ନୂଆଦିଲ୍ଲୀ: ମୁମ୍ବାଇ ସହରରେ ପଶିଛନ୍ତି ୧୪ ଆତଙ୍କବାଦୀ। ମୁମ୍ବାଇ ଟ୍ରାଫିକ ପୋଲିସକୁ ଏଭଳି ଏକ ଧମକପୂର୍ଣ୍ଣ ମେସେଜ୍ ମିଳିଛି। ଏହି ମେସେଜ୍ କଣ୍ଟ୍ରୋଲ ରୁମକୁ ଆସିଥିଲା। କୁହାଯାଉଛି ଯେ, ଆତଙ୍କବାଦୀଙ୍କ ପାଖରେ ୪୦୦ କିଲୋ RDX ମଧ୍ୟ ଅଛି। ସେମାନେ ଏହାକୁ ଗାଡ଼ିରେ ରଖିଛନ୍ତି। ମେସେଜ୍ ଆସିବା ପରଠାରୁ ପୋଲିସ ପୂରା ସହରରେ ସତର୍କ ରହିଛି। ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି।
ଅଧିକାରୀ କହିଛନ୍ତି ଯେ, ଗଣେଶ ଉତ୍ସବର ୧୦ମ ଦିନରେ ଅନନ୍ତ ଚତୁର୍ଦ୍ଦଶୀ ପାଇଁ ପୋଲିସ ସୁରକ୍ଷା ବ୍ୟବସ୍ଥା କରୁଛି। ଏହି ସମୟରେ, ଟ୍ରାଫିକ୍ ପୋଲିସ କଣ୍ଟ୍ରୋଲ ରୁମକୁ ହ୍ୱାଟ୍ସଆପ୍ ହେଲ୍ପଲାଇନ୍ରେ ଏକ ଧମକପୂର୍ଣ୍ଣ ମେସେଜ୍ ମିଳିଥିଲା। ତେବେ କ୍ରାଇମ୍ ବ୍ରାଞ୍ଚ ଧମକପୂର୍ଣ୍ଣ ମେସେଜ୍ର ତଦନ୍ତ ଆରମ୍ଭ କରିଛି ଏବଂ ଆତଙ୍କବାଦ ବିରୋଧୀ ସ୍କ୍ୱାଡ୍ (ATS) ଏବଂ ଅନ୍ୟାନ୍ୟ ସଂସ୍ଥା ଗୁଡ଼ିକୁ ମଧ୍ୟ ସୂଚନା ଦିଆଯାଇଛି।
ଅଧିକାରୀ କହିଛନ୍ତି ଯେ, ମେସେଜ୍ ପଠାଇଥିବା ବ୍ୟକ୍ତି ଏଥିରେ 'ଲସ୍କର-ଏ-ଜିହାଦି' ନାମକ ଏକ ସଂଗଠନର ନାମ ଲେଖିଛନ୍ତି। ସେ ଦାବି କରିଛନ୍ତି ଯେ ୧୪ ଜଣ ଆତଙ୍କବାଦୀ ସହରରେ ପ୍ରବେଶ କରିଛନ୍ତି ଏବଂ ସେମାନେ ୩୪ଟି ଗାଡ଼ିରେ ୪୦୦ କିଲୋ RDX ରଖିଛନ୍ତି, ଯାହା ଦେଶକୁ ଥରାଇ ଦେବ।
ସୂଚନାଥାଉକି ଏବେ, ମୁମ୍ବାଇରେ ୧୦ ଦିନିଆ ଗଣେଶ ଉତ୍ସବ ପାଳନ କରାଯାଉଛି। ଶନିବାର ଶେଷ ଦିନରେ ସହରର ରାସ୍ତାରେ ଭିଡ଼ ଲାଗିବାକୁ ଥିବା ନେଇ ପୋଲିସ ସୁରକ୍ଷା ବ୍ୟବସ୍ଥା କରୁଛି। ପୋଲିସ ଏହି ମେସେଜ୍ କିଏ ପଠାଇଛି ତାହା ଜାଣିବାକୁ ଚେଷ୍ଟା କରୁଛି, ଏବଂ କୌଣସି ଅପ୍ରୀତିକର ଘଟଣା ରୋକିବା ପାଇଁ ସତର୍କତା ମୂଳକ ପଦକ୍ଷେପ ନେଉଛି। ଅଧିକାରୀ କହିଛନ୍ତି ଯେ ପ୍ରମୁଖ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି ଏବଂ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ୍ କରାଯାଉଛି।