ମୁମ୍ବାଇ: ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ଵରେ ୧୫ ତମ ଇରାନୀ କପ୍ ଜିତିଛି ମୁମ୍ବାଇ । ୨୦୨୪ ର ଇରାନୀ କପ୍ ଟାଇଟଲ୍ ଜିତିଛି ଦଳ । ଦୀର୍ଘ ୨୭ ବର୍ଷ ପରେ ମୁମ୍ବାଇ ଏହି ଟ୍ରଫି ଜିତିବାରେ ସଫଳ ହୋଇଛି । ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ମୁମ୍ବାଇକୁ ବିଜେତା ଘୋଷଣା କରାଯାଇଛି । ୨୨୨ ରନର ଦ୍ଵିଶତକୀୟ ଇନିଂସ ଖେଳିଥିବା ସରଫରାଜ ଖାନ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ପ୍ରଥମ ଇନିଂସରେ ୫୩୭ ରନର ବିଶାଳ ସ୍କୋର କରିଥିଲା। ଜବାବରେ ଅବଶିଷ୍ଟ ଭାରତ ୪୧୬ ରନ କରିଥିଲା । ଅବଶିଷ୍ଟ ଭାରତ ପକ୍ଷରୁ ଅଭିମନ୍ୟୁ ଈଶ୍ଵରନ ୧୯୧ ରନର ଦମଦାର ଇନିଂସ ଖେଳିଥିଲେ। ଏଥିରେ ୧୬ ଚୌକା ଓ ଗୋଟିଏ ଛକା ସାମିଲ। ଏହା ପରେ ମୁମ୍ବାଇ ଦ୍ଵିତୀୟ ଇନିଂସରେ ୮ ଓ୍ଵିକେଟ୍ ହରାଇ ୩୨୯ ରନ କରିଥିଲା। ତନୁଷ କୋଟିଆନ ୧୧୪ ରନର ଅପରାଜିତ ପାଳି ଖେଳିଥିଲେ।
ମୁମ୍ବାଇ ପ୍ରଥମ ଥର ୧୯୫୯-୬୦ରେ ପ୍ରଥମ ଇରାନୀ କପ୍ ଜିତିଥିଲା। ସେହି ସମୟରେ ଦଳର ନାଁ ବମ୍ବେ ଥିଲା। ଏହା ପରଠୁ ଦଳ ଏ ପର୍ଯ୍ୟନ୍ତ ମୋଟ୍ ୧୫ ଥର ଟାଇଟଲ୍ ଜିତିଛି । ଶେଷ ଥର ଦଳ ୧୯୯୭-୯୮ରେ ଚାମ୍ପିଅନ ହୋଇଥିଲା । ଆଉ ଏବେ ମୁମ୍ବାଇ ୨୭ ବର୍ଷ ପରେ ଏହି ଟ୍ରଫି ଜିତିବାରେ ସଫଳ ହୋଇଛି। ସରଫରାଜ ପ୍ରଥମ ଇନିଂସରେ ୨୮୬ ବଲରୁ ୨୫ ଚୌକା ଓ ୪ ଛକା ସହ ୨୨୨ ରନ କରିଥିଲେ। ଅଧିନାୟକ ଆଜିଙ୍କ୍ୟ ରାହାଣେ ୯୭ ରନ, ତନୁଷ କୋଟିଆନ ୬୪ ରନ କରିଥିଲେ। ତନୁଷ ଦ୍ଵିତୀୟ ଇନିଂସରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ଶତକ ଅର୍ଜନ କରିଥିଲେ। ଟିମ୍ର ଏହି ଦମଦାର ବିଜୟ ଲାଗି ଖେଳାଳିଙ୍କୁ ପ୍ରଶଂସା କରିଛନ୍ତି ମୁମ୍ବାଇ କ୍ରିକେଟ ଆସୋସିଏସନ୍ର ସଭାପତି ଆଜିଙ୍କ୍ୟ ନାୟକ ।