ମୁମ୍ବାଇ,୦୬/୦୯: ଆର୍ଥିକ ରାଜଧାନୀ  ମୁମ୍ବାଇ ଏବେ ବିପଦରେ! ୩୪ ଗାଡ଼ିରେ ୪୦୦  କିଲୋଗ୍ରାମ୍‌ ଓଜନର ଆର୍‌ଡିଏକ୍ସ ଧରି ବୁଲୁଛନ୍ତି  ୧୪ ପାକିସ୍ତାନୀ ଆତଙ୍କବାଦୀ । ସେମାନେ  ମୁମ୍ବାଇରେ ଭୟଙ୍କର ବୋମା ବିସ୍ଫୋରଣ  ଘଟାଇବାକୁ ଧମକ ଦେଇଥିବା କୁହାଯାଉଛି । ଏହି  ବିସ୍ଫୋରଣ ଏତେ ପ୍ରଚଣ୍ଡ ହେବ, ଯେଉଁଥିରେ  ୧ କୋଟି ଲୋକଙ୍କ ଜୀବନହାନି ହୋଇପାରେ ।

ମୁମ୍ବାଇ ପୁଲିସକୁ ଗୁରୁବାର ବିଳମ୍ବିତ ରାତିରେ ହ୍ୱାଟ୍‌ସଆପ୍‌ରେ ଏହି ଧମକପୂର୍ଣ୍ଣ  ମେସେଜ୍‌ ମିଳିଛି । ଏହାକୁ ନେଇ ହଇଚଇ  ସୃଷ୍ଟି ହୋଇଛି । ପୁଲିସ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି । କ୍ରାଇମ୍‌ ବ୍ରାଞ୍ଚ୍‌ ତଦନ୍ତ  ଆରମ୍ଭ କରିଦେଇଛି । ବିଶେଷକରି ହ୍ୱାଟ୍‌ସଆପ୍‌  ମେସେଜ୍‌ର ସୂତ୍ର ଜାଣିବା ଲାଗି ଉଦ୍ୟମ  କରାଯାଉଛି । ଆତଙ୍କବାଦ ନିରୋଧ ସ୍କ୍ୱାଡ୍‌  (ଏଟିଏସ୍‌) ଏବଂ ଅନ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକ  ଆକ୍ସନ ମୋଡ୍‌କୁ ଆସିଛନ୍ତି । ଦେଶରେ ଲସ୍କର-ଏ-ଜିହାଦୀର ୧୪ ଆତଙ୍କୀ ପ୍ରବେଶ କରିଥିବା  ନେଇ କିଛିଦିନ ହେଲା ରିପୋର୍ଟ ଆସୁଛି । ସେହି  ଦୃଷ୍ଟିରୁ ହ୍ୱାଟ୍‌ସଆପ୍‌ରେ ମିଳିଥିବା ଧମକକୁ ଅତ୍ୟନ୍ତ ଗୁରୁତ୍ୱର ସହ ନିଆଯାଇଛି ।

ବୋମା ବିସ୍ଫୋରଣ ଧମକ ମିଳିବା କ୍ଷଣି  ମୁମ୍ବାଇ ପୁଲିସର ନିଦ ହଜିଯାଇଛି । ବିଭିନ୍ନ  ପ୍ରମୁଖ ସ୍ଥାନରେ ଅଧିକ ପୁଲିସ କର୍ମୀ ମୁତୟନ  କରାଯାଇଛି । ଆଜି ଗଣେଶ ଉତ୍ସବର ଅନ୍ତିମ ଦିନ ତଥା ଅନନ୍ତ ଚତୁର୍ଦ୍ଦଶୀ ।  ଫଳରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଗଣେଶ ବିସର୍ଜନ  ପାଇଁ ବାହାରକୁ ବାହାରିବେ । ତେଣୁ ସୁରକ୍ଷା  କଡ଼ାକଡ଼ି କରାଯାଇଛି । କେତେକ ସ୍ଥାନରେ  କମ୍ବିଂ ଅପରେସନ ଜୋରଦାର ହୋଇଛି ।  ଏଭଳି ପରିସ୍ଥିତିରେ କୌଣସି ପ୍ରକାର  ଗୁଜବକୁ ବିଶ୍ୱାସ ନ କରିବାକୁ ଜନତାଙ୍କୁ ଅପିଲ୍‌ କରାଯାଇଛି । ଏହାଛଡ଼ା ସନ୍ଦିଗ୍ଧ ଗତିବିଧି  ନଜରକୁ ଆସିଲେ ତୁରନ୍ତ ପୁଲିସକୁ ସୂଚନା  ଦେବାକୁ କୁହାଯାଇଛି । ପୁଲିସକୁ ମେସେଜ୍‌ ପଠାଇଥିବା ବ୍ୟକ୍ତି  ନିଜକୁ ‘ଲସ୍କର-ଏ-ଜିହାଦୀ’ ସଙ୍ଗଠନର ସଦସ୍ୟ ଦର୍ଶାଇଛି । ମେସେଜ୍‌ରେ ଆହୁରି  କୁହାଯାଇଛି ଯେ ୧୪ ଆତଙ୍କବାଦୀ ଭାରତରେ  ପଶିସାରିଛନ୍ତି । ସେମାନେ ୪୦୦ କିଲୋ  ଆର୍‌ଡିଏକ୍ସ ଦ୍ୱାରା ବିସ୍ଫୋରଣ ଘଟାଇବାକୁ  ଯାଉଛନ୍ତି । ପୁଲିସ ଅଧିକାରୀ ଏବେ ଘନଘନ  ବୈଠକ ଆରମ୍ଭ କରିଦେଇଛନ୍ତି । ଘଟଣା  ଉପରେ ଅହରହ ନଜର ରଖିବାକୁ ସ୍ୱତନ୍ତ୍ର ଟିମ୍‌  ମୁତୟନ କରାଯାଇଛି । ସର୍ବସାଧାରଣ ସ୍ଥାନରେ  ସତର୍କତା ବୃଦ୍ଧି କରାଯାଇଛି ।

ଅନ୍ୟପକ୍ଷରେ ଏହା ଏକ ମିଥ୍ୟା ଧମକ ହୋଇପାରେ  ବୋଲି ମଧ୍ୟ ଅନୁମାନ କରାଯାଉଛି । ଏହା ପୂର୍ବରୁ ଅଗଷ୍ଟ  ୨୫ରେ ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ରେଳଷ୍ଟେସନକୁ ବୋମାରେ ଉଡ଼ାଇବାକୁ ଧମକ ଦେବା ଅଭିଯୋଗରେ  ଜଣେ ୪୩ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା ।  ତଦନ୍ତ ପରେ ଉକ୍ତ ଧମକ ମିଥ୍ୟା ପ୍ରମାଣିତ ହୋଇଥିଲା । ୧୯୯୩ ମାର୍ଚ୍ଚ ୧୨ରେ ମୁମ୍ବାଇରେ ସିରିଜ ବୋମା  ବିସ୍ଫୋରଣ ଘଟି ୨୫୭ ପ୍ରାଣ ହରାଇଥିଲେ । ୨୦୦୨  ଡିସେମ୍ବର ୨ରେ ବିସ୍ଫୋରଣ ଘଟି ଅନେକ ପ୍ରାଣହାନି ହୋଇଥିଲା । ୨୦୦୩ରେ ଜାନୁଆରୀରୁ ଅଗଷ୍ଟ ମଧ୍ୟରେ  ୪ ଥର ବୋମା ବିସ୍ଫୋରଣ ହୋଇଥିଲା । ସେହିଭଳି  ୨୦୦୬ ଜୁଲାଇ ୧୧ରେ ବିଭିନ୍ନ ଟ୍ରେନ୍‌ରେ ୭ଟି ବିସ୍ଫୋରଣ  ଘଟି ୧୮୯ ପ୍ରାଣ ହରାଇଥିଲେ । ୨୦୦୮ ନଭେମ୍ବର  ୨୬ରେ ତାଜ୍‌ ହୋଟେଲ୍‌, ରେଳଷ୍ଟେସନ ଓ ହସ୍ପିଟାଲରେ  ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିରେ ପ୍ରାୟ ୮୦  ଜଣଙ୍କ ମୃତ୍ୟୁ ଘଟିଥିଲା । ୨୫୦ ଆହତ ହୋଇଥିଲେ ।  ୨୦୧୧ ଜୁଲାଇ ୧୩ରେ ୩ଟି ପୃଥକ୍‌ ସ୍ଥାନରେ ବିସ୍ଫୋରଣ  ଘଟି ୧୯ ଜଣଙ୍କ ମୃତ୍ୟୁ ହୋଇଥିଲା