ଭୁବନେଶ୍ୱର, ୨୮/୧୧ : ଖାଲି ସହର ନୁହେଁ, ଗାଁରେ ବି ଅଳିଆର ପାହାଡ଼ ଛିଡ଼ା ହେଲାଣି । କେଉଁଠି ପୋଖରୀ କୂଳରେ ତ ଆଉ କେଉଁଠି ଗାଁ ମୁଣ୍ଡରେ ଶୁଖିଲା ଓ ପ୍ଲାଷ୍ଟିକ୍‌ ଅଳିଆ ଗଦା ହୋଇ ରହୁଛି । ଲୋକେ ଘର ବାଡ଼ି ପଛ ପଟେ ଅଳିଆ ଫିଙ୍ଗି ଦେଉଛନ୍ତି । ଅଳିଆ ଅଧିକ ହେଲେ ନିଆଁ ଲଗାଇ ପୋଡ଼ି ଦେଉଛନ୍ତି । ଏହା ପରିବେଶ ଉପରେ ଗଭୀର ପ୍ରଭାବ ପକାଉଛି । ବର୍ଜ୍ୟର ଏହି ବିଷ ବଳୟରେ ରୋକ୍‌ ଲଗାଇବାକୁ ସରକାର ବଡ଼ ଯୋଜନା କରିଛନ୍ତି ।

ଏଣିକି ଗାଁରୁ ବାହାରୁଥିବା ଅଳିଆକୁ ସହରକୁ ଆଣି ପ୍ରକ୍ରିୟାକରଣ କରିବାକୁ ନିଷ୍ପତ୍ତି ହୋଇଛି । ଏବେ ସହର ପାଖ ବିଭିନ୍ନ ପଞ୍ଚାୟତରେ ଥିବା ଗାଁରୁ ବାହାରୁଥିବା ଶୁଖିଲା ବର୍ଜ୍ୟ ଓ ପ୍ଲାଷ୍ଟିକ୍‌ ବର୍ଜ୍ୟକୁ ପ୍ରକ୍ରିୟାକରଣ କରାଯିବ । ପ୍ରଥମ ଦଫାରେ ୧୧୫ ବ୍ଲକ୍‌ରେ ଥିବା ୩୧ ଲକ୍ଷ ଘରୁ ବାହାରୁଥିବା ବର୍ଜ୍ୟକୁ ପାଖରେ ଥିବା ସହର(ଏନ୍‌ଏସି, ପୌରପାଳିକା ଓ ମହାନଗର ନିଗମ)କୁ ନିଆଯିବ । ସହରାଞ୍ଚଳରେ ଥିବା ଏମଆରଏଫ୍‌ (ମ୍ୟାଟେରିଆଲ ରିକଭରି ଫ୍ୟାସିଲିଟି) ରେ ଏହି ଶୁଖିଲା ଓ ପ୍ଲାଷ୍ଟିକ ବର୍ଜ୍ୟକୁ ପ୍ରକ୍ରିୟାକରଣ କରାଯିବ । ଏମଆରଏଫ୍‌ ମାଧ୍ୟମରେ ଶୁଖିଲା ବର୍ଜ୍ୟ, ବିଶେଷ କରି ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ବର୍ଜ୍ୟ, ପେପର, ମେଟାଲ୍‌ ଓ ଗ୍ଲାସ୍‌କୁ ପୁନଃ ବ୍ୟବହାରଯୋଗ୍ୟ କରାଯାଉଛି । ବର୍ଜ୍ୟରୁ ସମ୍ବଳ ସୃଷ୍ଟି କରିବା ଯୋଗୁ ରାଜସ୍ୱ ଆସିବା ନିଯୁକ୍ତି ବଢୁଛି ଓ ବର୍ଜ୍ୟର ବୋଝ ବି କମୁଛି । ବର୍ଜ୍ୟର ବୋଝ ବଢ଼ିଲେ ଏହାକୁ ଲ୍ୟାଣ୍ଡଫିଲ୍‌ କରିବାର ଆବଶ୍ୟକତା ପଡେ । କିନ୍ତୁ ଏମଆରଏଫ୍‌ ଜରିଆରେ ବର୍ଜ୍ୟ ପ୍ରକ୍ରିୟାକରଣ ହୋଇଯିବା ଯୋଗୁ ଲ୍ୟାଣ୍ଡଫିଲ୍‌ର ଆବଶ୍ୟକତା ବହୁ ପରିମାଣରେ କମ୍‌ ହୋଇଥାଏ । ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ୍‌ ଓ ପଲିଥିନ ବ୍ୟବହାର ବହୁମାତ୍ରାରେ ବଢ଼ିଛି । ଗାଁରେ ଏହାର ବ୍ୟବହାର ଓ ବାହାରୁଥିବା ପ୍ଲାଷ୍ଟିକ୍‌ ବର୍ଜ୍ୟର ପରିମାଣ ପୂର୍ବ ତୁଳନାରେ ଯଥେଷ୍ଟ ବଢ଼ିଛି । ଏଣୁ ଏହି ବର୍ଜ୍ୟରୁ ପ୍ରକ୍ରିୟାକରଣ କରିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି । ଏବେ ରାଜ୍ୟର ୧୧୫ ସହରାଞ୍ଚଳରେ ଏମଆରଏଫ୍‌ ରହିଛି । ଏହି ସହରାଞ୍ଚଳରେ ଯେତିକି ଏମଆରଏଫ୍‌ ରହିଛି ସେଥିରେ ପ୍ରତିଦିନ ୨୩୯୦ ଟନ୍‌ ବର୍ଜ୍ୟ ପ୍ରକ୍ରିୟାକରଣ ହୋଇପାରିବ । କିନ୍ତୁ ସହରାଞ୍ଚଳରେ ଏମଆରଏଫ୍‌ର ଯେତିକି କ୍ଷମତା ରହିଛି, ତାର ପୂର୍ଣ୍ଣ ଉପଯୋଗ ହୋଇପାରୁନି । ଏହାର ନିର୍ମାଣ ଓ ଏହାର ପରିଚାଳନା ବାବଦରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏମଆରଏଫ୍‌ ଗୁଡ଼ିକ ଯେଭଳି ଠିକ୍‌ରେ ଚାଲିବ, ସେଥିପାଇଁ ଗାଁରୁ ଶୁଖିଲା ଅଳିଆ ଆଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।  

ପ୍ରଥମ ପର୍ଯ୍ୟାୟରେ ୧୧୫ଟି ବ୍ଲକ୍‌ ବା ୨୩୮୭ ପଞ୍ଚାୟତରୁ ଅଳିଆ ଆସିବ । ବ୍ଲକ୍‌ ପାଖରେ ଥିବା ସହରାଞ୍ଚଳ ସହ ଏହା ଟ୍ୟାଗ୍‌ ହେବ । ସଂପୃକ୍ତ ଏନ୍‌ଏସି, ପୌର ସଂସ୍ଥା ବା ମହାନଗର ନିଗମ ନିଜେ ଗାଡ଼ି ଲଗାଇ ଅଳିଆକୁ ବୋହି ଆଣିବେ । ଅଳିଆର ପରିମାଣକୁ ଦେଖି କେତେ ଗାଡ଼ି ନିୟୋଜିତ କରିବେ ତାହା ସେମାନେ ନିଜେ ନିଷ୍ପତ୍ତି ନେବେ ।   ପଞ୍ଚାୟତର ଗୋଟିଏ ସ୍ଥାନରେ ଅଳିଆ ସଂଗ୍ରହ ପଏଣ୍ଟ ରହିବ । ପଞ୍ଚାୟତର ବିଭିନ୍ନ ଗାଁରୁ ଅଳିଆ ଆସି ଏଠାରେ ଗଦା ହେବ । ବର୍ଜ୍ୟ ପୃଥକୀକରଣ ପାଇଁ ସ୍ୱଚ୍ଛ କର୍ମୀମାନେ ନିୟୋଜିତ ହେବେ । ସେମାନେ ଉତ୍ସରୁ ବା ଅଳିଆ ସଂଗ୍ରହ ସ୍ଥାନରୁ ବର୍ଜ୍ୟକୁ ପୃଥକୀକରଣ କରିବେ । ଶୁଖିଲା ଅଳିଆକୁ ବାଛି ଏଥିରୁ ପ୍ଲାଷ୍ଟିକ୍‌, କପଡ଼ା, କାଗଜ, ଧାତୁ ଓ କାଚ ଅଲଗା କରିବେ । ଏହାକୁ ଗାଡ଼ିରେ ଲଦି ସହରକୁ ପଠାଇବେ । ଅଳିଆ ପୃଥକୀକରଣରେ ନିୟୋଜିତ ସ୍ୱଚ୍ଛ କର୍ମୀମାନେ ପିପିଇ କିଟ୍‌ ପିନ୍ଧି ଏହି କାମ କରିବେ । ଅଳିଆ କିଭଳି ସଂଗ୍ରହ ଓ ପୃଥକୀକରଣ ହେବ, କେମିତି ଗାଡ଼ିରେ ପରିବହନ ହୋଇ ଏମଆରଏଫ୍‌ ଯାଏ ଆସିବ ଓ ଏହାପରେ କିଭଳି ପ୍ରକ୍ରିୟାକରଣ କରାଯିବ, ସେ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏସ୍‌ଓପି ଆଣିଛି । ନଗର ଉନ୍ନୟନ ବିଭାଗର ସ୍ୱଚ୍ଛ ଓଡ଼ିଶା ପାଣ୍ଠି ସହ ପଞ୍ଚାୟତିରାଜ ବିଭାଗର କେନ୍ଦ୍ରୀୟ ଅର୍ଥ କମିଶନ ଆୟୋଗ(ସିଏଫ୍‌ସି) ଓ ରାଜ୍ୟ ଅର୍ଥ କମିଶନ(ଏସ୍‌ଏଫସି) ପାଣ୍ଠିରୁ ଏହି ଅଳିଆ ପ୍ରକ୍ରିୟାକରଣ ଖର୍ଚ୍ଚ ତୁଲାଇବାକୁ ଏସ୍‌ଓପିରେ ବ୍ୟବସ୍ଥା ରହିଛି । ଏଥିପାଇଁ ସର୍ଭେ ସରିଛି । ଖୁବ୍‌ଶୀଘ୍ର ଗାଁରୁ ଅଳିଆ ଆଣି ସହରରେ ପ୍ରକ୍ରିୟାକରଣ କରାଯିବ ବୋଲି ସୂଚନା ମିଳିଛି।