ରାଜସ୍ଥାନ: ଆଇପିଏଲ ୨୦୨୫ର ୬୯ତମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ (PBKS) ମୁମ୍ବାଇ ଇଣ୍ଡିଆନ୍ସ (MI)କୁ ୭ ୱିକେଟ୍ରେ ପରାସ୍ତ କରିଛି। ଏହା ସହିତ, ଦଳ ଚଳିତ ସିଜିନ୍ରେ ପଏଣ୍ଟ ଟେବୁଲ୍ର ଶୀର୍ଷ-୨ରେ ସ୍ଥାନ ସୁରକ୍ଷିତ କରିଛି। ବର୍ତ୍ତମାନ, ଦଳ ୧୯ ପଏଣ୍ଟ ସହିତ ଟେବୁଲର ଶୀର୍ଷରେ ନିଜ ସ୍ଥାନ ପକ୍କା କରିଛି। ପଞ୍ଜାବ ଏବେ ମେ ୨୯ ତାରିଖରେ କ୍ୱାଲିଫାୟର-୧ ଖେଳିବ। ଅନ୍ୟପକ୍ଷରେ, ଏହି ପରାଜୟ ପରେ ମୁମ୍ବାଇକୁ ମେ ୩୦ରେ ଏଲିମିନେଟର ଖେଳିବାକୁ ପଡିବ।
ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ପଞ୍ଜାବ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୁମ୍ବାଇ ୨୦ ଓଭରରେ ୭ ୱିକେଟ୍ ହରାଇ ୧୮୪ ରନ୍ କରିଥିଲା। ଏହାର ଜବାବରେ ପଞ୍ଜାବ ୧୮.୩ ଓଭରରେ ୩ ୱିକେଟ୍ ହରାଇ ୧୮୫ ରନ୍ ଟାର୍ଗେଟ ହାସଲ କରିଥିଲା। ଅଧିନାୟକ ଶ୍ରେୟସ ଆୟର ଟ୍ରେଣ୍ଟ ବୋଲ୍ଟଙ୍କ ବଲରେ ଛକା ମାରି ଦଳକୁ ବିଜୟୀ କରାଇଥିଲେ। ସେ ୧୬ ବଲ୍ ରୁ ୨୬ ରନ୍ କରି ଅପରାଜିତ ରହି ପାଭିଲିୟନକୁ ଫେରିଥିଲେ। ଜୋଶ ଇଙ୍ଗଲିସ୍ (୭୩ ରନ୍) ଏବଂ ପ୍ରିୟାଂଶ ଆର୍ଯ୍ୟ (୬୨ ରନ୍) ଅର୍ଦ୍ଧଶତକ ହାସଲ କରିଥିଲେ। ଦୁହେଁ ଏକ ଶତକୀୟ ଭାଗୀଦାରି କରିଥିଲେ। ମିଚେଲ ସାଣ୍ଟନର ଦୁଇଟି ୱିକେଟ୍ ନେଇଥିଲେ। ଜସପ୍ରିତ ବୁମରାହ ଗୋଟିଏ ୱିକେଟ ପାଇଥିଲେ।
ମୁମ୍ବାଇ ପାଇଁ ସୂର୍ଯ୍ୟକୁମାର ଯାଦବ ୩୯ ବଲ୍ ରେ ୫୭ ରନ୍ ର ଇନିଂସ ଖେଳିଥିଲେ। ସେ ୬ଟି ଚୌକା ଏବଂ ୨ଟି ଛକା ମାରିଥିଲେ। ବାକି ବ୍ୟାଟସମ୍ୟାନମାନେ ୩୦ ରନ ଅତିକ୍ରମ କରିପାରି ନଥିଲେ। ପଞ୍ଜାବର ଆର୍ଶଦୀପ ସିଂ, ମାର୍କୋ ଜାନସେନ୍ ଏବଂ ବିଜୟକୁମାର ବୈଷ୍ଣବ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।