ୱାଶିଂଟନ୍, ୨୧/୦୮: ଆମେରିକୀୟ ଅରବପତି ବ୍ୟବସାୟୀ ଏଲନ ମସ୍କ ତାଙ୍କ ରାଜନୈତିକ ଦଳ ‘ଆମେରିକା ପାର୍ଟି’ ବନ୍ଦ କରିଦେଇପାରନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସହ ବିବାଦ ପରେ ଜୁଲାଇ ୫ରେ ମସ୍କ ନୂଆ ପାର୍ଟି ଗଢ଼ିଥିଲେ ।
ୱାଲ ଷ୍ଟ୍ରିଟ୍ ଜର୍ନାଲରେ ପ୍ରକାଶିତ ରିପୋର୍ଟ ଅନୁସାରେ, ମସ୍କ ତାଙ୍କ ସହଯୋଗୀଙ୍କୁ ପାର୍ଟି ଶେଷ କରିବାକୁ କହିଛନ୍ତି । ମସ୍କ ରାଜନୀତି ଅପେକ୍ଷା ନିଜ କମ୍ପାନୀ ଉପରେ ଅଧିକ ଧ୍ୟାନ ଦେବାକୁ ଚାହାନ୍ତି । ଏହା ବ୍ୟତୀତ ସେ ଉପରାଷ୍ଟ୍ରପତି ଜେ.ଡି ଭାନ୍ସଙ୍କ ସହ ନିଜ ସମ୍ପର୍କ ଖରାପ କରିବାକୁ ମଧ୍ୟ ଚାହାଁନ୍ତିନି । ଏଥିସହ ଭାନ୍ସ ଯଦି ୨୦୨୮ରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ତେବେ ତାଙ୍କୁ ମସ୍କ ଆର୍ଥିକ ସହାୟତା ବି କରିବେ ।
୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ମସ୍କ ଟ୍ରମ୍ପ୍ଙ୍କୁ ଜିତାଇବା ଲାଗି ପ୍ରାୟ ୨,୫୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ପରେ ଟ୍ରମ୍ପ୍ ମସ୍କଙ୍କୁ ଡିପାର୍ଟମେଣ୍ଟ ଅଫ୍ ଗଭର୍ନମେଣ୍ଟ ଏଫିସିଏନ୍ସି (ଡିଓଜିଇ)ର ମୁଖ୍ୟ ବନାଇଥିଲେ । ପରେ ଟ୍ରମ୍ପ୍ଙ୍କ ବିଗ୍ ବିୟୁଟିଫୁଲ ବିଲ୍ କାରଣରୁ ମସ୍କଙ୍କ ସହ ବିବାଦ ହୋଇଥିଲା । ଏହା ପରେ ମସ୍କ ଏହି ପଦରୁ ଇସ୍ତଫା ଦେଇଥିଲେ । ଏହାର କିଛି ଦିନ ପରେ ମସ୍କ ନିଜର ପଲିଟିକାଲ ପାର୍ଟି ବନାଇଥିଲେ ।