ଭୁବନେଶ୍ୱର,୦୨/୦୧: ଟୁଇନ୍‌ ସିଟିରେ ୨୦୨୩ ଅପେକ୍ଷା ୨୦୨୪ରେ ବିଭିନ୍ନ ଅପରାଧ ବଢ଼ିଛି । ପୂର୍ବ ବର୍ଷ ଅପେକ୍ଷା ୨୦୨୪ରେ ହତ୍ୟାର ହାର ୧୪% ବଢ଼ିଥିବା ବେଳେ ବଳାତ୍କାର ହାର  ୩% କମିଛି ବୋଲି ପୁଲିସ୍‌ କମିଶନର ଏସ୍‌. ଦେବ ଦତ୍ତସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା  ଦେଇଛନ୍ତି । କଟକ ଅପେକ୍ଷା ଭୁବନେଶ୍ୱର ୟୁପିଡିରେ  ଅପରାଧ ବଢ଼ିଛି ବୋଲି ସେ ସ୍ୱୀକାର କରିଛନ୍ତି ।

୨୦୨୩ରେ ଟୁଇନ୍‌ ସିଟିରେ ୭୮ଟି ହତ୍ୟା  ମାମଲା ରୁଜୁ ହୋଇଥିଲା । ୨୦୨୪ରେ ଥିଲା ୮୯ଟି  ହତ୍ୟା ମାମଲା । ଅର୍ଥାତ ୧୪.୧୦% ଅଧିକ । ତେବେ  ପୂର୍ବ ବର୍ଷ ଅପେକ୍ଷା ୨୦୨୪ରେ ଟୁଇନ୍‌ ସିଟିରେ  ବଳାତ୍କାର ହାର ୩.୮୮% କମିଛି । ୨୦୨୩ରେ  କଟକ-ଭୁବନେଶ୍ୱର ୟୁପିଡିରେ ୨୩୨ଟି ବଳାତ୍କାର  ମାମଲା ରୁଜୁ ହୋଇଥିଲା । ୨୦୨୪ରେ ୨୨୩ଟି  ମାମଲା ରୁଜୁ ହୋଇଛି । ଏଥିରୁ ୮୬ଟି ମାମଲା  କଟକର ବିଭିନ୍ନ ଥାନାରେ ରୁଜୁ ହୋଇଥିବା ବେଳେ  ୧୩୭ଟି ବଳାତ୍କାର ମାମଲା ଭୁବନେଶ୍ୱର ରୁଜୁ  ହୋଇଥିଲା । ଟୁଇନ୍‌ ସିଟିରେ ଡକାୟତି ମଧ୍ୟ  କମିଛି । ୨୦୨୩ରେ ମୋଟ୍‌ ୧୮ଟି ଡକାୟତି ମାମଲା  ରୁଜୁ ହୋଇଥିଲା । ୨୦୨୪ରେ ମାତ୍ର ୧୧ଟି ମାମଲା  ରୁଜୁ ହୋଇଛି । ପୂର୍ବ ବର୍ଷ ଅପେକ୍ଷା ଏହା ୩୮.୮୯%  କମ । ୨୦୨୪ରେ ଭୁବନେଶ୍ୱର ୟୁପିଡିରେ ୬ଟି ଓ  କଟକରେ ୫ଟି ଡକାୟତି ମାମଲା ରୁଜୁ ହୋଇଥିଲା ।  

୨୦୨୩ ତୁଳନାରେ ଗତବର୍ଷ ଚୋରି  ହାର କଟକରେ ୧୧.୬୫% ବଢି଼ଥିବାବେଳେ  ଭୁବନେଶ୍ୱରରେ ୬.୩୮% କମିଛି । ଯାହା ଭୁବନେଶ୍ୱର  କମିଶନରେଟ୍‌ ପୁଲିସ୍‌ ଇତିହାସରେ ପ୍ରଥମ ।  ୨୦୨୩ରେ କଟକର ବିଭିନ୍ନ ଥାନାରେ ୭୦୪ଟି ଚୋରି  ମାମଲା ରୁଜୁ ହୋଇଥିଲାବେଳେ ୨୦୨୪ରେ ୭୮୬ଟି  ମାମଲା ରୁଜୁ ହୋଇଥିଲା । ଭୁବନେଶ୍ୱର ୟୁପିଡିରେ  ୨୦୨୩ରେ ୧୯୪୩ଟି ଚୋରି ହୋଇଥିଲା । ୨୦୨୪ରେ  ୧୮୧୯ଟି ଚୋରି ହୋଇଥିବା ପୁଲିସ୍‌ ରିପୋର୍ଟ କରୁଛି ।  ତେବେ ଚୋରି କ୍ଷେତ୍ରରେ ପୁଲିସ୍‌ ଚାର୍ଜସିଟ୍‌ ଦେବା  ଓ ସମ୍ପତ୍ତି ଜବତ କରିବାରେ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି ।  ଚୋରି ହୋଇଥିବା ସମ୍ପତ୍ତି ମଧ୍ୟରୁ ମାତ୍ର ୧୫% ଜବତ  କରିବାରେ ସକ୍ଷମ ହୋଇଛି ।  ଠକେଇ ମାମଲାରେ ୨୦୨୪ ମସିହାରେ  ସର୍ବକାଳୀନ ରେକର୍ଡ କରିଛି ଭୁବନେଶ୍ୱର ।  ୨୦୨୩ରେ ୧୦୦୫ଟି ଠକେଇ ମାମଲା ରୁଜୁ  ହୋଇଥିଲା । 

୨୦୨୪ରେ ଏହି ସଂଖ୍ୟା ୧୩୧୪ରେ  ଛୁଇଁଛି । ପୂର୍ବ ବର୍ଷ ଅପେକ୍ଷା ୩୦.୭୫% ବଢ଼ିଛି ।  ମାତ୍ର କଟକରେ ୨୦୨୩ ଅପେକ୍ଷା ୨୦୨୪ରେ  ୧୦.୯୫% ଠକେଇ ହ୍ରାସ ପାଇଛି । ୨୦୨୪ରେ  କଟକରେ ୨୩ଟି ହତ୍ୟା ମାମଲା ରୁଜୁ ହୋଇଥିଲା ।  ୨୦୨୩ରେ ୨୬ଟି ଥିଲା । ଭୁବନେଶ୍ୱରରେ ୨୦୨୩ରେ  ୫୨ଟି ଓ ୨୦୨୪ରେ ୬୬ଟି ହତ୍ୟା ମାମଲା ରୁଜୁ  ହୋଇଥିଲା । ୨୦୨୩ ଅପେକ୍ଷା ୨୦୨୪ରେ ୨୬.୨୯%  ହତ୍ୟା ବଢ଼ିଛି ।  ସିନ୍ଧିଚୋରି (ବର୍ଗୁଲାରୀ) ମଧ୍ୟ ଟୁଇନ୍‌  ସିଟିରେ କମ୍‌ ରହିଛି । ୨୦୨୩ରେ ଟୁଇନ୍‌ ସିଟିରେ  ୬୩୮ଟି ମାମଲା ରୁଜୁ ହୋଇଥିଲା । ୨୦୨୪ରେ  ୫୩୫ଟି ସିନ୍ଧିଚୋରି ହୋଇଥିବା ନେଇ ବିଭିନ୍ନ  ଥାନାରେ ଅଭିଯୋଗ ହୋଇଥିଲା । ଯାହା ୧୬.୧୪%  କମ୍‌ । ୨୦୨୪ରେ କଟକ ୟୁପିଡିରେ ୧୬୬ଟି ଓ  ଭୁବନେଶ୍ୱରରେ ୩୬୯ଟି ସିନ୍ଧିଚୋର ହୋଇଥିଲା ।  

ଲୁଟ୍‌ ମଧ୍ୟ ଟୁଇନ୍‌ ସିଟିରେ କମିଛି । ୨୦୨୩ରେ  ୬୮୨ଟି ମାମଲା ରୁଜୁ ହୋଇଥିଲାବେଳେ ୨୦୨୪ରେ  ଥିଲା ୪୭୨ଟି ମାମଲା । ଯାହା ପୂର୍ବ ବର୍ଷ ତୁଳନାରେ  ୩୦.୭୯% କମ୍‌ । ୨୦୨୪ରେ ଭୁବନେଶ୍ୱରରେ  ୩୯୨ଟି ଲୁଟ୍‌ ଓ କଟକର ବିଭିନ୍ନ ଥାନାରେ ୮୦ଟି  ଲୁଟ୍‌ ମାମଲା ରୁଜୁ ହୋଇଥିଲା । କଟକ ଅପେକ୍ଷା  ଭୁବନେଶ୍ୱରରେ ଦୁର୍ଘଟଣା ଦେଢ ଗୁଣ ବଢ଼ିଛି ।  କଟକରେ ୨୦୨୪ରେ ୪୧୩ଟି ଦୁର୍ଘଟଣା ମାମଲା  ରୁଜୁ ହୋଇଥିଲାବେଳେ ଭୁବନେଶ୍ୱରରେ ୮୬୬  ଦୁର୍ଘଟଣା ମାମଲା ରୁଜୁ ହୋଇଥିଲା । ୨୦୨୩ରେ  ଭୁବନେଶ୍ୱରରେ ମୋଟ ୧୧୯୭୫ଟି ମାମଲା ରୁଜୁ  ହୋଇଥିଲା । ୨୦୨୪ରେ ୧୪୩୯୨ଟି ମାମଲା ରୁଜୁ  ହୋଇଥିଲା । ଯାହା ୨୦.୧୮% ଅଧିକା । ତେବେ  କଟକରେ ୨୦୨୩ରେ ମୋଟ ୭୪୩୫ଟି ମାମଲା  ରୁଜୁ ହୋଇଥିଲାବେଳେ ୨୦୨୪ରେ ୨.୮୮ ଧ ମାମଲା  କମିଥିଲା ଅର୍ଥାତ ୭୨୨୧ ଟି ମାମଲା ରୁଜୁ ହୋଇଥିଲା ।