ନୂଆଦିଲ୍ଲୀ,୧୪/୧୦: ମୁମ୍ବାଇରୁ ନ୍ୟୁୟର୍କ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନକୁ ଆଜି ବୋମାରେ ଉଡ଼ାଇଦେବାକୁ ଧମକ ମିଳିଛି। ବୋମା ଧମକ ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ବିମାନଟି ତୁରନ୍ତ ଦିଲ୍ଲୀ ଆଡ଼କୁ ଡାଇଭର୍ଟ ହୋଇ ନିରାପଦରେ ଅବତରଣ କରିଥିଲା।। ଅବତରଣ ପରେ ବିମାନରୁ ଯାତ୍ରୀଙ୍କୁ ଓହ୍ଲାଇ ଯାଞ୍ଚ କରାଯାଉଛି। ତେବେ ଏପର୍ଯ୍ୟନ୍ତ କୌଣସି ବୋମା ମିଳିବା ଖବର ନାହିଁ। ଅନୁସନ୍ଧାନକାରୀ ଅଧିକାରୀ କହିଛନ୍ତି ଯେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ତଦନ୍ତ ଜାରି ରହିଛି।

ଏୟାର ଇଣ୍ଡିଆ ବିମାନ ରାତି ୨ ଟାରେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା କରିଥିଲା। ବିମାନ ଉଡ଼ିବାର କିଛି ସମୟ ପରେ ବିମାନରେ ବୋମା ଥିବା ଧମକ ମିଳିଥିଲା। ଏହି ଧମକ ପରେ ସୁରକ୍ଷା ଦୃଷ୍ଟିରୁ ବିମାନଟି ଦିଲ୍ଲୀ ଆଡକୁ ମୁହାଁଇଥିଲା। ଅଧିକାରୀ କହିଛନ୍ତି ଯେ ଏହି ବିମାନଟି ବର୍ତ୍ତମାନ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ରହିଛି ଏବଂ ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ସମସ୍ତ ମାନକ ସୁରକ୍ଷା ପ୍ରୋଟୋକଲ ପାଳନ କରାଯାଉଛି।

ଏୟାର ଇଣ୍ଡିଆର ବିମାନ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ଅବତରଣ କରିଛି। ବିମାନର ଅନୁସନ୍ଧାନ ପରେ ବୋମା ଭଳି କିଛି ନିଶ୍ଚିତ ହୋଇନାହିଁ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ଘଟଣା ଏବେ ବିପଦମୁକ୍ତ ବୋଲି ଅଧିକାରୀମାନେ ଆଶ୍ୱାସନା ଦେଇଛନ୍ତି। ବୋମା ଧମକ ବାସ୍ତବ ନା ଏହା ଗୁଜବ, ଏନେଇ ଅଧିକ ସନ୍ଧାନ ଜାରି ରହିଛି। କହିରଖୁଛୁ ଯେ, ଗତ କିଛି ମାସ ଧରି ବୋମା ଗୁଜବ ବିଷୟରେ ଅନେକ ମେଲ୍ କିମ୍ବା କଲ ଆସିଛି।