ନୂଆଦିଲ୍ଲୀ, ୬/୯ : କୋହିନୂରର ଭଉଣୀ। ନୱାବଙ୍କ ବଂଶଜ ଖ୍ଵାଜା ନଈମ ମୁରାଦଙ୍କ ପରିବାରର ଖଜାନା। ବାଂଲାଦେଶର ଟ୍ରେଜେରୀରେ ଅଛି ୨୬ କ୍ୟାରେଟ୍ର ଅମୂଲ୍ୟ ହୀରା ଦରିଆ-ଏ-ନୂର। ଦୀର୍ଘ ୧୧୭ ବର୍ଷ ପରେ ରାଜ୍ ଖୋଲିବେ ୟୁନୁସ୍ ସରକାର। ଭାରତ ସହ ଅଛି ସିଧା କନେକ୍ସନ୍।
ଦୁନିଆରେ ଦୁଇଟି ଅମୂଲ୍ୟ ହୀରା ରହିଛି। ଗୋଟିଏ କୋହିନୂର୍ ଆଉ ଗୋଟିଏ ଦରିଆ-ଏ-ନୂର୍। ଦରିଆ-ଏ-ନୂର୍ ଏବେ ବାଂଲାଦେଶର ବ୍ୟାଙ୍କ ଟ୍ରେଜେରୀରେ ଥିବା ଚର୍ଚ୍ଚା ହେଉଛି। ଦେବାଳିଆ ହୋଇଯାଇଥିବା ବାଂଲାଦେଶ ସରକାର ଏବେ ଏହି ଟ୍ରେଜେରୀ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଟ୍ରେଜେରୀରେ ଦରିଆ-ଏ-ନୂର ସହିତ ବହୁ ଅମୂଲ୍ୟ ରତ୍ନ ରହିଛି। ଦରିଆ-ଏ-ନୂର ଭାରତର ପ୍ରସିଦ୍ଧ ଗୋଲକୋଣ୍ଡା ଖଣିରୁ ବାହାରିଥିବା କୁହାଯାଉଛି। ଏହା ଏବେ ବାଂଲାଦେଶରେ ପାଖରେ ରହିଛି।
ଏହାର ପୃଷ୍ଠ ଆୟତାକାର। ଦିନେ ଏହି ହୀରା ମୋଗଲ, ମରାଠା ଏବଂ ଶିଖ ଶାସକଙ୍କ ଗର୍ବ ଓ ଗୌରବର ପ୍ରତୀକ ଥିଲା। ପରେ ହାଇଦ୍ରାବାଦର ରାଜ ପରିବାର ଏହାକୁ ଲକ୍ଷେ ୩୦ ହଜାର ଟଙ୍କାରେ କିଣି ନେଇଥିଲେ। ପରେ ଏହି ହୀରା ୧୭୮୦ ରୁ ୧୮୩୯ ଯାଏଁ ପଞ୍ଜାବର ମାହାରାଜା ରଣଜିତ ସିଂହଙ୍କ ପାଖରେ ଥିଲା। ୧୮୪୯ରେ ଇଂରେଜମାନେ ପଞ୍ଜାବ ଉପରେ କବ୍ଜା କରି ରଣଜିତ ସିଂହଙ୍କ ଖଜାନାରୁ ଏହାକୁ ନେଇ ଯାଇଥିଲେ। ୧୮୫୦ରେ ଦରିଆ-ଏ-ନୂରକୁ ମହାରାଣୀ ଭିକ୍ଟୋରିଆଙ୍କୁ ଭେଟି ଦେଇଥିଲେ। କିନ୍ତୁ, କୋହିନୂର ଭଳି ଦରିଆ-ଏ-ନୂର ରାଣୀଙ୍କୁ ପ୍ରଭାବିତ କରିପାରି ନଥିଲା। ଢାକାର ପ୍ରଥମ ନବାବ ଖ୍ୱାଜା ଅଲିମୁଲ୍ଲା ୧୮୬୨ ମସିହାରେ ଏକ ନିଲାମରେ ଏହି ଦରିଆ-ଏ-ନୂରକୁ କିଣିଥିଲେ। ୧୯୦୮ରେ, ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ତାଙ୍କ ବଂଶଧର ନୱାବ ସଲିମୁଲ୍ଲା ଏହି ହୀରା ସମେତ ଅନ୍ୟାନ୍ୟ ଧନସମ୍ପତ୍ତି ବନ୍ଧକ ରଖି ବ୍ରିଟିଶ ସରକାରଙ୍କଠାରୁ ୧୪ ଲକ୍ଷ ଟାକା ଋଣ ନେଇଥିଲେ। ଦରିଆ-ଏ-ନୂର ସହିତ ୧୦୯ ମୂଲ୍ୟବାନ୍ ବସ୍ତୁ ବନ୍ଧକ ରଖିଥିଲେ। ଋଣ ସୁଝି ନପାରିବାରୁ ଏହି ହୀରାକୁ ଇମ୍ପେରିଆଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ପାକିସ୍ତାନ ଷ୍ଟେଟ୍ ବ୍ୟାଙ୍କ ଏବଂ ଶେଷରେ ବାଂଲାଦେଶର ସରକାରୀ ସୋନାଲି ବ୍ୟାଙ୍କକୁ ସ୍ଥାନାନ୍ତର କରାଯାଇଥିଲା।
ବିଜନେସ୍ ଷ୍ଟାଣ୍ଡାର୍ଡ ଅନୁଯାୟୀ, ଏହି ଟ୍ରେଜେରୀକୁ ଶେଷ ଥର ପାଇଁ ୧୯୮୫ରେ ଖୋଲି ଗଣତି ମଣତି କରାଯାଇଥିଲା। ୨୦୧୭ରେ ଦରିଆ-ଏ-ନୂର ଗାଏବ ହୋଇଯାଇଥିବା ଅଚାନକ ଖବର ଆସିଲା। ସୋନାଲି ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଶୌକତ ଅଲି ଖାନ କହିଛନ୍ତି- ସେତେବେଳେ ଭଣ୍ଡାରକୁ ସିଲ୍ କରାଯାଇଥିଲା। ରତ୍ନ ଯାଞ୍ଚ କରିବା ପାଇଁ ଏକ ଟିମ୍ ଅନେକ ବର୍ଷ ପୂର୍ବେ ଆସିଥିଲେ କିନ୍ତୁ ସେମାନେ ଏହାକୁ କେବେ ଖୋଲି ନଥିଲେ। ଏହି ଅମୂଲ୍ୟ ହୀରାକୁ କେହି କେବି ଦେଖି ନାହାଁନ୍ତି। ଆଜିର ଯୁଗରେ ଦରିଆ-ଏ-ନୂରର ଆନୁମାନିକ ମୂଲ୍ୟ ପ୍ରାୟ ୧୩ ନିୟୁତ ଡଲାର ଅର୍ଥାତ ୧୧୪.୫ କୋଟି ଟଙ୍କା ହେବ ବୋଲି କୁହାଯାଉଛି।