ସୁନ୍ଦରଗଡ଼, ୬।୩: ସୁନ୍ଦରଗଡ଼ ଜିଲ୍ଲା କାରାଗାରର ଜଣେ ବିଚାରାଧୀନ ହତ୍ୟା ଅଭିଯୁକ୍ତଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ମୃତକ ହେମଗିର ଥାନା ଅନ୍ତର୍ଗତ ବରପାଲି ଗ୍ରାମର ୨୭ ବର୍ଷୀୟ ସରୋଜ ରାଉତ ଓରଫ ବନ । ଗତ ମାସ ୧୧ ତାରିଖରେ ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ ସୁନ୍ଦରଗଡ଼ ଜିଏମସିଏଚରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ଗୁରୁବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି । ହେମଗିର ଥାନା ଅଞ୍ଚଳରେ ଘଟି ଯାଇଥିବା ୪୦ ବର୍ଷୀୟ ସତ୍ୟରାମ କୁଆ ହତ୍ୟା ମାମଲାରେ ପୁଲିସ ଗତ ମାସ ୯ ତାରିଖ ଅପରାହ୍ନରେ ସରୋଜଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ହେମଗିର ଜେଏଫସି କୋର୍ଟକୁ ଚାଲାଣ କରିଥିଲା । ମାତ୍ର ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ସୁନ୍ଦରଗଡ଼ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଥିଲା ।

ଏହା ବି ପଢ଼ନ୍ତୁ... ଜଳିଗଲା ପରିବା ଦୋକାନ; ସର୍ବସ୍ୱ ହରାଇଲେ ବ୍ୟବସାୟୀ, ସହାୟତା ପାଇଁ ଗୁହାରୀ

ସରୋଜ ଅସୁସ୍ଥ ଥିବାରୁ ଜେଲ୍ କର୍ତ୍ତୃପକ୍ଷ ଦିନକ ପରେ ତାଙ୍କୁ ସୁନ୍ଦରଗଡ଼ ଜିଏମସିଏଚରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଜିଲ୍ଲା କାରାଗାର ଅଧୀକ୍ଷକ ଜୀବନସିଂ ମୁଣ୍ଡାଙ୍କ ସୂଚନା କ୍ରମେ ଏନେଇ ଟାଉନ ଥାନା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ବ୍ୟବସ୍ଥା କରୁଛି । ସୂଚନାଯୋଗ୍ୟ, ସତ୍ୟରାମ ହତ୍ୟା ମାମଲାରେ ଜିଲ୍ଲା କାରାଗରରେ ଥିବା ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ଲେଫ୍ରିପଡ଼ା ଥାନା କୁତୁର୍ମା ଗ୍ରାମର ୨୦ ବର୍ଷୀୟ ବିବେକ ଲୁହୁରା, ହେମଗିର ଥାନା ବରପାଲି ଗ୍ରାମର ୨୫ ବର୍ଷୀୟ ସୁନୀଲ କାଲୋ ଓ ଟିକିଲିପଡ଼ା ଗ୍ରାମର ୨୦ ବର୍ଷୀୟ ଝସକେତନ ଲୁହୁରା ରହିଛନ୍ତି ।