ସୋରଡ଼ା, ୨୮/୦୯: ଗଞ୍ଜାମ ଜିଲ୍ଲା ଖାରୀଗୁଡା ପୁଞ୍ଜ କାଳୀ ମନ୍ଦିରରେ ମାଙ୍କ ନବରାତ୍ରୀ ପୂଜା ଆଧ୍ୟାତ୍ମିକ ବାତାବରଣରେ ଚାଲିଛି I ଏହି ଞ୍ଚଳର ଆରାଧ୍ୟା ଦେବୀଙ୍କ ଏହି ପୂଜା ପାଇଁ ନବରାତ୍ରୀ ଆରମ୍ଭ ଦିନ ଠାରୁ ସମସ୍ତ ପ୍ରକାର ପୂଜା ବିଧି ନିୟମ ଅନୁଯାୟୀ ଚାଲୁଅଛି I ପଣ୍ଡିତ ତଥା ପୁରୋହିତ ରାଧା କୃଷ୍ଣ ଦାସ ଶର୍ମା ହୋମ, ଯଜ୍ଞ, ଆଳତି ତଥା କର୍ମ ବିଧି ସମ୍ପାଦନ କରୁଛନ୍ତି I ସନ୍ଧ୍ୟାରୁ ମନ୍ଦିର ଭିଡ଼ ରହୁଛି I ନବରାତ୍ରି ପୂଜାରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି I ସ୍ଥାନୀୟ ବଡଦାଣ୍ଡରେ ପୁରୋହିତ କାଳି ଚରଣ ଶତପଥିଙ୍କ ଗୃହରେ ରବିବାର ଠାରୁ ପୂଜା ଆରମ୍ଭ ହୋଇଛି

kali puja​​​​​​​

ବହୁ ବର୍ଷ ହେଲା ଆୟୋଜନ ହୋଇ ଆସୁଥିବା ଏହି ପୂଜାରେ ରାଜ୍ୟର ବହୁ ଅଞ୍ଚଳରୁ ମାନସିକ ଭକ୍ତ ଆସି ଏଠାରେ ଯୋଗ ଦିଅନ୍ତି । ମୁଖ୍ୟତଃ ପୁରୋହିତ କାଳି ଚରଣ ଶତପଥିଙ୍କ ଘର ବାରଣ୍ଡାରେ ଆୟୋଜିତ ପୂଜା ମଣ୍ଡପଟି ଅତ୍ୟନ୍ତ ଆକର୍ଷଣୀୟ ଦେଖାଯାଏ । କଟକ ତାରକଶୀ ଶୈଳୀରେ ନିର୍ମିତ ମାଙ୍କ ମଣ୍ଡପକୁ ଦେଖିଲେ ଯେ କେହି ଆନନ୍ଦର ସହ କିଛି ସମୟ ରହିଯାଏ । ଆଇନଜୀବୀ ଦୂର୍ଗା ଚରଣ ଶତପଥି , ଉମାଚରଣ ଶତପଥି ସମେତ ଭବାନୀ ଚରଣ ଶତପଥି ସମସ୍ତ ପୂଜା କାର୍ଯ୍ୟ ସମ୍ପାଦନ କରନ୍ତି । ଢୋଲ ,ମହୁରି ,ଘଣ୍ଟ କୀର୍ତ୍ତନରେ ବଡଦାଣ୍ଡ ପ୍ରକମ୍ପିତ ହେଉଛି । ପ୍ରତିଦିନ ଏଠାରେ ଶହ ଶହ ଭକ୍ତ ପ୍ରସାଦ ସେବନ କରନ୍ତି । ହିନ୍ଦୁ ତଥା ସନାତନ ପରମ୍ପରା ଅନୁଯାୟୀ ଏହି ପୂଜାର ମହତ୍ୱ ରହିଛି ବୋଲି ରାଧା କୃଷ୍ଣ ଦାସ ଶର୍ମା କହିଛନ୍ତି I ସେହିପରି ଅଞ୍ଚଳର ସାନ କାଳୀ ମନ୍ଦିର, ବଡ କାଳୀ ମନ୍ଦିରରେ ପୂଜା ଚାଲିଛି I