ନୂଆଦିଲ୍ଲୀ,୧୯।୯: କତର ଉପରେ ଇସ୍ରାଏଲ ଆକ୍ରମଣ ଓ ପାଲେଷ୍ଟାଇନ୍ ପ୍ରସଙ୍ଗରେ ଏକଜୁଟ ହୋଇଥିଲେ ୫୦ରୁ ଅଧିକ ମୁସଲମାନ ଦେଶ। ତେବେ ଉପସାଗରୀୟ ଦେଶ ୟୁନାଇଟେଡ୍ ଆରବ ଏମିରେଟ୍(ୟୁଏଇ) ଅନ୍ୟ ମୁସଲାମାନ ଦେଶଙ୍କଠାରୁ କିଛି ଅଲଗା କହିଛି। ୟୁଏଇ କହିଛି, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଯଦି ଓ୍ବେଷ୍ଟ ବ୍ୟାଙ୍କର କିଛି ଅଂଶ କିମ୍ବା ପୁରା ଭାଗକୁ ନିଜ ଦେଶର ମିଶାଇ ଦିଅନ୍ତି, ତେବେ ମଧ୍ୟ ଆମେ ସମ୍ପର୍କ ଭାଙ୍ଗିବୁନି। ତେବେ ୟୁଏଇ ଏହା କହିଛି ଯେ, ସେ କୁଟେନୈତିକ ସମ୍ପର୍କକୁ କମ୍ କରିବା ଉପରେ ବିଚାର କରିପାରେ। କିନ୍ତୁ ଦୁଇ ଦେଶ ଭିତରେ ଥିବା ସମ୍ପର୍କକୁ ଭାଙ୍ଗି ପାରିବନି।
ୟୁଏଇର ବୈଦେଶିକ ମନ୍ତ୍ରଣାଳୟ ଅଧିକାରୀ ୩ ସେପ୍ଟେମ୍ବରରେ ‘ଦ ଟାଇମ୍ସ ଅଫ ଇସ୍ରାଏଲ’କୁ ଦେଇଥିବା ଇଣ୍ଟରଭ୍ୟୁରେ କହିଥିଲେ, ଓ୍ବେଷ୍ଟ ବ୍ୟାଙ୍କର କୌଣସି ପ୍ରକାର ବିଲୟ କେବଳ ଏକ ’ରେଡ୍ ଲାଇନ୍’ ହେବ। ସେ ଆବ୍ରାହମ ଚୁକ୍ତିକୁ ବିପଦରେ ପକାଇ ପାରନ୍ତି। ଏହା ସହ ଆଞ୍ଚଳିକ ଏକୀକରଣର ଚେଷ୍ଟାକୁ ମଧ୍ୟ ଶେଷ କରିଦେବ। କିନ୍ତୁ ଗୁରୁବାର ସନ୍ଧ୍ୟାରେ , ୟୁଏଇ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ୟୁଏଇ କହିଛି, ଇସ୍ରାଏଲ ସହ କେବେ ବି ସମ୍ପର୍କ ଭାଙ୍ଗିବ ନାହିଁ। ଓ୍ବେଷ୍ଟ ବ୍ୟାଙ୍କ ଇସ୍ରାଏଲ-ପାଲେଷ୍ଟାଇନ୍ ସଂଘର୍ଷର କେନ୍ଦ୍ର ପାଲଟିଛି। ପାଲେଷ୍ଟାଇନ୍ ଏହାକୁ ଗାଜା ପଟି ସହ ନିଜର ପରିକଳ୍ପିତ ରାଷ୍ଟ୍ରର ଗୁରୁତ୍ବପୂର୍ଣ୍ଣ ଅଂଶ ବୋଲି ମାନିଛି।
ଏହି ଡେଭଲପମେଣ୍ଟ ଏଭଳି ସମୟରେ ହୋଇଛି , ଯେତେବେଳ କିଛି ଦିନ ପୂର୍ବରୁ କାତାରର ରାଜଧାନୀ ଦୋହାରେ ପ୍ରାୟ ୫୦ ମୁସଲମାନ ଦେଶ ବୈଠକ କରିଥିଲେ ଓ ଇସ୍ରାଏଲ ବିପକ୍ଷରେ ଏକଜୁଟତା ଦେଖାଇଥିଲେ। ଏହି ବୈଠକରେ ୟୁଏଇର ପଡୋଶୀ ଦେଶ ସାଉଦି ଆରବ, ଇରାକ, ଇରାନ ସହିତ ଜର୍ଡନ,ତୁର୍କୀ, ପାକିସ୍ତାନ, ମାଲେସିଆ, ସିରିଆ ମଧ୍ୟ ସାମିଲ ହୋଇଥିଲା। ୟୁଏଇ ମଧ୍ୟ ସେହି ବୈଠକର ମଧ୍ୟ ଅଂଶ ଥିଲା। ଏଥିରେ ସବୁ ଆରବ ଦେଶ ଇସ୍ରାଏଲକୁ ଗାଜାରେ ନରସଂହାର ପାଇଁ ଦାୟୀ କରିଥିଲା ଓ ଦୋହାରେ ଇସ୍ରାଏଲ ଆକ୍ରମଣ ନିନ୍ଦା କରିଛି।