ମାଡ୍ରାସ,୧୩/୦୩: ତାମିଲନାଡୁରେ ସରକାରୀ ଚାକିରି କରିବାକୁ ହେଲେ ତାମିଲ  ଭାଷା ପଢ଼ିବା ଓ ଲେଖିବା ଜରୁରି ବୋଲି ମାଡ୍ରାସ ହାଇକୋର୍ଟଙ୍କ ମଦୁରାଇ ଖଣ୍ଡପୀଠ ଏକ ମାମଲାର  ଶୁଣାଣି କରିବା ବେଳେ ଏହି ଟିପ୍ପଣୀ କରିଛନ୍ତି ।  ବିଚାରପତି ଜେ ଜୟଚନ୍ଦ୍ରନ କହିଛନ୍ତି ଯେ ସରକାରୀ କର୍ମଚାରୀ ଯଦି ତାମିଲ ନ ଶିଖିବେ ତେବେ ଦୈନନ୍ଦିନ କାର୍ଯ୍ୟ କିଭଳି ସମ୍ଭାଳିବେ ।  କୌଣସି ରାଜ୍ୟର ସରକାରୀ କର୍ମଚାରୀଙ୍କୁ ସେହି ରାଜ୍ୟର ଭାଷା ଆସିବା ନିହାତି ଆବଶ୍ୟକ । 

ଏହି ମାମଲା ତାମିଲନାଡୁ ଥେନି ଅଞ୍ଚଳର ବିଦ୍ୟୁତ ବୋର୍ଡର ଜଣେ ଜୁନିଅର ସହାୟକ ଏମ୍‌ ଜୟକୁମାରଙ୍କ ସହ ଜଡିତ । ଜୟକୁମାର ବିଦ୍ୟୁତ ବିଭାଗରେ ନିଯୁକ୍ତି ପାଇଥିଲେ । କିନ୍ତୁ ଦୁଇବର୍ଷ  ଭିତରେ ତାଙ୍କୁ ତାମିଲ ଶିଖିବାକୁ କୁହାଯାଇଥିଲା । ତେଣୁ ସେ ତାମିଲ ଭାଷା ଶିଖିବା ପରେ ପରୀକ୍ଷା ଦେଇଥିଲେ । କିନ୍ତୁ ଫେଲ ହେବାରୁ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା । ଏହା ବିରୋଧରେ ସେ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ । 

ଶୁଣାଣି ବେଳେ ଜଷ୍ଟିସ ଜୟଚନ୍ଦ୍ରନ ଓ ଜଷ୍ଟିସ ଆର ପୂର୍ଣ୍ଣିମାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ, ତାମିଲ ଭାଷା ନ ଜାଣି ସରକାରୀ କର୍ମଚାରୀ  କିଭଳି କାମ କରିପାରିବେ । ଆବେଦନକାରୀଙ୍କୁ ନିର୍ଦ୍ଧାରିତ ସମୟ ଭିତରେ ଭାଷା ପରୀକ୍ଷାରେ  କୃତକାର୍ଯ୍ୟ ହେବାର ଥିଲା । ତାମିଲ ନ ଜାଣିଲେ ସରକାରୀ ଚାକିରି କିଭଳି ମିଳିବ । ଜୟକୁମାର  ବାଧ୍ୟତାମୂଳକ ତାମିଲ ଭାଷା ପରୀକ୍ଷାରେ ବିଫଳ ହୋଇଥିଲେ । ସେ ଦର୍ଶାଇଥିଲେ କି ତାଙ୍କ ପିତା ନୌସେନାରେ କାର୍ଯ୍ୟରତ ଥିଲେ । ତେଣୁ ସେ ବାହାରେ ସିବିଏସ୍‌ଇ ସ୍କୁଲରେ ପଢ଼ିଥିଲେ । ତେଣୁ ତାମିଲ ଭାଷା ଶିକ୍ଷାଲାଭ କରିପାରି  ନଥିଲେ । ତେବେ ହାଇକୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ମାମଲାର ଶୁଣାଣି ୬ ସପ୍ତାହ  ପରେ କରିବାକୁ କହିଥିଲେ ।