ୱାଶିଂଟନ୍‌, ୨୧/୦୮:  ଆମେରିକୀୟ ଅରବପତି ବ୍ୟବସାୟୀ ଏଲନ ମସ୍କ ତାଙ୍କ ରାଜନୈତିକ  ଦଳ ‘ଆମେରିକା ପାର୍ଟି’ ବନ୍ଦ କରିଦେଇପାରନ୍ତି । ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପ୍‌ଙ୍କ ସହ ବିବାଦ ପରେ ଜୁଲାଇ  ୫ରେ ମସ୍କ ନୂଆ ପାର୍ଟି ଗଢ଼ିଥିଲେ ।  

ୱାଲ ଷ୍ଟ୍ରିଟ୍‌ ଜର୍ନାଲରେ ପ୍ରକାଶିତ  ରିପୋର୍ଟ ଅନୁସାରେ, ମସ୍କ ତାଙ୍କ ସହଯୋଗୀଙ୍କୁ ପାର୍ଟି ଶେଷ କରିବାକୁ କହିଛନ୍ତି । ମସ୍କ ରାଜନୀତି ଅପେକ୍ଷା ନିଜ କମ୍ପାନୀ ଉପରେ ଅଧିକ ଧ୍ୟାନ ଦେବାକୁ ଚାହାନ୍ତି । ଏହା ବ୍ୟତୀତ  ସେ ଉପରାଷ୍ଟ୍ରପତି ଜେ.ଡି ଭାନ୍ସଙ୍କ  ସହ ନିଜ ସମ୍ପର୍କ ଖରାପ କରିବାକୁ ମଧ୍ୟ ଚାହାଁନ୍ତିନି । ଏଥିସହ ଭାନ୍ସ  ଯଦି ୨୦୨୮ରେ ରାଷ୍ଟ୍ରପତି ନିର୍ବାଚନ  ଲଢ଼ିବେ ତେବେ ତାଙ୍କୁ ମସ୍କ ଆର୍ଥିକ  ସହାୟତା ବି କରିବେ । 

୨୦୨୪  ରାଷ୍ଟ୍ରପତି ନିର୍ବାଚନରେ ମସ୍କ ଟ୍ରମ୍ପ୍‌ଙ୍କୁ  ଜିତାଇବା ଲାଗି ପ୍ରାୟ ୨,୫୦୦ କୋଟି  ଟଙ୍କା ଖର୍ଚ୍ଚ କରିଥିଲେ । ପରେ ଟ୍ରମ୍ପ୍‌  ମସ୍କଙ୍କୁ ଡିପାର୍ଟମେଣ୍ଟ ଅଫ୍‌ ଗଭର୍ନମେଣ୍ଟ  ଏଫିସିଏନ୍ସି (ଡିଓଜିଇ)ର ମୁଖ୍ୟ  ବନାଇଥିଲେ । ପରେ ଟ୍ରମ୍ପ୍‌ଙ୍କ ବିଗ୍‌  ବିୟୁଟିଫୁଲ ବିଲ୍‌ କାରଣରୁ ମସ୍କଙ୍କ ସହ ବିବାଦ ହୋଇଥିଲା । ଏହା ପରେ  ମସ୍କ ଏହି ପଦରୁ ଇସ୍ତଫା ଦେଇଥିଲେ ।  ଏହାର କିଛି ଦିନ ପରେ ମସ୍କ ନିଜର  ପଲିଟିକାଲ ପାର୍ଟି ବନାଇଥିଲେ ।