ନୂଆଦିଲ୍ଲୀ, ୩।୧୦: ଜର୍ମାନୀର ବ୍ୟସ୍ତବହୁଳ ମ୍ୟୁନିଖ ବିମାନବନ୍ଦର ଆକାଶରେ ଉଡ଼ିଲା ଡ୍ରୋନ୍ । ଗୁରୁବାର ସନ୍ଧ୍ୟାରେ ସନ୍ଦିଗ୍ଧ ଡ୍ରୋନ୍ ଉଡୁଥିବାର ଦେଖିବାକୁ ମିଳିଛି । ଯାହାକୁ ଦୃଷ୍ଟିରେ ରଖି ବିମାନବନ୍ଦରରୁ ବେସାମରିକ ବିମାନ ଉଡ଼ାଣକୁ ବାତିଲ କରାଯାଇଛି । ପ୍ରାୟ ୧୭ଟି ବିମାନ ଉଡ଼ାଣ ରଦ୍ଦ କରାଯାଇଛି । ଯାହା ଫଳରେ ପାଖାପାଖି ୩ ହଜାରରୁ ଅଧିକ ଯାତ୍ରୀ ପ୍ରଭାବିତ ହୋଇଛନ୍ତି । ଜର୍ମାନୀ ବିମାନବନ୍ଦର ପ୍ରାଧିକରଣ ସଂସ୍ଥା ଶୁକ୍ରବାର ଏକ ବୟାନ ଜାରି କରି ଏନେଇ ସ୍ପଷ୍ଟ କରିଛି । ଏହି ଘଟଣା ଗୁରୁବାର ରାତି ପାଖାପାଖି ୧୦ଟା ପରେ ଘଟିଛି । ବିମାନବନ୍ଦର ପରିସରରେ ଡ୍ରୋନ୍ ଉଡ଼ୁଥୁବାର ନଜର ଆସିଥିଲା । ମ୍ୟୁନିଖ ବିମାନବନ୍ଦର ଦକ୍ଷିଣ ଜର୍ମାନୀର ବେବରିଆ ପ୍ରାନ୍ତରେ ଅବସ୍ଥିତ । ଏହା ଚଳିତ ବର୍ଷ ୬ ମାସ ମଧ୍ୟରେ ପାଖାପାଖି ୨ କୋଟି ଯାତ୍ରୀଙ୍କୁ ସେବା ପ୍ରଦାନ କରିଛି ।  

ବିମାନ ବନ୍ଦର ଅଧିକାରୀଙ୍କ କହିବାନୁସାରେ, ପୁଲିସ ଓ ଅଗ୍ନିଶମ ବିଭାଗକୁ ତୁରନ୍ତ ସତର୍କ କରାଯାଇଥିଲା ଏଥିସହ ବର୍ତ୍ତମାନ ଯାଞ୍ଚ ଜାରି ରହିଛି । ତେବେ ଡ୍ରୋନଟି କେଉଁଠୁ ଆସିଲା, ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । କିଛି ସପ୍ତାହ ପୂର୍ବରୁ ଡେନମାର୍କ କୋପେନହାଗେନ ଓ ନର୍ଭର ଆସଲୋ ବିମାନବନ୍ଦରରେ ମଧ୍ୟ ଡ୍ରୋନ ଉଡ଼ୁଥିବା ଦେଖାଯାଇଥିଲା । ଯାହା ଫଳରେ ଉଡ଼ାଣ ପ୍ରଭାବିତ ହୋଇଥିଲା । ପରେ ଡେନମାର୍କ ନାଗରିକ ଡ୍ରୋନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ବିଶେଷଜ୍ଞଙ୍କ କହିବାନୁସାରେ, ଏହି ଘଟଣା ଦେଶର ସୁରକ୍ଷା ପ୍ରତି ବିପଦ ଥିବାର ସଙ୍କେତ ଦେଉଛି । ବିଶେଷ କରି ନାଟୋ ସଦସ୍ୟ ଦେଶଗୁଡ଼ିକର ବିମାନକ୍ଷେତ୍ରଗୁଡ଼ିକରେ । ମ୍ୟୁନିଖ ବିମାନବନ୍ଦର ଯାତ୍ରୀମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରିବା ସହ ଅଧିକାରିକ ୱେବସାଇଟରେ ଅପଡେଟ୍ ଚେକ୍ କରିବାକୁ ପରାମର୍ଶ ଦେଇଛି । ତେବେ ଏ ପର୍ଯ୍ୟନ୍ତ କୌଣସି କ୍ଷତିର ସୂଚନା ମିଳିନାହିଁ । କିନ୍ତୁ, ତଦନ୍ତ ଏଜେନ୍ସି ଡ୍ରୋନ୍ ପଛରେ କୌଣସି ସମ୍ଭାବ୍ୟ ବିପଦ ରହିଛି କି ନାହିଁ ସେନେଇ ଯାଞ୍ଚ ଜାରି ରଖିଛି ।