ଭୁବନେଶ୍ୱର, ୧୯/୦୫ : ଧୁ’ ଧୁ’ ଖରା । ହଠାତ୍‌ ରାଜମହଲ ଛକରେ ଆକାଶରୁ ବର୍ଷିଲା ନୀଳଅଣ୍ଡା । ହଠାତ୍‌ କେହି ବୁଝିପାରିଲେନି । ଏଭଳି ବିଚିତ୍ର ନୀଳବର୍ଣ୍ଣ ଅଣ୍ଡା କାହାର । କେଉଁ ଚଢେଇର । ସତରେ ଏ ଅଣ୍ଡା ନା ଆଉ କିଛି? ଚାହୁଁ ଚାହୁଁ ନୀଳ ଅଣ୍ଡା ଦେଖିବାକୁ ଭିଡ଼ ଜମିଥିଲା । ଏମିତି ଘଣ୍ଟାଏ ଯାଏଁ ସସ୍‌ପେନ୍ସ ଲାଗି ରହିଥିଲା । ଲୋକେ ନିଜ ନିଜ ମୋବାଇଲରେ ଫଟୋ ଉଠାଇଥିଲେ । ପରେ ଘଟଣା ବୁଝାପଡ଼ିଥିଲା ।

ମାର୍କେଟ ବିଲ୍ଡିଂରେ ଚୁଡ଼ି ବିକ୍ରି କରୁଥିବା ଏମ୍‌ଡି ମୁସ୍ତାକିମ୍‌ ଖାନ୍‌ କହିଥିଲେ, ଆଜି ଅପରାହ୍ଣରେ ଆକାଶରେ ଏକ ଚିଲ ଚଞ୍ଚୁରୁ ଏକ ବସା ତଳେ ପଡ଼ିଥିଲା । ସେଥିରେ ଦେଖିବା ବେଳକୁ ୪ଟି ନୀଳ ରଙ୍ଗର ଅଣ୍ଡା ଅଛି । ବସାଟି ମୋଟା ଥିବାରୁ ଅଣ୍ଡାର କିଛି ହୋଇନଥିଲା । ପ୍ରଥମେ ପ୍ରଥମେ ଆମେ ଡରିଯାଇଥିଲୁ । ବସାରେ ହାତ ମାରୁନଥିଲୁ । ପ୍ରାୟ ଘଣ୍ଟାଏ ପରେ ହଠାତ୍‌ ଗୋଟିଏ ଅଣ୍ଡା ଫୁଟିଥିଲା । ସେଥିରୁ ଗୋଟିଏ ଛୋଟ ଚଢେଇ ଶାବକ ବାହାରିଥିଲା । ଏହି ସମୟରେ କିଛି ବୟସ୍କ ଲୋକ ସେଠାରେ ପହଞ୍ଚି ଉକ୍ତ ଅଣ୍ଡା ଓ ପକ୍ଷୀକୁ ମାଛରଙ୍କା ବୋଲି କହିଥିଲେ । ଖବର ପାଇ ନନ୍ଦନକାନନ ଟିମ୍‌ ସେଠାରେ ପକ୍ଷୀ ଶାବକ ଓ ଅଣ୍ଡାକୁ ସାଙ୍ଗରେ ନେଇଯାଇଥିଲା । 

ଏହି ଖବରଟିକୁ ପଢନ୍ତୁପାରିବାରିକ କଳହର ଉଗ୍ର ରୂପ, ୮୦ ବର୍ଷୀୟ ଶ୍ଵଶୁରଙ୍କ ଉପରକୁ ଗରମ ତେଲ ଛାଟିଦେଲା ବୋହୂ