ପାଳଲହଡା,୦୭/୦୧: ଘର ପଛପଟୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର । ଜଣେ ମହିଳାଙ୍କ ତଣ୍ଟି କଟାଯାଇଥିବା ଓ ମୁଣ୍ଡକୁ ପଥରରେ ଛେଚା ଯାଇଥିବା ଅବସ୍ଥାରେ ମୃତଦେହ ଦେଖିବାକୁ ମିଳିଛି । ମହିଳାଙ୍କୁ ଜଘନ୍ୟ ଭାବରେ ହତ୍ୟା କରାଯାଇଥିବା ସନ୍ଧେହ କରାଯାଉଛି । ମୃତକ ଝାରବେଡା ପଞ୍ଚାୟତ ସୁସବନାଳି ଗାଁ ମୁଣ୍ଡା ସାହିର ଜନ ମୁଣ୍ଡା (୩୫) ବୋଲି ଜଣାପଡିଛି । ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ଅଞ୍ଚଳରେ ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି ।

ସୂଚନା ଅନୁସାରେ, ମୃତ ମହିଳାଙ୍କ ସ୍ୱାମୀ ଗୁରୁ ମୁଣ୍ଡାଙ୍କର ୪ବର୍ଷ ତଳେ ମୃତ୍ୟୁ ହୋଇଥିଲା । ତିନି ଝିଅ ଓ ଗୋଟିଏ ପୁଅଙ୍କୁ ନେଇ ଦିନମଜୁରି ଭାବେ ପରିବାର ପ୍ରତିପୋଷଣ କରୁଥିଲେ ଜନ ମୁଣ୍ଡା । ସବୁ ଦିନ ଭଳି ମହିଳା ଜଣଙ୍କ ଗତ ୫ ତାରିଖ ଦିନ ଝାରବେଡା ଘର କାର୍ଯ୍ୟ କରିବାକୁ ଯାଇଥିଲେ । କିନ୍ତୁ ତାପରେ ଆଉ ସେ ଘରକୁ ଫେରି ନଥିଲେ। ପରିବାର ଲୋକେ ବହୁତ ଖୋଜା ଖୋଜି କଲା ପରେ କୌଣସି ଖବର ପାଇନଥିଲେ । ପରଦିନ ଗ୍ରାମର ଜଣେ ମହିଳା ପତ୍ରଫଡ଼ି ନିକଟକୁ କାଠ ଗୋଟାଇବା ପାଇଁ ଯାଇଥିବା ବେଳେ ଘର ଠାରୁ ୫ ଶହ ମିଟର ଦୂର ପତ୍ରଫଡ଼ି ପଛ ପଟରେ ମହିଳାଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ମହିଳା ଜଣଙ୍କୁ ଚିନ୍ନି ପାରି ତାର ପରିବାର ଲୋକଙ୍କୁ ଜଣାଇଥିଲେ । ମହିଳା ଜଣକଙ୍କ ବେକରେ କଟା ଚିନ୍ନ ଥିବା ଓ ମୁଣ୍ଡକୁ ପଥର ଛେଚା ହୋଇଥିବା ଦେଖି ମିଳିଛି ।

​​​​​​​ପରିବାର ଲୋକେ ମୃତଦେହକୁ ଘଟଣାସ୍ଥଳରୁ ଘରକୁ ଆଣିଥିଲେ । ପରିବାର ପାଳଲହଡା ପୁଲିସକୁ ଖବର ଦେଇନଥିବା ବେଳେ ଗ୍ରାମରଖିଙ୍କ ଠାରୁ ଖବର ପାଇ ମଙ୍ଗଳବାର ସନ୍ଧ୍ୟାରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।ତେବେ କାହିଁକି ମହିଳା ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରାଗଲା ଏ ନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି । ତଦନ୍ତ ପରେ ପ୍ରକୃତ ସତ୍ୟ ଜଣାପଡିବ । ମୃତ ବିଧବା ମହିଳାଙ୍କ ତିନିଟି ଝିଅ ସଜନୀ ମୁଣ୍ଡା (୧୫) ପାର୍ବତୀ ମୁଣ୍ଡା (୧୪) ଅନିତା ମୁଣ୍ଡା (୧୧) ଗୋଟିଏ ପୁଅ ଲକ୍ଷ୍ମଣ ମୁଣ୍ଡା (୧୨) ଅଛନ୍ତି । ଦୋଷୀକୁ ଗିରଫ କରାଯାଇ ଉପଯୁକ୍ତ ଦଣ୍ଡ ଦେବାପାଇଁ ଓ ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।