ନୂଆଦିଲ୍ଲୀ,୧୮।୬: ଭାରତର ବିଭାଜନ କରି ୧୯୭୧ ଯୁଦ୍ଧର ପ୍ରତିଶୋଧ ନେବୁ।  ଏଭଳି କିଛି କହିଛନ୍ତି ପାକିସ୍ତାନ ସେନା ମୁଖ୍ୟ ତଥା ନୂତନ ଫିଲ୍ଡ ମାର୍ଶାଲ ସୟଦ ଅସୀମ ମୁନୀର। ଆମେରିକାରେ ଥିବା ପାକିସ୍ତାନୀଙ୍କୁ ସମ୍ବୋଧନ କରି ଭାରତ ବିରୋଧରେ ବିଷ ଓଗାଳିଛନ୍ତି ମୁନୀର। ଏପରିକି ନିକଟରେ ହୋଇଥିବା ଭାରତ-ପାକ୍ ସଂଘର୍ଷରେ ପାକିସ୍ତାନ ଜିତିଥିଲା ବୋଲି କହିଛନ୍ତି ମୁନୀର। 

ପାକିସ୍ତାନର  ନୂତନ ଫିଲ୍ଡ ମାର୍ଶାଲ ତଥା ସେନା ମୁଖ୍ୟ ସୟଦ ଅସୀମ ମୁନୀର ଏବେ ଆମେରିକା ଗସ୍ତରେ ଅଛନ୍ତି। ସେ ଆମେରିକାରେ ଥିବା ପାକିସ୍ତାନୀ ସମ୍ପ୍ରଦାୟକୁ ସମ୍ବୋଧିତ କରିଥିଲେ। ମୁନୀର ଏହି ସମ୍ବୋଧନରେ ଭାରତ ବିରୁଦ୍ଧରେ ବିଷ ଓଗାଳିବାର ଏକ ମାଧ୍ୟମ ଭାବେ ବ୍ୟବହାର କରିଥିଲେ। ସେ ଗତ ମେ’ ମାସରେ ହୋଇଥିବା ୪ ଦିନିଆ ସାମରିକ ସଂଘର୍ଷରେ ପାକିସ୍ତାନର ବିଜୟ ହୋଇଥିବା ମିଛ କହିବାକୁ ମଧ୍ୟ ପଛାଇ ନଥିଲେ। ଏହି ସମୟରେ ମୁନୀର ଭାରତକୁ ଚ୍ୟାଲେଞ୍ଜ କରିଥିଲେ ଏବଂ ୧୯୭୧ ଯୁଦ୍ଧର ଲଜ୍ଜାଜନକ ପରାଜୟର ପ୍ରତିଶୋଧ ନେବାକୁ ଶପଥ ନେଇଥିଲେ। 

ମୁଲ୍ଲା ଜେନେରାଲ ଭାବରେ ଜଣାଶୁଣା ଅସୀମ ମୁନୀର ମଧ୍ୟ କଶ୍ମୀର ଉପରେ ମନ୍ତବ୍ୟ ଦେଇଥିଲେ। ଏହି ସମୟରେ ମୁନୀର କହିଥିଲେ, ପାକିସ୍ତାନ ଭାରତ ବିରୁଦ୍ଧରେ ପାଞ୍ଚଟି ମୋର୍ଚ୍ଚାରେ ଯୁଦ୍ଧ କରିଥିଲା, ଯେଉଁଥିରେ ସାଇବର ଯୁଦ୍ଧ ମଧ୍ୟ ଅନ୍ତର୍ଭୁକ୍ତ।  ପାକିସ୍ତାନୀ ସାଇବର ଆକ୍ରମଣକାରୀମାନେ ଭାରତର ୭୦ ପ୍ରତିଶତ ଗ୍ରୀଡ ଷ୍ଟେସନ ହ୍ୟାକ କରି ସେଗୁଡ଼ିକୁ ବନ୍ଦ କରିଦେଇଛନ୍ତି। ପାକିସ୍ତାନୀ ଡ୍ରୋନ୍‌ଗୁଡ଼ିକ ଦିଲ୍ଲୀ ଏବଂ ଗୁଜରାଟ ପର୍ଯ୍ୟନ୍ତ ଯାଇଛନ୍ତି। ସେ ଭାରତୀୟ ଟ୍ରେନ୍ ସିଷ୍ଟମକୁ ହ୍ୟାକ କରିବାର ମିଥ୍ୟା ଦାବି ମଧ୍ୟ କରିଥିଲେ।