ତାଳଚେର,୦୩/୦୧: ତାଳଚେର ଥାନା ସମ୍ମୁଖରେ ଯୁବକଙ୍କୁ ବିଭତ୍ସ ହତ୍ୟା । ମୃତକ ତାଳଚେର ଟାଉନ୍ ବଡଦାଣ୍ଡ ସାହିର ସନ୍ତୋଷ ମହାପାତ୍ର ବୋଲି ଜଣାପଡିଛି। ରୋଷେଇରେ ଟଙ୍କା ଦେଣନେଣକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଛି ସୂଚନା ମିଳିଛି। ତେବେ ଅଭିଯୁକ୍ତ ବଡଦାଣ୍ଡ ସାହି ଘୋଡାଶାଳର ଚଗଲା ଅମାନ୍ତ ହୋଇଥିବା ବେଳେ ସେ ଘଟଣାସ୍ଥଳରୁ ଫେରାର ଥିବା ଜଣାପଡିଛି।
ସୂଚନା ମୁତାବକ,ଥାନା ସମ୍ମୁଖରେ ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ସନ୍ତୋଷ ଥାନା ସମ୍ମୁଖ ରାସ୍ତାରେ ଯାଉଥିଲେ। ସେହି ସମୟରେ ସେଠାରେ ପୂର୍ବରୁ ଜଗି ରହିଥିବା ଚଗଲା ଲୁହାଛଡରେ ସନ୍ତୋଷ ମୁଣ୍ଡକୁ ଆକ୍ରମଣ କରିଥିଲା। ଏହାପରେ ସଙ୍ଗେ ସଙ୍ଗେ ତଣ୍ଟିରେ ପୁରେଇ ଦେଇଥିଲା । ଏନେଇ ସନ୍ତୋଷଙ୍କ ପ୍ରଚୁର ରକ୍ତସ୍ରାବ ହୋଇଥିବା ବେଳେ ତାଙ୍କୁ ତୁରନ୍ତ ତାଳଚେର ମୁଖ୍ୟ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଡାକ୍ତରଖାନା ସମେତ ତାଳଚେର ଥାନା ସମ୍ମୁଖରେ ଲୋକଙ୍କ ପ୍ରବଳ ଭିଡ ଜମି ରହିଛି। ରକ୍ତସ୍ରାବ ହୋଇ ପଡ଼ିଥିବା ସ୍ଥାନକୁ ପୁଲିସ ବାରିକେଡ ଲଗାଇ ଜଗି ରହିଛନ୍ତି । ପୁଲିସ ସାଇଣ୍ଟିଫିକ୍ ଟିମ ଅପରାହ୍ନରେ ଆସି ତଦନ୍ତ କରିବାର ରହିଛି । ଖୋଦ୍ ଥାନା ସମ୍ମୁଖରେ ଏଭଳି ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ତାଳଚେରରେ ପୁଲିସକୁ ଅପରାଧୀମାନେ ଆଉ ଭୟ କରୁନଥିବା ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।