ମୁମ୍ଵାଇ, ୯/୬ : ମୁମ୍ଵାଇର ଥାଣେ ଅଞ୍ଚଳରେ ବଡ଼ ଦୁର୍ଘଟଣା। ମୁମ୍ବ୍ରା ଏବଂ ଦିଭା ରେଲୱେ ଷ୍ଟେସନ ମଧ୍ୟରେ ଚଳନ୍ତା ଟ୍ରେନ୍‌ରୁ ଟ୍ରାକ୍‌କୁ ଖସି ପଡ଼ିଲେ ଅନେକ ଯାତ୍ରୀ। ଚାଲିଗଲା ୫ ଜଣଙ୍କ ଜୀବନ। ଲୋକାଲ୍ ଟ୍ରେନ୍ ଭିତରେ ପ୍ରବଳ ଭିଡ଼ ଯୋଗୁଁ ଅଘଟଣ ଘଟିଥିବା ଅନୁମାନ କରାଯାଉଛି। ଅନେକ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସେଣ୍ଟ୍ରାଲ ରେଲୱେର ସୂଚନା ଅନୁଯାୟୀ, ପୁଷ୍ପକ ଲୋକାଲ୍ ଟ୍ରେନ୍ ମୁମ୍ଵାଇରୁ ଲକ୍ଷ୍ନୌ ଯାଉଥିଲା। ଏହି ଟ୍ରେନ୍‌ରେ ଯାତ୍ରୀଙ୍କ ଖଚାଖଚ୍ ଭିଡ଼ ହୋଇଥିଲା। ଯେଉଁଥି ପାଇଁ ଯାତ୍ରୀମାନେ ଜାଗା ନପାଇ ଟ୍ରେନ୍‌ର ଡୋର୍ ପାଖରେ ଝୁଲିଥିଲେ। ମୁମ୍ଵ୍ରା ରେଲୱେ ଷ୍ଟେସନ ନିକଟରେ ହଠାତ୍ କିଛି ଯାତ୍ରୀ ଟ୍ରାକ୍‌କୁ ଖସି ପଡ଼ିଥିଲେ। ଖବର ପାଇ ରେଳବାଇ ପୁଲିସ ଏବଂ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦୁର୍ଘଟଣା ପରେ ରେଳ ସେବା ପ୍ରଭାବିତ ହୋଇଛି। ମୃତକଙ୍କୁ ଚିହ୍ନଟ କରାଯାଉଛି। ସମସ୍ତ ମୃତକଙ୍କ ବୟସ ୩୦ ରୁ ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

ଏହି ଘଟଣା ବେଳର କିଛି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଯେଉଁଥିରେ ଦୁର୍ଘଟଣା ବେଳର ଛାତିଥରା ଦୃଶ୍ୟ କଏଦ ହୋଇଛି। ଯାତ୍ରୀମାନେ କିଭଳି ବିପଦପୂର୍ଣ୍ଣ ଅବସ୍ଥାରେ ଯାତ୍ରା କରିବା ବେଳେ ଟ୍ରାକ୍‌କୁ ଖସିପଡ଼ିଛନ୍ତି ତାହା ଭିଡିଓରେ ଦେଖିବାକୁ ମିଳିଛି।