କଟକ,୨୭/୧୨: ପାରାଦୀପ  ବନ୍ଦରରେ ଆସି ଲାଗିଥିବା ଜାହାଜ  ଏମ୍‌ଭି ଦ’ ପାର୍ଟନକୁ ଗିରଫ ପାଇଁ  ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ଶୀତ ଅବକାଶ ଲାଗି ହାଇକୋର୍ଟ ଛୁଟି  ରହିଥିଲେ ମଧ୍ୟ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଶୁକ୍ରବାର ଏହି ମାମଲାର ଜରୁରି ଶୁଣାଣି  ହୋଇଥିଲା । ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଏମ୍‌.ଏସ୍‌.  ରମଣ ଏହି ମାମଲାର ଶୁଣାଣି କରି ଜାହାଜକୁ ୨୪ଘଣ୍ଟା  ମଧ୍ୟରେ ଗିରଫ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ଏଥିରେ ପ୍ରତିପକ୍ଷଙ୍କୁ ନୋଟିସ୍‌ କରାଯାଇଛି । ମାମଲାର ଶୁଣାଣି ଜାନୁଆରୀ ୫ତାରିଖ ପରକୁ ଧାର୍ଯ୍ୟ ହୋଇଛି ।  

ଜଳଧି ଓଭରସିଜ୍‌ ପିଟିଇ ଲିମିଟେଡ୍‌ ପକ୍ଷରୁ ଏହି  ମାମଲା ରୁଜୁ କରାଯାଇଥିଲା । ଏଥିରେ  ଆବେଦନକାରୀଙ୍କ ପକ୍ଷରୁ ଜାହାଜ  ଏମ୍‌ଭି ଦ’ ପାର୍ଟନ ଉପରେ ୧କୋଟି  ୮୦ଲକ୍ଷ ଟଙ୍କା ଦାବି କରାଯାଇଥିଲା । ଏହି  ଜାହାଜ ଏବେ ପାରାଦୀପ ବନ୍ଦରରେ  ପହଞ୍ଚିଛି । ଯଦି ବର୍ତ୍ତମାନ ଅଦାଲତ  ଏହି ଜାହାଜକୁ ଗିରଫ ପାଇଁ ଅନୁମତି ନଦିଅନ୍ତି ତାହେଲେ ଜାହାଜଟି ଅଳ୍ପଦିନ ମଧ୍ୟରେ ବନ୍ଦର  ଛାଡ଼ି ଚାଲିଯିବ । ତେଣୁ ଅଦାଲତ ଏହି ମାମଲାକୁ ତ୍ୱରିତ  ଭାବେ ବିଚାର କରି ଜାହାଜକୁ ଗିରଫ ପାଇଁ ନିର୍ଦ୍ଦେଶ  ଦେଇଛନ୍ତି । ତେବେ ଜାହାଜରେ ଥିବା କୌଣସି ସାମଗ୍ରୀ  କାଢ଼ିବାରେ କୌଣସି ପ୍ରକାର ପ୍ରତିବନ୍ଧକ ନାହିଁ ବୋଲି  ହାଇକୋର୍ଟ ତାଙ୍କ ଅନ୍ତରୀଣ ଆଦେଶରେ ସ୍ପଷ୍ଟ କରିଛନ୍ତି ।