ମାଲକାନଗିରି, ୧୭/୧୨ : ହିଂସା ଥମିଛି, ସ୍ୱାଭାବିକ ଅବସ୍ଥାକୁ ଫେରୁଛି ଏମଭି ୨୬ ଓ ରାଖାଲଗୁଡ଼ା ଗ୍ରାମ । ଦୀର୍ଘ ୯ଦିନ ପରେ ଖୋଲିଛି ଦୁଇଟି ଗ୍ରାମର ସ୍କୁଲ, ସ୍କୁଲ ଖୋଲିଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମିଛି । ମାଲକାନଗିରି ଜିଲ୍ଲାସ୍ଥ କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖାଲାଗୁଡା ଗାଁର ଜଣେ ମହିଳାଙ୍କ ହତ୍ୟା ପରେ ହିଂସା ବ୍ୟାପିଥିଲା । ଏହାର ପ୍ରଭାବରେ ଏମ୍‌ଭି-୨୬ଗାଁରେ ପୋଡ଼ାଜଳା ହେବାରୁ ପ୍ରଶାସନ ପକ୍ଷରୁ ଏମଭି୨୬ ଓ ରାଖେଲଗୁଡ଼ା ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହିତ ଏମଭି ୨୬ ଗ୍ରାମର ବାସନ୍ତୀ ହାଇସ୍କୁଲକୁ ଗତ ୭ ତାରିଖଠାରୁ ବନ୍ଦ କରିଦିଆଯାଇଥିଲା । ହାଇସ୍କୁଲରେ ଯବାନମାନେ ରହୁଥିବାରୁ ତାହା ଖୋଲାଯାଇ ନ ଥିବା ଦୁଇଟି ୟୁପି ସ୍କୁଲ ଗତ କାଲିଠାରୁ ଖୋଲାଯାଇଛି । ଏହା ଦୀର୍ଘ ୮ଦିନ ଧରି ବନ୍ଦ କରାଯାଇଥିଲା। ଦୁଇ ଦିନ ହେବ ସ୍କୁଲ ଖୋଲାଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ ରହିଛି।

ଏମଭି୨୬ ଓ ରଖେଲଗୁଡା ଗ୍ରାମରେ ଥିବା ୟୁପି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ପରିସ୍ଥିତି ସ୍ବାଭାବିକ ହେବାରୁ ଏମଭି ୨୬ ସରକାରୀ ଆଦର୍ଶ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଓ ରଖେଲଗୁଡା ଉଚ୍ଚପ୍ରାଥମିକ ବିଦ୍ୟାଳୟ ଗତକାଲିଠାରୁ ଖୋଲିଛି । ଏମଭି ୨୬ଗ୍ରାମରେ ନିଆଁରେ ସ୍କୁଲ ପିଲାଙ୍କ ପାଠ୍ୟ ଉପକରଣ ଇ ପୋଷାକ ପୋଡି ଯାଇଥିବାରୁ ଜିଲ୍ଲାପାଳ ସୋମେଶ ଉପାଧ୍ୟୟଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷାଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ ଏବଂ ଭାଗୀରଥି ବେହେରା ଓ ବିଦ୍ୟାଳୟର ଶିକ୍ଷକମାନେ ବହି, ଖାତା, କଲମ ପାଠ୍ୟ ଉପକରଣ ଓ ସ୍କୁଲ ପୋଷାକ ସହିତ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି ।

ସ୍କୁଲ୍ ବନ୍ଦ ସମୟର ମଧ୍ୟାହ୍ନ ଭୋଜନ ବାବଦରେ ଅର୍ଥ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଦିଆଯାଇଛି । ଏମଭି ୨୬ ବିଦ୍ୟାଳୟରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୧୫ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ଆଜି ୩୫ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପ୍ରଧାନଶିକ୍ଷକ ଟୁଟୁ ଚୌଧୁରୀ, ଶିକ୍ଷକ ରାଜେଶ ପଟ୍ଟନାୟକ, ସୂର୍ଯ୍ୟକାନ୍ତ ଦାସ, କିରଣକାନ୍ତ ସାହୁଙ୍କ ସହିତ ସିଆରସିସି ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ପ୍ରତ୍ଯେକ ଦିନ ବିଦ୍ୟାଳୟ ଆସିବାକୁ ବୁଝାଇଥିଲେ । ପ୍ରଧାନଶିକ୍ଷକ ଘର ଘର ବୁଲି  ଛାତ୍ରଛତ୍ରୀଙ୍କୁ ବିଦ୍ୟାଳୟକୁ ପଠାଇବା ନିମନ୍ତେ ଅନୁରୋଧ କରିଥିଲେ।