ନିଆଳି,୨୩/୦୩: ନିଆଳି ଅଞ୍ଚଳରେ  ପୁଣି ଅଜଣା ଜନ୍ତୁର ଆତଙ୍କ ସୃଷ୍ଟି ହେଲାଣି ।  ଦୀର୍ଘଦିନର ନିରବତା ପରେ ପୁଣି ଅଜଣା ଜନ୍ତୁର ଆକ୍ରମଣରେ ୮ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା  ଅଭିଯୋଗ ହୋଇଛି । ନିଆଳି ଥାନା ଅଧୀନ ଦେବୀ କନ୍ଦଳ ଦୀପାଞ୍ଚଳ ରାଣୀଓଳା ପଞ୍ଚାୟତ ଅଳତଳଙ୍ଗ  ଗ୍ରାମରେ ଏପରି ଘଟଣା ଘଟିଥିବା ଜଣାପଡ଼ିଛି ।  

ସୂଚନା ମୁତାବକ, ଶୁକ୍ରବାର ରାତିରେ ଅଳତଳଙ୍ଗ  ଗାଁର ବିଷ୍ଣୁ ବେହେରାଙ୍କ ଗୁହାଳରେ ଅଜଣା ଜନ୍ତୁ  ପଶି ୮ଟି ବଡ଼ ମେଣ୍ଢାଙ୍କୁ ଆକ୍ରମଣ କରି ସେମାନଙ୍କ  ଅନ୍ତବୁଜୁଳା କାଢ଼ି ମାରିଦେଇଥିବା ଅଭିଯୋଗ ହୋଇଛି । ଶନିବାର ସକାଳେ ଗୁହାଳରେ ୮ଟି ମେଣ୍ଢା ମରି ପଡ଼ିଥିବା  ବିଷ୍ଣୁ ଦେଖିଥିଲେ । ଶନିବାର ଛୁଟି ଥିବାରୁ ସରକାରୀ  କର୍ମଚାରୀ ଘଟଣା ସ୍ଥଳକୁ ଆସି ନଥିଲେ । ରାଣୀଓଳା  ସରପଞ୍ଚ ତ୍ରିନାଥ ମହାନ୍ତି ଘଯଣା ସ୍ଥଳରେ ପହଞ୍ଚି ସ୍ଥିତି  ଅନୁଧ୍ୟାନ କରିଥିଲେ । ବିଷ୍ଣୁଙ୍କୁ ସରକାରୀ ସହାୟତା  ଯୋଗାଇ ଦେବାକୁ ଦାବି କରିଥିଲେ । ଖବର ପାଇ  କସର୍ଦ୍ଦା ଆର୍‌ଆଇ ଲାଡର ଚତ୍ରା ଘଟଣା ସ୍ଥଳରେ ପହଞ୍ଚି  ମୃତ ମେଣ୍ଢା ଗୁଡ଼ିକୁ ଦେଖିଥିଲେ । ସୋମବାର ସରକାରୀ  ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । 

ସୂଚନା ଥାଉ କି, ୨୦୨୩ ଜୁଲାଇ ୧୬ରେ ଏହି  ଥାନା ଅଧୀନ ଅଲଣା ପଞ୍ଚାୟତ ଓଳାଂଶ ଗ୍ରାମର ନିକୁଞ୍ଜ  ସାହୁଙ୍କର ୭ଟି ମେଣ୍ଢା ଓ ଗୋଟିଏ ବାଛୁରୀକୁ ଅଜଣା  ଜନ୍ତୁ ଆକ୍ରମଣ କରି ମାରି ଦେଇଥିଲା । ଏହି ଘଟଣାର  ୨୦ ମାସ ପରେ ପୁଣି ଅଜଣା ଜନ୍ତୁ ଆକ୍ରମଣରେ  ବିଷ୍ଣୁଙ୍କ ୮ଟି ମେଣ୍ଢା ମୃତ୍ୟୁ ବରଣ କରିଥିବା  ଅଭିଯୋଗ ହୋଇଛି । ଯାହା ସ୍ଥାନୀୟ ଅଞ୍ଚଳର ମେଣ୍ଢା  ଚାଷୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି ।