ୍ୟପକ୍ଷରେ, ଦୁର୍ଘଟଣା ପରେ  ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭଗ୍ନାବଶେଷ ତଳେ କେହି ପୋତି ହୋଇଛନ୍ତି କି ନାହିଁ ତାହା ଜାଣିବା ପାଇଁ ସନ୍ଧାନ କରାଯାଉଛି। ପ୍ରଶାସନ ଅନୁଯାୟୀ, ଏହି ଅଞ୍ଚଳରେ ଏପରି ଅନେକ କୋଠା ଅଛି ଏବଂ ସେଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି।