ବାରିପଦା ୦୯/୦୫ (ସଞ୍ଜୟ କୁମାର ଚୌଧୁରୀ ): ଉତ୍କଳୀୟ ସଂସ୍କୃତି ଓ ପରମ୍ପରାରେ ଭରି ରହିଛି ଅନେକ କାହାଣୀ, ଲୋକକଥା ଓ କିମ୍ବଦନ୍ତୀ । ଯେଉଁଠି ଇତିହାସ ନିରବ ରହିଛି ସେଇଠି କାଳେ କାଳେ ଲୋକ ମୁଖରେ ବଞ୍ଚି ରହିଛି ସ୍ମୃତିର ଫରୁଆ ଭିତରେ ସମ୍ଭ୍ରାନ୍ତ ସଂସ୍କୃତିର ଇତି କଥା । ଏହିଭଳି ଏକ ମହିମାମଣ୍ଡିତ ଅଥଚ ବିସ୍ମୃତ ସଂସ୍କୃତିର ଇତିକଥା ବଖାଣୁଛି ‘ତାଳନ୍ଦ’ ଗାଁରେ ବିଛାଡି ହୋଇ ପଡିଥିବା କାରୁକାର୍ଯ୍ୟପୂର୍ଣ୍ଣ ମାଙ୍କଡାପଥର ନିର୍ବାକ ଶିଳା । ତେବେ ମାଙ୍କଡା ପଥର ଦେହରେ ଛୁଞ୍ଚି ମୁନରେ ସୁନ୍ଦର କଳାଚାତୁରୀ ପୂର୍ଣ୍ଣ କାରୁକାର୍ଯ୍ୟରେ କିଏ ଲେଖୁଥିଲା କବିତା ? ତାଳନ୍ଦରେ ଅଧାଗଢ଼ା ରଥର କାହାଣୀ ପଛରେ କ’ଣ ରହିଛି ଲୋକକଥା ଓ ରହସ୍ୟ ସେ ସଂପର୍କରେ..

ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ଅନ୍ତର୍ଗତ ଟଙ୍ଗାଶୋଳ ପଞ୍ଚାୟତରେ ରହିଛି ଐତିହାସିକ ‘ତାଳନ୍ଦ’ ଗାଁ ।ସାନକେରକୋରୁ ଚାଉଳିଆଶୋଳ ଦେଇ ଗଲେ ମାତ୍ର ଏକ କିମି ଦୂରରେ ପଡିବ ଏହି ଗାଁ । ବାରିପଦା ଠାରୁ ଏହି ଗାଁର ଦୂରତା ପ୍ରାୟ ୧୨ କିମି । ପଶ୍ମିମରେ ଶିମିଳିପାଳର ଘନସବୁଜିମା ପର୍ଯ୍ୟଟକଙ୍କୁ ହାତ ଠାରି ଡାକୁଥିଲା ବେଳେ ତାଳନ୍ଦରେ ଖୋଲା ଆକାଶ ତଳେ ପଡିଥିବା ଶତାବ୍ଦୀ ଶତାବ୍ଦୀ ତଳର କାରୁକାର୍ଯ୍ୟପୂର୍ଣ୍ଣ ମାଙ୍କଡ଼ାପଥରର ନିର୍ବାକ ଶିଳା ଐତିହାସିକ, ଗବେଷକଙ୍କୁ ଆମନ୍ତ୍ରଣ କରେ । ‘ତାଳନ୍ଦ’ ଗାଁ ପୋଖରୀ ନିକଟରେ ଏକ ଖୋଲା ପଡିଆ । ସେଠାରେ ଏକ ଶାଳ ଗଛ ଓ ବଟ ବୃକ୍ଷ ସହ ଆଉ କେତେକ ଗଛ ମଧ୍ୟ ରହିଛି । ଗଛ ମୂଳରେ ଗୋଟିଏ ସ୍ଥାନରେ ପୂଜା ପାଉଛନ୍ତି ଗ୍ରାମଦେବତୀ ‘ବୁଢୀପାଟ’ ପୁଣି ତା’ପାଖକୁ ଲାଗି ରହିଛନ୍ତି ‘କଣ୍ଠାଳୁ ଦେବୀ’ ଙ୍କ ଆସ୍ଥାନ । ମାଆ ବୁଢୀପାଟଙ୍କ ଆସ୍ଥାନ ଚାରିପଟେ ବେଢା ରହିଥିବା ବେଳେ ଖୋଲାରେ ରହିଛନ୍ତି କଣ୍ଠାଳୁ ଦେବୀ। ସେହି ଗ୍ରାମଦେବତୀ ଥାନ ନିକଟରେ ଏଣେ ତେଣେ ବିଛାଡି ହୋଇ ପଡିଛି ସୁନ୍ଦର କାରୁକାର୍ଯ୍ୟ ଯୁକ୍ତ ମାଙ୍କଡାପଥର ଶିଳାରେ ପ୍ରସ୍ତୁତ ମନ୍ଦିର ଚୂଡାଭଳି ଦେଖା ଯାଉଥିବା ତିନୋଟି କଳାକୃତି ଓ ଆଉ କେତେକ ପ୍ରସ୍ତରଖଣ୍ଡ । ସେଠାରେ କୌଣସି ମନ୍ଦିର ଥିବା ଭଳି ଜଣାପଡୁନଥିବା ବେଳେ ଏଭଳି ପ୍ରତ୍ନତାତ୍ତ୍ୱିକ ଅବଶେଷ ପଡି ରହିବା ପଛରେ ରହସ୍ୟ କଣ ଏହା ମନରେ ସ୍ୱତଃ ପ୍ରଶ୍ନବାଚୀ ସୃଷ୍ଟି କରେ ।

କ’ଣ ରହିଛି ଲୋକକଥା...

ଗ୍ରାମବାସୀଙ୍କ ମତରେ ଏଠାରେ କୁଆଡେ ସ୍ୱର୍ଗରୁ ଦେବଶିଳ୍ପୀମାନେ ଆସି ରାତାରାତି ରଥ ଆକୃତିର ମନ୍ଦିର ଗଢୁଥିଲେ । ନିସ୍ତବ୍ଧ ରାତିର ଛାତି ଚିରି ଭୋର ବେଳକୁ ଗାଁରେ ଚୂଡା କୁଟିବା ପାଇଁ ଢିଙ୍କି ପାହାର ପଡିଲା ବେଳକୁ ସବୁକିଛି ଓଲଟପାଲଟ ହୋଇ ଯାଇଥିଲା । ଗ୍ରାମବାସୀ ଉଠି ପଡିବା ଜାଣି କାଳେ ସେମାନଙ୍କୁ ମଣିଷମାନେ ଦେଖିଦେବେ ଏହି ଆଶଙ୍କା କରି ସ୍ୱର୍ଗରୁ ଆସିଥିବା ଦେବଶିଳ୍ପୀ ଗଣ ବିଶ୍ୱକର୍ମାଙ୍କ ନିର୍ଦ୍ଦେଶରେ ନିର୍ମାଣ କାର୍ଯ୍ୟକୁ ସେଇଠି ଛାଡି ସ୍ୱର୍ଗକୁ ବାହୁଡିଯାଇଥିଲେ । ବାସ ସେଇ ଦିନଠୁ ଅଧା ରହିଗଲା ଦେବଶିଳ୍ପୀଙ୍କ ନିର୍ମାଣ କାହାଣୀ । ୟା ଭିତରେ ସମୟର ରଥ ଚକ ଗଡି ଚାଲିଥିବା ବେଳେ ଯୁଗ ଯୁଗ ଧରି ପଡି ରହିଥିବା ନିର୍ବାକ ଶିଳା ଗୁଡିକ ମାଟି ଭିତରେ ପୋତି ହୋଇ ‘ତାଳନ୍ଦ’ର ଇତି କଥାକୁ କେବଳ ଲୋକମୁଖରେ ବଖାଣି ଆସୁଛନ୍ତି । ତାଳନ୍ଦର ଏହି ମାଙ୍କଡାପଥରର କାରୁକାର୍ଯ୍ୟ ସଂପର୍କରେ କୌଣସି ଶିଳାଲେଖ, ତାଳପତ୍ର ପୋଥି ବା ସନନ୍ଦ ନଥିବା ବେଳେ ଇତିହାସ ବି ସଂପୂର୍ଣ୍ଣ ନିରବ । ସେପଟେ କୌଣସି ପୁରାଣକାହାଣୀରେ ମଧ୍ୟ ଏ ସଂପର୍କରେ ଆଖ୍ୟାୟିକା ନ ଥିବା ବେଳେ କେବଳ ଲୋକମୁଖରେ ବିଶ୍ୱାସରେ ବଞ୍ଚି ରହିଛି କିମ୍ବଦନ୍ତୀ ।

ସେପଟେ ଅସମ୍ପୂର୍ଣ୍ଣ ରଥାକୃତିର ମନ୍ଦିର ନିର୍ମାଣ କାହାଣୀ ସତ୍ୟ, ଅର୍ଦ୍ଧସତ୍ୟ, ବିଶ୍ୱାସ ଓ ଅନ୍ଧବିଶ୍ୱାସ ମଧ୍ୟରେ ରହିଯାଇଥିବା ବେଳେ ପ୍ରକୃତ ପ୍ରଶ୍ନର ଉତ୍ତର ଏବେ ବି ଅସମାହିତ ହୋଇ ରହିଛି । ଅଧାଗଢା ରଥାକୃତି ମନ୍ଦିରର କାହାଣୀ ଏଇଠି ଅଧା ରହିଲା । ପ୍ରକୃତ ତଥ୍ୟଯୁକ୍ତ ନିର୍ଯ୍ୟାସ ଲୋକ ଲୋଚନକୁ ଆସିବାକୁ ବାକି ରହିଛି । ତେବେ କାହିଁ କେଉଁକାଳରୁ ଶିମିଳିପାଳର କୋର ଏରିଆର ଘଞ୍ଚଅରଣ୍ୟାନୀ ମଧ୍ୟରେ ବାଥୁଡି ଜନଜାତିଙ୍କ ଆରାଧନାସ୍ଥଳୀ ଅଠର ଦେଉଳର ମାନବ ଦେଉଳ ମାଙ୍କଡାପଥରରେ ନିର୍ମିତ ହୋଇଥିବାରୁ ବାଥୁଡିମାନେ ଯେ, ପଥର ଦେହରେ ସୁନ୍ଦର କଳାକୃତି ଅଙ୍କନ କରିପାରନ୍ତି ଏହା ପ୍ରମାଣିତ । ସୁତରାଂ ‘ତାଳନ୍ଦ’ର ଆଦିମ ଅଧିବାସୀ ବାଥୁଡି ସଂପ୍ରଦାୟ ହୋଇଥିବାରୁ ଏହି ସଂପ୍ରଦାୟ ହୁଏତ ପୂର୍ବକାଳରେ ପଥରରେ ସୁନ୍ଦର କାରୁକାର୍ଯ୍ୟ ପୂର୍ଣ୍ଣ ନିର୍ମାଣକାର୍ଯ୍ୟ କରିଥାଇ ପାରନ୍ତି । ପରେ ‘ତାଳନ୍ଦ’କୁ ନେଇ ଏକ ଲୋକକାହାଣୀର ରୂପ ଦିଆଯାଇ ଥାଇ ପାରେ । ଯାହା ଏକ କାଳଜୟୀ କିମ୍ବଦନ୍ତୀ ପାଲଟିଛି । ତେବେ ମାଟି ତଳେ ପୋତି ହୋଇ ରହିଥିବା ଇତିହାସକୁ ଲୋକଲୋଚନକୁ ଆଣିବାକୁ ଅଧିକ ପ୍ରତ୍ନତାତ୍ତ୍ୱିକ ଗବେଷଣାର ଆବଶ୍ୟକତା ରହିଛି ।

ତାଳନ୍ଦରେ ପୂର୍ବରୁ କେବଳ ବାଥୁଡି ସଂପ୍ରଦାୟର ଲୋକେ ରହୁଥିଲେ । ପରେ ପରେ ମହାନ୍ତ, ବାରିକ ଓ ଆଦିବାସୀ ସଂପ୍ରଦାୟର ଲୋକେ ବସବାସ କରୁଥିବା ବେଳେ ଗ୍ରାମଦେବତୀ ପୀଠରେ ବାର୍ଷିକପୂଜା ଆଷାଢୀ ପୂଜା ଓ ଅନ୍ୟାନ୍ୟ ପର୍ବପର୍ବାଣୀରେ ସଭିଏଁ ଏକାଠି ହୁଅନ୍ତି । ସେ ତାଙ୍କ ବାପା ଜେଜେବାପା ଅମଳରୁ ଦେବଶିଳ୍ପୀଙ୍କ ମନ୍ଦିରତୋଳା କାହାଣୀ ଶୁଣି ଆସୁଥିବା ବେଳେ ଗ୍ରାମଦେବତୀ ପୀଠରେ ପଡି ରହିଥିବା ସୁନ୍ଦରକାରୁକାର୍ଯ୍ୟଯୁକ୍ତ ମାଙ୍କଡା ପଥରଶିଳାକୁ ପିଲାବେଳୁ ଦେଖି ଆସୁଛନ୍ତି ।(ଧୂସା ମହାନ୍ତ, ସ୍ଥାନୀୟ ଅଧିବାସୀ)

ଡଃ ଶ୍ୟାମ ସୁନ୍ଦର ଦାସ, ଐତିହାସିକହୁଏତ ସେଠାରେ ପୂର୍ବରୁ ତିନୋଟି ଛୋଟ ଛୋଟ ଦେବୀମନ୍ଦିର ଥିବ । ଯାହା କାଳକ୍ରମେ କୌଣସି କାରଣରୁ ପୋତି ହୋଇଯାଇଥାଇ ପାରେ। ଏବେ କେବଳ ମନ୍ଦିର ଚୂଡା ଆକୃତିର ତିନୋଟି ଶିଳାଖଣ୍ଡ ପଡିଛି । ଯଦିଓ ବର୍ତ୍ତମାନ ସୁଦ୍ଧା ଏହି ନିର୍ମାଣର କାଳ ନିର୍ଣ୍ଣୟ ହୋଇ ନାହିଁ ତଥାପି ଏହା ଦ୍ୱାଦଶ ଶତାବ୍ଦୀର ହୋଇଥାଇ ପାରେ ବୋଲି ସେ ମତ ଦିଅନ୍ତି । (ଡଃ ଶ୍ୟାମ ସୁନ୍ଦର ଦାସ, ଐତିହାସିକ)

ସେହି ଅଞ୍ଚଳରେ ପ୍ରଚୁର ପରିମାଣରେ ମାଙ୍କଡା ପଥର ମିଳୁଥିବାରୁ ହୁଏତ ସେହି ସ୍ଥାନରେ ଆଗରୁ ଅଭିଜ୍ଞ ଶିଳ୍ପୀକୂଳ ନିହାଣମୁନରେ ନିଖୁଣଭାବରେ ପଥର ଦେହରେ ଚିତ୍ରକଳା ଆଙ୍କିବାରେ ସକ୍ଷମ ହେଉଥିଲେ । ସେହି ଠାରେ ନିର୍ମାଣ ପରେ ହୁଏତ ବିଭିନ୍ନ ସ୍ଥାନକୁ ମନ୍ଦିର ପାଇଁ ଏହି କାରୁକାର୍ଯ୍ୟପୂର୍ଣ୍ଣ ସ୍ଥାପତ୍ୟ କଳା ନିଆଯାଉ ଥାଇପାରେ । (ଡଃ ତରୁଣ ଓଝା, ଗବେଷକ ତଥା ଶିକ୍ଷାବିତ)