ନୂଆଦିଲ୍ଲୀ,୨୪/୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତୀ ମହାମେଣ୍ଟର ବୃହତ୍ ବିଜୟର ଗୋଟିଏ ଦିନ ପରେ ବିଜେପି ସାଂସଦ କଙ୍ଗନା ରାଣାଓ୍ବତ ବିରୋଧୀ ଦଳକୁ ଏକ 'ଦୈତ୍ୟ' ସହିତ ତୁଳନା କରି କହିଛନ୍ତି ଯେ ଏମ୍‌ଭିଏ ମହିଳାଙ୍କୁ ଅପମାନିତ କରିଛି। ଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ ସାକ୍ଷାତକାର ବେଳେ କଙ୍ଗନା ରାଣାୱତ କହିଛନ୍ତି, 'ମୁଁ ଉଦ୍ଧବ ଠାକରେଙ୍କ ଏତେ ବଡ଼ ପରାଜୟର ଆଶା କରିଥିଲି। ଆମେ ଜାଣିପାରୁ ଯେ, କିଏ 'ଦେବତା' ଏବଂ କିଏ 'ଦୈତ୍ୟ।' ସେମାନେ ମହିଳାଙ୍କୁ ସମ୍ମାନ କରନ୍ତି କି ନାହିଁ ତାହା ସେମାନଙ୍କ ଉପରେ ନିର୍ଭର କରେ।'

ସୂଚନାଥାଉକି, ୨୦୨୦ ରେ ତତ୍କାଳୀନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ବାଧିନ ମହାବିକାଶ ଆଘାଡି (ଏମ୍‌ଭିଏ) ସରକାର ଓ କଙ୍ଗନା ରାଣାଓ୍ବତଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ସେତେବେଳେ ବିଏମସି କଙ୍ଗନାଙ୍କ ବଙ୍ଗଳା ଭାଙ୍ଗି ଦେଇଥିଲା। କଙ୍ଗନା ରାଣାୱତ କହିଛନ୍ତି ଯେ ଠାକରେଙ୍କ 'ଦୈତ୍ୟ' ଭଳି ବ୍ୟବହାର ତାଙ୍କ ପରାଜୟର କାରଣ। ଯେଉଁମାନେ ମହିଳାଙ୍କୁ ସମ୍ମାନ କରନ୍ତି ନାହିଁ ସେମାନେ କଦାପି ଜିତିପାରିବେ ନାହିଁ। ସେମାନେ ମୋ ଘର ଭାଙ୍ଗି ମୋତେ ଦୁର୍ବ୍ୟବହାର କରିଥିଲେ।' 

ଶନିବାର ଦିନ ବିଜେପି ନେତୃତ୍ୱାଧୀନ ମହାମେଣ୍ଟ ମହାରାଷ୍ଟ୍ରରେ କ୍ଷମତା ବଜାୟ ରଖିଛି। ମହାୟୁତି ୨୮୮ ବିଶିଷ୍ଟ ବିଧାନସଭା ଆସନରୁ ୨୩୦ ଟି ସିଟ୍ ପାଇଛି। କଂଗ୍ରେସ ନେତୃତ୍ୱାଧୀନ ମହାବିକାଶ ଅଘାଡି  କ୍ଷମତାକୁ ଆସିବାର ସ୍ୱପ୍ନ ଚର୍‌ମାର୍ ହୋଇଥିବାବେଳେ ବିରୋଧୀ ଦଳ ମାତ୍ର ୪୬ ଟି ଆସନରେ ଅଟକିଥିଲା। ଏହାପୂର୍ବରୁ ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାର ଭୁନ୍ତର ବିମାନବନ୍ଦରରେ କଙ୍ଗନା ରାନାୱତ ଗଣମାଧ୍ୟମକୁ କହିଛନ୍ତି ଯେ ଦେଶ ଭାଙ୍ଗିବା କଥା କହିଥିବା ଲୋକଙ୍କୁ ଜନସାଧାରଣ ଉପଯୁକ୍ତ ଉତ୍ତର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଦକ୍ଷତାକୁ ପ୍ରଶଂସା କରି କଙ୍ଗନା କହିଛନ୍ତି ଯେ ମୋଦୀ ଦେଶକୁ ସୁରକ୍ଷା ଦେବା ପାଇଁ ଜନ୍ମ ହୋଇଥିଲେ ଏବଂ ସେ ଅପରାଜେୟ ଅଟନ୍ତି। ସେ କହିଛନ୍ତି ଯେ ମହାରାଷ୍ଟ୍ରର ଲୋକମାନେ ବିକାଶ ଏବଂ ସ୍ଥିର ସରକାର ପାଇଁ ଭୋଟ୍ ଦେଇଛନ୍ତି।'

କଙ୍ଗନା ମଧ୍ୟ ମହାୟଚତି ନିର୍ବାଚନୀ ସଫଳତା ପାଇଁ ମୋଦୀଙ୍କୁ ଅଭିନନ୍ଦନ ଜଣାଇବା ସହ ବିଜେପି ହାଇକମାଣ୍ଡ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ କରିବେ ବୋଲି କହିଛନ୍ତି। ସେ କହିଛନ୍ତି, 'ନିର୍ବାଚନ ପ୍ରଚାର ସମୟରେ ମୁଁ ପ୍ରତ୍ୟେକ ପିଲାଙ୍କୁ' ମୋଦୀ-ମୋଦୀ 'ଚିତ୍କାର କରୁଥିବାର ଦେଖିଥିଲି। ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ବିଶ୍ୱର ସବୁଠାରୁ ବଡ଼ ନେତା। ବିଜେପି ଏକ ବ୍ରାଣ୍ଡ ଏବଂ ଆଜି ଭାରତର ଲୋକମାନେ ଏହି ବ୍ରାଣ୍ଡ ଉପରେ ବିଶ୍ୱାସ କରୁଛନ୍ତି।'