ମୁମ୍ବାଇ: ମୁମ୍ବାଇରେ ମୌସୁମୀ ବର୍ଷା ଏକ ଐତିହାସିକ ରେକର୍ଡ ସୃଷ୍ଟି କରିଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ମୌସୁମୀ ବର୍ଷା ମୁମ୍ବାଇରେ ୬୯ ବର୍ଷରେ ସବୁଠୁ ଶୀଘ୍ର ଅର୍ଥାତ୍ ମଇ ୨୬ରେ ପହଞ୍ଚିଛି। ଦେଖିବାକୁ ଗଲେ ସାଧାରଣ ତାରିଖ ଜୁନ ୧୧ ତାରିଖ ସୁଦ୍ଧା ମୁମ୍ୱାଇରେ ମୌସୁମୀ ବାୟୁ ପ୍ରବେଶ କରିଥାଏ। ତେବେ ଚଳିତ ବର୍ଷ ଏହା ୧୬ ଦିନ ଆଗରୁ ମୁମ୍ୱାଇ ଛୁଇଁଛି। ଏହା ସହିତ, ମଇ ମାସରେ ରେକର୍ଡ ହୋଇଥିବା ବର୍ଷା ବିଗତ ୧୦୭ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି। କୋଲାବା ପାଣିପାଗ କେନ୍ଦ୍ରରେ ୨୯୫ ମିଲିମିଟର ବର୍ଷା ରେକର୍ଡ ହୋଇଛି, ଯାହା ୧୯୧୮ରେ ହୋଇଥିବା ୨୭୯.୪ ମିଲିମିଟର ବର୍ଷାର ରେକର୍ଡକୁ ଅତିକ୍ରମ କରିଛି।

ସୋମବାର ସକାଳୁ ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ସହରର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ଏହା ଟ୍ରାଫିକ ଜାମ, ରାସ୍ତାଘାଟ ବନ୍ଦ ଏବଂ ଲୋକାଲ ଟ୍ରେନ ସେବାରେ ବାଧା ସୃଷ୍ଟି କରିଛି। କୁର୍ଲା, ସିଓନ, ଦାଦର ଏବଂ ପରେଲ ଭଳି ନିମ୍ନାଞ୍ଚଳରେ ଜଳମଗ୍ନ ସ୍ଥିତି ଅଧିକ ଦେଖାଦେଇଛି। ମୁମ୍ବାଇ ମହାନଗର ପାଳିକା(BMC) ଅନୁଯାୟୀ, ନାରିମାନ ପଏଣ୍ଟରେ ମାତ୍ର ଏକ ଘଣ୍ଟାରେ ୧୦୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଆଇଏଡି ମୁମ୍ବାଇ, ଥାନେ, ରାୟଗଡ ଏବଂ ରତ୍ନଗିରି ପାଇଁ ରେଡ ଆଲର୍ଟ ଜାରି କରିଛି। ଯେଉଁଥିରେ ପ୍ରବଳ ବର୍ଷା ଏବଂ ୫୦-୬୦ କିଲୋମିଟର ବେଗରେ ଝଡ଼ତୋଫାନ ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ପୂର୍ବରୁ ଜାରି ହୋଇଥିବା ହଳଦିଆ ଆଲର୍ଟକୁ ରେଡ ଆଲର୍ଟକୁ ପରିବର୍ତ୍ତନ କରାଯାଇଛି।

ଏହି ବର୍ଷା ଯୋଗୁଁ ନବନିର୍ମିତ ଆକ୍ୱା ଲାଇନ ୩ର ଅଚାର୍ଯ୍ୟ ଆତ୍ରେ ଚୌକ ମେଟ୍ରୋ ଷ୍ଟେସନ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ହାର୍ବର ଲାଇନରେ ଟ୍ରେନ ସେବା ବନ୍ଦ ରହିଥିବା ବେଳେ CSMT ନିକଟସ୍ଥ ରାସ୍ତାଗୁଡ଼ିକରେ ମଧ୍ୟ ଜଳମଗ୍ନ ସ୍ଥିତି ଦେଖାଦେଇଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଜିଲ୍ଲା ପ୍ରଶାସନକୁ ଏନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ NDRF ଓ SDRF ସହାୟତା ପାଇଁ ମୁତୟନ ହୋଇଛନ୍ତି।

ବିଶେଷଜ୍ଞମାନେ ଏହି ଅସାଧାରଣ ବର୍ଷାକୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବୋଲି ମନ୍ତବ୍ୟ ଦେଇଛନ୍ତି। ସହରବାସୀଙ୍କୁ ସତର୍କ ରହିବା ଏବଂ ଆଇଏମଡିର ନିର୍ଦ୍ଦେଶ ଅନୁସରଣ କରିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।