ପ୍ରମୂଖ ଖବର
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ମ୍ୟାଁମାର ଭୂକମ୍ପ ପ୍ରଭାବ: ସାରା ବିଶ୍ୱରେ ଭୂଖଣ୍ଡରେ ବଡ଼ଧରଣର ଅସ୍ଥିରତା, ସକ୍ରିୟ ହେବ କି ବଙ୍ଗୋପସାଗର ଫାଟ ?

Published By : Prameya | March 31, 2025 8:16 AM

ଭୁବନେଶ୍ୱର, ୩୧/୦୩: ମ୍ୟାଁମାର ଭୂକମ୍ପ ସାରା ବିଶ୍ୱକୁ ଡରାଇ  ଦେଇଛି । ଏବେ ବି ଭୂକମ୍ପର ଝଟ୍‌କା  ବାରମ୍ବାର ଆସୁଛି । ରବିବାର ପୁଣି ୫.୧  ତୀବ୍ରତାର ଝଟକା ଥରାଇଛି ମାଣ୍ଡଳୟ  ଅଞ୍ଚଳକୁ । ପ୍ରଶାନ୍ତ ମହାସାଗରରେ  ନ୍ୟୁଜିଲାଣ୍ଡ ନିକଟବର୍ତ୍ତୀ ଟୋଙ୍ଗା ଦ୍ୱୀପରେ  ଶକ୍ତିଶାଳୀ (୭.୧ ତୀବ୍ରତା) ଭୂକମ୍ପ  ଉତ୍ପନ୍ନ ହୋଇଛି ରବିବାର । ଏହାର ପ୍ରଭାବ ଭାରତୀୟ ଭୂଖଣ୍ଡରେ  ବିଚଳନ ସୃଷ୍ଟି କରିବ କି?  ଓଡ଼ିଶା ପାଇଁ  ଡର ଭାବେ ଜଣାଶୁଣା ବଙ୍ଗୋପସାଗର ଫାଟ ଅସ୍ଥିର ହୋଇ ଯିବ କି? ଏଭଳି ଆଶଙ୍କା ଉଙ୍କି ମାରିବା ସ୍ୱାଭାବିକ । 

ବିଶେଷଜ୍ଞଙ୍କ ମତରେ, ମ୍ୟାଁମାର  ଭୂକମ୍ପ କେନ୍ଦ୍ରସ୍ଥଳରେ ଏଭଳି ଶକ୍ତି  ଉତ୍ପନ୍ନ ହେଲା ଭୟଙ୍କର ଧ୍ୱଂସଲୀଳା  ଭିଆଇଲା । ୩୩୪ଟି ଆଣବିକ ବୋମା  ବିସ୍ଫୋରଣର ଶକ୍ତି ଭୂକମ୍ପ କେନ୍ଦ୍ରସ୍ଥଳରୁ  ନିର୍ଗତ ହୋଇଥିଲା । ସାରା ବିଶ୍ୱରେ ଭୂଖଣ୍ଡ ଭିତରେ କିଛି ବଡ଼ଧରଣର  ହଲଚଲ୍‌ ହୋଇଛି। ବିଶ୍ୱବ୍ୟାପୀ ଭୂଖଣ୍ଡ ବର୍ତ୍ତମାନ ଅସ୍ଥିର ରହୁଥିବା ଲକ୍ଷ୍ୟ କରାଯାଉଛି । କେତେବେଳେ କେଉଁଠି କିଛି ବି ହୋଇପାରେ ।  ଭୂକମ୍ପ ପ୍ରବଣ ଅଞ୍ଚଳ ନ ହେଲେ ବି ଓଡ଼ିଶା ବିପଦମୁକ୍ତ ନୁହେଁ ।  

ଭୂତତ୍ତ୍ୱ ବିଶେଷଜ୍ଞଙ୍କ କହିବାନୁସାରେ ମ୍ୟାଁମାର ଭୂଖଣ୍ଡ ଆମଠାରୁ ବିଶେଷ  ଦୂରରେ ନାହିଁ । ମ୍ୟାଁମାର ଓଡ଼ିଶା  ଉପକୂଳରୁ ମାତ୍ର ୮ଶହ କିଲୋମିଟର  ଦୂର । ୨୦୧୬ ଅଗଷ୍ଟ୨୫ରେ ମ୍ୟାଁମାରରେ  ଆସିଥିବା ଭୂକମ୍ପ ଯୋଗୁ ଉପକୂଳ  ଓଡ଼ିଶା ଥରିଥିଲା ।

ଏଥର ମ୍ୟାଁମାର ଭୂକମ୍ପରେ କୋଲକାତା ଯାଏଁ କମ୍ପନ ଅନୁଭୂତ  ହୋଇଥିଲା । ୨୦୦୪ରେ ସୁମାତ୍ରାରେ ଆସିଥିବା ଭୂକମ୍ପ ଯୋଗୁ  ସୁନାମି ଆଣ୍ଡାମାନ ନିକୋବର ସହ ଚେନ୍ନାଇରେ ପ୍ରଳୟ  ରଚିଥିଲା । ବର୍ତ୍ତମାନ ବିଭିନ୍ନ ଭୂଖଣ୍ଡରେ ଅସ୍ଥିରତା ଦେଖା  ଦେଇଛି, ଏହା ଆଗକୁ ବି ଜାରି ରହିପାରେ । ସାଧାରଣତଃ  ଗୋଟିଏ ସ୍ଥାନରେ ଭୂକମ୍ପ ଉତ୍ପନ୍ନ ହେଲେ, ପରବର୍ତ୍ତୀ ସମୟରେ  ଅନ୍ୟ କିମ୍ବା ନିକଟବର୍ତ୍ତୀ ଭୂଖଣ୍ଡରେ ଭୂକମ୍ପ ଆସିବାର ନଜିର  ରହିଛି ।  

ଗତ ଫେବ୍ରୁଆରୀରେ ଓଡ଼ିଶାରେ ୫.୧ ତୀବ୍ରତାର ଭୂକମ୍ପ  ଝଟ୍‌କା ଅନୁଭୂତ ହୋଇଥିଲା । ପୁରୀ, ଭୁବନେଶ୍ୱର, ପାରାଦୀପ,  ଜଗତସିଂହପୁର, କେନ୍ଦ୍ରାପଡ଼ା, ବାରିପଦା, ବାଲେଶ୍ୱର ସମେତ  କୋଲକାତା ପର୍ଯ୍ୟନ୍ତ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା ।  ନ୍ୟାସନାଲ ସେଣ୍ଟର ଫର୍‌ ସେସମୋଲୋଜି ରିପୋର୍ଟ ମୁତାବକ,  ଭୂକମ୍ପର କେନ୍ଦ୍ର ଥିଲା ବଙ୍ଗୋପସାଗରରେ । ପୁରୀଠାରୁ ୨୮୬ କିଲୋମିଟର ପୂର୍ବ, ଭୁବନେଶ୍ୱରର ୨୯୭ କିମି ପୂର୍ବ-ଦକ୍ଷିଣ  ପୂର୍ବରେ ଓ ବ୍ରହ୍ମପୁରର ପୂର୍ବରେ ୩୯୪ କିମି ଦୂରରେ ସମୁଦ୍ର  ଭିତରେ ଥିଲା ଭୂମିକମ୍ପର ଉତ୍ପତ୍ତି ସ୍ଥଳ । କେନ୍ଦ୍ରସ୍ଥଳରେ ତୀବ୍ରତା  ଥିଲା ୫.୧ ଓ ଗଭୀରତା ଥିଲା ୯୧ କିମି । ଗଭୀରତା କମ୍‌  ହୋଇଥିଲେ, କ୍ଷୟକ୍ଷତି ବଢ଼ିଥାଆନ୍ତା ।  

ବିଶେଷଜ୍ଞଙ୍କ କହିବାନୁସାରେ ୫.୧ ତୀବ୍ରତାର ଭୂକମ୍ପ  ସେଭଳି ବଡ଼ ନୁହେଁ । ମାତ୍ର ଓଡ଼ିଶାରେ ଏ ଧରଣର ଭୂକମ୍ପ  ସଂଖ୍ୟା ବହୁତ କମ୍‌ । ୧୦ ବର୍ଷ ତଳେ ୨୦୧୪ ମେ’ ୨୧  ତାରିଖରେ କୋଣାର୍କଠାରୁ ୨୭୬ କିମି ଦୂରରେ ସମୁଦ୍ର ଭିତରେ  ୬.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ତା’ର ଗଭୀରତା  କମ୍‌ ଥିବାରୁ (୪୭ କିମି) ସେତେବେଳେ ବଡ଼ ଧରଣର  ଝଟ୍‌କା ଅନୁଭୂତ ହୋଇଥିଲା ଓଡ଼ିଶାରେ । ଏଥର ଗଭୀରତା  ଅଧିକ ଥିବାରୁ ଭୂକମ୍ପର କମ୍ପନ କମ୍‌ ଅନୁଭୂତ ହୋଇଥିଲା ।  ସମୁଦ୍ରର ଗୋଟିଏ ଅଞ୍ଚଳରୁ ୧୦ ବର୍ଷ ଭିତରେ ଦୁଇ ଥର ଭୂକମ୍ପ  ଉତ୍ପନ୍ନ ହେବା ସାମାନ୍ୟ କଥା ନୁହେଁ । 

ବିଶେଷଜ୍ଞ କହିଛନ୍ତି,  ପୁରୀ ନିକଟବର୍ତ୍ତୀ ବଙ୍ଗୋପସାଗରରେ ଯେଉଁଠାରେ ଭୂକମ୍ପ  ଉତ୍ପନ୍ନ ହୋଇଥିଲା, ସେଠାରେ ପ୍ଲେଟ ବାଉଣ୍ଡରୀ ନାହିଁ । ମାତ୍ର  ବହୁ ପ୍ରାଚୀନ ଦୁଇଟି ଫାଟ (ରିଜ୍‌) ଅଛି, ଯାହାକି ବହୁ ବର୍ଷରୁ  ସୁପ୍ତ ଓ ନିଷ୍କ୍ରିୟ ଅବସ୍ଥାରେ ଥିଲା । କୌଣସି ବଡ଼ ଚାପ ଯୋଗୁ  ସେଇ ଫାଟ ଧୀରେଧୀରେ ସକ୍ରିୟ ହେଉଛି । ଚାପ ବଢ଼ିବାରୁ ସେ  ଅଞ୍ଚଳରୁ ଭୂକମ୍ପ ଉତ୍ପନ୍ନ ହେଉଛି । ଆଗକୁ ଭୂକମ୍ପର ତୀବ୍ରତା  ଯଦି ବଢ଼ିବ, ତେବେ ଉପକୂଳ ଓଡ଼ିଶା ପାଇଁ ଆଣିପାରେ ବଡ଼  ବିପଦ । ଏବେ ବି ଭୂକମ୍ପର କେନ୍ଦ୍ରସ୍ଥଳରୁ ଓଡ଼ିଶାର ପ୍ରମୁଖ  ସହରର ଦୂରତା ୨୦୦ କିମିରୁ ୩ଶହ କିମି ଭିତରେ । ବଡ଼  ତୀବ୍ରତାର ଭୂମିକମ୍ପ ଆସିଲେ ବଡ଼ ବିପଦ ଆଶଙ୍କାକୁ ଏଡ଼ାଇ  ଦିଆଯାଇନପାରେ । ସୂଚନାଯୋଗ୍ୟ, ୧୯୮୨ ମସିହା ଏପ୍ରିଲ ୮  ତାରିଖରେ ପୁରୀଠାରୁ ୧୪୯ କିମି ଦୂରରେ ସମୁଦ୍ର ଭିତରେ  ୫ରୁ ଅଧିକ ତୀବ୍ରତାର ଭୂକମ୍ପ କେନ୍ଦ୍ରୀଭୂତ ହୋଇଥିଲା । 

ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌ଡିଏମ୍‌ଏ)  ପକ୍ଷରୁ ପ୍ରସ୍ତୁତ ସେସମିକ୍‌ ହାଜାର୍ଡ ମ୍ୟାପ୍‌ ରିପୋର୍ଟ ଅନୁସାରେ  ସମଗ୍ର ଉପକୂଳ ଓଡ଼ିଶା ଯେଉଁ ଭୂଖଣ୍ଡରେ ରହିଛି, ସେଠାରେ  ୬.୧ ତୀବ୍ରତା ପର୍ଯ୍ୟନ୍ତ ଭୂକମ୍ପ ଆସିପାରେ । ସେହିପରି ମହାନଦୀ ଗ୍ରାବେନ ଅଞ୍ଚଳରେ ୫.୩ ତୀବ୍ରତା ପର୍ଯ୍ୟନ୍ତ ଭୂକମ୍ପ ଆସିପାରେ । 

ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର,  ଦେବଗଡ଼, ଅନୁଗୁଳ, ତାଳଚେର, ଢେଙ୍କାନାଳ, ଯାଜପୁର,  କଟକ, ଖୋର୍ଦ୍ଧା, ଭୁବନେଶ୍ୱର, ପୁରୀ, ଜଗତସିଂହପୁର,  ପାରାଦୀପ, କେନ୍ଦ୍ରାପଡ଼ା, ଭଦ୍ରକ, ମୟୂରଭଞ୍ଜ ଓ ବାଲେଶ୍ୱର  ଭୂକମ୍ପ ପ୍ରବଣ ଜୋନ୍‌-୩ ପରିସରଭୁକ୍ତ । ଭୂକମ୍ପ ପ୍ରବଣ ଜୋନ୍‌-୨ରେ ରହିଛି ମାଲକାନଗିରି, କୋରାପୁଟ, ରାୟାଗଡ଼ା, ଗଜପତି,  ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ଼ ଓ କେନ୍ଦୁଝର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.