ନୂଆଦିଲ୍ଲୀ, ୭।୧: ପୃଥିବୀରେ ଅନେକ ରହସ୍ୟମୟୀ ସ୍ଥାନ ରହିଛି । ସେହି ସ୍ଥାନଗୁଡ଼ିକ ନିଜର ବିଶେଷତା ପାଇଁ ସାରା ବିଶ୍ୱ ପ୍ରସିଦ୍ଧ । ସେହିଭଳି ଏକ ରହସ୍ୟମୟୀ ସ୍ଥାନ ଭିତରୁ ଗୋଟିଏ ରୁଷ୍‌ର କାମଚଟକା ଉପଦ୍ୱୀପ । ଏହା ବରଫରେ ଆବୃତ୍ତ ଏକ ଆଗ୍ନେୟ ଉପତ୍ୟକା । ଏଠାକାର ଅଧିକାଂଶ ଭାଗ ଆଗ୍ନେୟଗିରି ଖୁବ୍ ସକ୍ରିୟ । କାମଚଟକା ଉପଦ୍ୱୀପର ଜନସଂଖ୍ୟା ଅତି ବେଶିରେ ସାଢ଼େ ତିନି ଲକ୍ଷ । ବରଫରେ ଆଚ୍ଛାଦିତ ଆଗ୍ନେୟଗିରିର ଏହି ଉପତ୍ୟକାକୁ ୟୁନେସ୍କୋ ୱାର୍ଲ୍ଡ ହେରିଟେଜ୍‌ ସାଇଟ୍‌ର ମାନ୍ୟତା ମିଳିଛି । ଏଠାରେ କିଛି ଏଭଳି ସ୍ଥାନ ମଧ୍ୟ ରହିଛି ଯେଉଁଠାକୁ ଯିବାକୁ ହେଲେ ଅନୁମତିପତ୍ର ନେବାକୁ ହେବ । ସବୁଠୁ ବଡ଼ କଥା ହେଉଛି ଉପଦ୍ୱୀପର କିଛି ଏଭଳି ନିର୍ଦ୍ଦିଷ୍ଟ ଉପତ୍ୟକା ରହିଛି, ଯେଉଁଠାକୁ ଥରେ କୌଣସି ଜୀବଜନ୍ତୁ ବା ମଣିଷ ଗଲେ, ଆଉ ଜୀବିତ ଫେରିବାର ସମ୍ଭାବନା ଖୁବ୍ କମ୍ । ତେଣୁ ଏହି ଉପତ୍ୟକାଟିର ନାଁ ‘ଭ୍ୟାଲି ଅଫ୍‌ ଡେଥ୍‌’  ବା ‘ମୃତ୍ୟୁ ଉପତ୍ୟକା’ ବୋଲି କୁହାଯାଏ । 

ଖରାଦିନେ ଯେତେବେଳେ ବରଫ ତରଳେ, ସେହି ସମୟରେ ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ଖାଦ୍ୟ ଅନ୍ୱେଷଣରେ ଏହି ଉପତ୍ୟକାରେ ପ୍ରବେଶ କରନ୍ତି । ଏଥିମଧ୍ୟରୁ କିଛି ଜୀବଜନ୍ତୁଙ୍କର ସେହି ଉପକ୍ୟତାକାରେ ହିଁ ମୃତ୍ୟୁ ହୁଏ । ଭୀଷଣ ଥଣ୍ଡାରେ ମୃତ ପ୍ରାଣୀଗୁଡ଼ିକର ନିର୍ଜୀବ ଶରୀର ସେମିତି ପଡ଼ିରହିଥାଏ । ଏପରିକି ମୃତ୍ୟୁ ପରେ ଜୀବଜନ୍ତୁଙ୍କ ମୃତ ଶରୀରରେ କୌଣସି ଆଘାତର ଚିହ୍ନବର୍ଣ୍ଣ ମିଳିନଥାଏ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ସେମାନଙ୍କର ମୃତ୍ୟୁ ହୁଏ କିଭଳି ? ୧୯୭୫ରେ କାମଚଟକା ଉପଦ୍ୱୀପର ସେହି ଉପତ୍ୟକାର ଅସ୍ତିତ୍ୱ ଆବିଷ୍କାର କରିଥିଲେ ରୁଷ୍‌ର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭଲ୍‌କାନୋଲୋଜି ଆଣ୍ଡ ସିସ୍‌ମୋଲୋଜିର ଆଗ୍ନେୟଗିରି ବିଶେଷଜ୍ଞ ଭ୍ଲାଦିମିର ଲିୟୋନୋଭ । ଜୀବଜନ୍ତୁଙ୍କ ରହସ୍ୟ ମୃତ୍ୟୁର କାରଣ ଆଗ୍ନେୟଗିରି ବୋଲି ସେ ଦର୍ଶାଇଥିଲେ । ତେବେ ବୈଜ୍ଞାନିକଙ୍କ ନାନା ପ୍ରକାର ଗବେଷଣା ପରେ ବି ନିଷ୍କର୍ସ କ’ଣ ବାହାରିଲା ତାହା ରୁଷ୍‌ ପ୍ରଶାସନ ସାର୍ବଜନୀନ କଲା ନାହିଁ । ତେବେ ଉପତ୍ୟକାରେ ଥିବା କିଛି ସ୍ଥାନକୁ ଯିବାକୁ ସର୍ବସାଧାରଣଙ୍କ ପାଇଁ ନିଷିଦ୍ଧ କରାଯାଇଛି । 

ବିଶେଷଜ୍ଞଙ୍କ କହିବାନୁସାରେ, ଏହି ଉପତ୍ୟକାର କିଛି ଅଂଶରେ ପାଦ ରଖିବା ମାତ୍ରେ ମୁଣ୍ଡ ଝିମଝିମ୍‌ ଲାଗେ । କିନ୍ତୁ, ବର୍ତ୍ତମାନ ସୁଦ୍ଧା ସେହି ଉପତ୍ୟକାରେ ଜୀବଜନ୍ତୁଙ୍କ ବ୍ୟତୀତ କୌଣସି ମଣିଷର ମୃତ୍ୟୁ ହୋଇନାହିଁ । ବୈଜ୍ଞାନିକମାନଙ୍କର ଧାରଣା ଯେ ସଲଫର୍‌ ଡାଇ ଅକ୍ସାଇଡ୍‌, ହାଇଡ୍ରୋଜେନ୍‌ ପେରଅକ୍ସାଇଡ୍‌ ଭଳି ଗ୍ୟାସ୍‌ କାରଣରୁ ଜୀବଜନ୍ତୁମାନେ ସେଠାରେ ମରିଯାଉଛନ୍ତି । ଯେଉଁ ପରିମାଣର ଗ୍ୟାସ୍‌ ସେଠାରେ ମହଜୁଦ୍ ରହିଛି, ତା’ର ମାତ୍ରା ବୃଦ୍ଧି ପାଇଲେ ମଣିଷର ମୃତ୍ୟୁ ହେବା ଅସମ୍ଭବ ନୁହେଁ ବୋଲି ବିଶେଷଜ୍ଞ କହିଛନ୍ତି ।