ନୂଆଦିଲ୍ଲୀ ୨୩/୦୭: ଲସ୍‌ ଏଞ୍ଜେଲିସ୍‌ରେ ରେସ୍ତୋରାଁ ‘ଟେସ୍‌ଲା ଡାଇନର୍‌’ ଖୋଲିଛନ୍ତି ଏଲନ ମସ୍କ । ଏହି ଅତ୍ୟାଧୁନିକ ରେସ୍ତୋରାଁରେ ବର୍ଗର୍‌, ହଟ୍‌ ଡଗ୍‌ ଭଳି ବ୍ୟଞ୍ଜନ ମିଳୁଛି । ଏଠାରେ ବୈଦ୍ୟୁତିକ କାର୍‌ ଚାର୍ଜିଂ ପାଇଁ ୮୦ ସୁପର୍‌ଚାର୍ଜର୍‌ ଲାଗିଛି । ଯଦି କେହି ଟେସ୍‌ଲା କାର୍‌ରେ ଆସିବେ, ତେବେ କାର୍‌ର ସ୍କ୍ରିନ୍‌ରୁ ହିଁ ଖାଦ୍ୟ ଅର୍ଡର୍‌ କରିପାରିବେ । ତା’ସହିତ ୬୬ ଫୁଟର ଫିଲ୍ମ ସ୍କ୍ରିନ୍‌ର ଅଡିଓ ଟେସ୍‌ଲା କାର୍‌ର ସାଉଣ୍ଡ୍‌ ସିଷ୍ଟମ୍‌ ସହ ଯୋଡ଼ି ହୋଇଯିବ ।

୧୯୫୦ ଦଶକ ଷ୍ଟାଇଲ୍‌ର ଏହି ରେସ୍ତୋରାଁ ଉନ୍ମୋଚନ ପୂର୍ବରୁ ଅପ୍ଟିମସ୍‌ ରୋବୋ ପପ୍‌କର୍ନ ପରସିଥିଲା । ମସ୍କ ମଧ୍ୟ ଏଠାରେ ଡିନର୍‌ କଲେ । ସାଇବରଟ୍ରକ୍‌-ଷ୍ଟାଇଲ୍‌ ବାକ୍ସରେ ଏଠାରେ ଖାଦ୍ୟ ପରସାଯାଉଛି । ଏହି ରେସ୍ତୋରାଁ ପୁରୁଣା କାଳର ଆମେରିକୀୟ ରେସ୍ତୋରାଁ ସଂସ୍କୃତିକୁ ଭବିଷ୍ୟତର ଟେକ୍ନୋଲୋଜି ସହ ଯୋଡୁଛି । ୨୦୧୮ରେ ମସ୍କ ଏହି ରେସ୍ତୋରାଁ ବିଚାର ଶେୟାର କରିଥିଲେ । ରେସ୍ତୋରାଁ ବାହାରୁ ଠିକ୍‌ ଏକ ସ୍ପେସ୍‌ଶିପ୍‌ ଭଳି ଦିଶୁଛି । ଏଥିରେ ନିୟନ୍‌ ଲାଇଟ୍‌ ଓ ୬୬ ଫୁଟ୍‌ର ଏଲ୍‌ଇଡି ସ୍କ୍ରିନ୍‌ ଲାଗିଛି । ଟେସ୍‌ଲାର ମୁଖ୍ୟ ଡିଜାଇନର୍‌ ଫ୍ରାନ୍‌ଜ ଭୋନ୍‌ ହୋଲ୍‌ଜହସେନ୍‌ ଏହି ରେସ୍ତୋରାଁ ଡିଜାଇନ୍‌ କରିଛନ୍ତି । ଇଞ୍ଜିନିୟରିଙ୍ଗ୍‌ କମ୍ପାନି ଷ୍ଟାନ୍‌ଟେକ୍‌ ଏହାର ନିର୍ମାଣରେ ସାହାଯ୍ୟ କରିଛି । ଦୁଇ ମହଲାଯୁକ୍ତ ବିଲ୍ଡିଂ ତଳେ ପ୍ରାୟ ୩,୮୦୦ ବର୍ଗଫୁଟର ରେସ୍ତୋରାଁ ଏବଂ ଉପରେ ୫,୫୦୦ ବର୍ଗଫୁଟର ଛାତରେ ଭୋଜନାଳୟ ଏରିଆ ରହିଛି । 

ଟେସ୍‌ଲାର ମାନବ ରୋବୋ ଅପ୍ଟିମସ୍‌ ଏହି ରେସ୍ତୋରାଁର ପ୍ରି-ଲଞ୍ଚ୍‌ କାର୍ଯ୍ୟକ୍ରମର ଷ୍ଟାର୍‌ ଥିଲା । ଏହା ଗ୍ରାହକଙ୍କୁ ପପ୍‌କର୍ନ ପରସିଥିଲା । ତେବେ ନିୟମିତ ଭାବେ ଖାଦ୍ୟ ପରସିବା କାମ ମଣିଷ ବା ରୋଲର୍‌ ସ୍କେଟ୍‌ ଦ୍ୱାରା କରାଯାଉଛି । ଅପ୍ଟିମସ୍‌ର କାମ ଅଦ୍ୟାବଧି ଟେକ୍ନୋଲୋଜି ଡେମୋରେ ସୀମିତ ଅଛି । ଅର୍ଥାତ୍‌ ଏହା ଅତିଥିଙ୍କ ଧ୍ୟାନ ଆକର୍ଷଣ କରିବା ସହିତ ଟେସ୍‌ଲାର ଭବିଷ୍ୟତର ଟେକ୍ନୋଲୋଜି ପ୍ରଦର୍ଶନ କରୁଛି । ରେସ୍ତୋରାଁ ମେନ୍ୟୁରେ ଆମେରିକୀୟ ଖାଦ୍ୟ ଯଥା- ବର୍ଗର୍‌, ହଟ୍‌ ଡଗ୍‌, ଚିକେନ୍‌ ୱିଙ୍ଗ୍‌ସ ଓ ହ୍ୟାଣ୍ଡ୍‌-ସ୍ପନ୍‌ ଲିକ୍‌ଶେକ୍‌ ଆଦି ସାମିଲ । ଏସବୁ ସାଇବର୍‌ଟ୍ରକ୍‌ ଥିମ୍‌ଯୁକ୍ତ ବାକ୍ସରେ ପରସା ଯାଉଛି । ପ୍ରସିଦ୍ଧ ସେଫ୍‌ ଏରିକ ଗ୍ରୀନ୍‌ସ୍ପାନ୍‌ ମେନ୍ୟୁ ପ୍ରସ୍ତୁତ କରିଛନ୍ତି । ସପ୍ତାହରେ ୭ ଦିନ ରେସ୍ତୋରାଁ ଖୋଲା ରହୁଛି । ଗତ ୨୧ ତାରିଖରେ ରେସ୍ତୋରାଁ ଖୋଲିବା ପରଠୁ ଗ୍ରାହକଙ୍କ ଭିଡ଼ ଜମୁଛି । କିଛି ଲୋକ କେବଳ ଅପ୍ଟିମସ୍‌ ରୋବୋକୁ ଦେଖିବା ପାଇଁ ଏଠାକୁ ଆସୁଛନ୍ତି । ମସ୍କ ଏହାକୁ ଭଲ ଖାଦ୍ୟ, ଭଲ ମାହୋଲ ଓ ମନୋରଞ୍ଜନର ଏକ ଦ୍ୱୀପ ବୋଲି କହିଛନ୍ତି । ଏଠାରେ ଲୋକେ ନିଜ କାର୍‌ ଚାର୍ଜ କରିବା ସହିତ ଖାଦ୍ୟ ଓ ମନୋରଞ୍ଜନର ଖୋରାକ ପାଇବେ । ସାରା ବିଶ୍ୱରେ ଏହି ରେସ୍ତୋରାଁର ଶାଖା ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି ମସ୍କ ।