ରାୟଗଡ଼ା,୧୫/୧୦: ସାମାନ୍ୟ ବଚସାକୁ କେନ୍ଦ୍ର କରି ହତ୍ୟାକାଣ୍ଡ। ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଭାଟଗୁଡା ଗାଁରେ ଘଟଣା ଘଟିଛି  ।  

ସୂଚନା ମୁତାବକ, ଭାଟଗୁଡ଼ା ଗାଁରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲୁଛି। ଏନେଇ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଅଞ୍ଚଳ ଶ୍ରମିକମାନେ ସେଠାରେ ରହି ନିର୍ମାଣ କାର୍ଯ୍ୟ କରୁଛନ୍ତି । ହେଲେ ଗତକାଲି ରାତି ପ୍ରାୟ ୧୦ଟା ବେଳେ କିଛି ଶ୍ରମିକଙ୍କ ମଧ୍ୟରେ ବଚସା ହୋଇଥିଲା । ସେଇଠୁ ଆରମ୍ଭ ହୋଇଥିଲା ଗଣ୍ଡଗୋଳ । କୁନାଲ ଲୋହୋରା ନାମକ ଜଣେ ଶ୍ରମିକ ଉତ୍ତ୍ୟକ୍ତ ହୋଇ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଏଥିରେ ଦିଲ୍ଲୀପ ଲୋହରା ନାମକ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସେହିପରି ଶ୍ରମିକ ‎ଲଲିତ୍ ମାଝୀ ଗୁରୁତର ଭାବେ ଆହତ ହୋଇଥିଲେ।  ଭାଟଗୁଡା ଗ୍ରାମବାସୀ ଆହତକୁ ଉଦ୍ଧାର କରି ଡାକ୍ତରଖାନା ପଠାଇବା ସହ ଅଭିଯୁକ୍ତକୁ କାବୁ କରି ବିଷମକଟକ ପୁଲିସକୁ ଜିମା ଦେଇଥିଲେ। ପୁଲିସ ଘଟଣାସ୍ଥଳରୁ ମୃତଦେହ ଜବତ କରି ହତ୍ୟାକାଣ୍ଡ ଭିଆଇଥିବା ଯୁବକଙ୍କୁ ପଚରାଉଚରା କରୁଛି ।ସେପଟେ ମୃତ ଯୁବକଙ୍କ ପରିବାର ଲୋକ ଆସିଲେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।