କୋକସରା, ୧୩/୨ : ଆଜି ବି ଗାଁକୁ ପକ୍କା ରାସ୍ତା ଖଣ୍ଡେ ନାହିଁ । ରାସ୍ତା ତିଆରି ହେଲା ତଥାପି ସୁଧୁରିଲାନି ଅବସ୍ଥା । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡୋଙ୍ଗା ପଞ୍ଚାୟତର ଉପାନ୍ତ ଓ ଜଙ୍ଗଲ ଘେରା ଅଞ୍ଚଳରେ ରହିଛି ଝୁଲେନବର ରାଜସ୍ୱ ଗ୍ରାମ । ଏହି ଗାଁରେ ୧୦୦ରୁ ଅଧିକ ଆଦିବାସୀ ଅଧ୍ୟୁଷିତ ପରିବାର ବାସ କରୁଛନ୍ତି । ଦଶନ୍ଧି ଦଶନ୍ଧି ଧରି ବସତି ସ୍ଥାପନ କରି ଏମାନେ ରହି ଆସୁଥିବାବେଳେ ଗାଁର ଜନସଂଖ୍ୟା ୪୧୦ ଓ ମତଦାତା ସଂଖ୍ୟା ୨୪୦ ଜଣ ରହିଛନ୍ତି । ତେବେ ଦୀର୍ଘ ୧୦ ବର୍ଷ ତଳେ ଏହି ଗାଁକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପିଚୁ ରାସ୍ତା କାର୍ଯ୍ୟ ହୋଇଥିଲା । ଗ୍ରାମବାସୀ ଆଶା ବାନ୍ଧିଥିଲେ ଯେ, ଏଣିକି ଆଉ ଗାଁକୁ ବିକାଶର ବାଟ ଓଗାଳିବ ନାହିଁ, ତେବେ ନିନ୍ମମାନର କାର୍ଯ୍ୟ ଯୋଗୁଁ କିଛି ବର୍ଷ ପରେ ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇ ପଡିଛି । ଫଳରେ ସେହି ପୁରୁଣା ଦିନର ଦୁର୍ଦ୍ଦଶା ପୁଣି ଭୋଗୁଛନ୍ତି ଗ୍ରାମବାସୀ। ପୁଣିଥରେ ଗାଁର ଉନ୍ନତିକୁ ବାଟ ଓଗାଳିଛି ରାସ୍ତା ।

ଜଙ୍ଗଲ ଘେରା ଗାଁରେ ରହିଥିବା ଏଠିକାର ଆଦିବାସୀମାନେ ଜଙ୍ଗଲ ଜାତ ଦ୍ରବ୍ୟ ଓ ଚାଷ ଉପରେ ନିର୍ଭର କରି ଜୀବନ ଜୀବିକା ନିର୍ବାହ କରନ୍ତି । କିଛି ପରିବାର ବାଉଁଶ କାରିଗର ଭାବେ ବାଉଁଶରେ ନିର୍ମିତ ବିଭିନ୍ନ ସାମଗ୍ରୀ ତିଆରି କରି ପେଟପାଟଣା କରନ୍ତି । ଏହା ଏକ ଆଦିବାସୀ ବହୁଳ ଗାଁ ହୋଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ଗାଁର କୌଣସି ଯୁବକ ଯୁବତୀ ସରକାରୀ ଚାକିରୀ ଖଣ୍ଡେ ପାଇ ନଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ଗାଁରେ ଅଙ୍ଗନବାଡି କେନ୍ଦ୍ର ସହ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟ ରହିଛି । ତେବେ ଉଚ୍ଚତର ଶିକ୍ଷା ପାଇଁ ଅଭିଭାବକ ମାନେ ଜଙ୍ଗଲ ରାସ୍ତା କାରଣରୁ ପିଲାଙ୍କୁ ପାଠ ପଢିବା ପାଇଁ ଅନ୍ୟତ୍ର ଛାଡିବାକୁ ନାରାଜ ଥିବା କହିଛନ୍ତି । ଗାଁରୁ ପଞ୍ଚାୟତର ଦୂରତା ୧୫ କିମି, ପିଡ଼ିଏସ ସାମଗ୍ରୀ ହେଉ ଅବା ଅନ୍ୟ ଜରୁରୀକାଳୀନ କାର୍ଯ୍ୟରେ ପଞ୍ଚାୟତକୁ ଯିବାକୁ ହେଲେ ଲୋକେ ବହୁ କଷ୍ଟ ଭୋଗୁଛନ୍ତି । ରାସ୍ତାର ଅବସ୍ଥା ସୁଧୁରୁନଥିବାବେଳେ ୱାର୍ଡ ମେମ୍ବର ଉର୍ମିଳା ମାଝୀ, ଦେବ ଦଳପତି,ବିପିନ ମାଝୀ, ଡିଙ୍ଗର ମାଝୀ, ସାଧୁରାମ ମାଝୀ, କମଳ ଲୋଚନ ପୁଝାରି,ରାମ ମାଝୀଙ୍କ ସମେତ ଗ୍ରାମବାସୀମାନେ ନିବେଦନ କରିଛନ୍ତି କି, ଶୀଘ୍ର ଗାଁକୁ ପକ୍କା ରାସ୍ତା ଖଣ୍ଡେ ପୁଣିଥରେ ନିର୍ମାଣ ହେଉ । ଜିଲ୍ଲା ପ୍ରଶାସନ ଏହି ଦୁର୍ଗମ ଅଞ୍ଚଳରେ ଥିବା ଝୁଲେନବର ଗ୍ରାମ ପ୍ରତି ଯତ୍ନବାନ ହୋଇ ଗମନାଗମନ ପାଇଁ ବିକାଶର ବାଟ ଖୋଲିବାକୁ ଦୃଷ୍ଟି ଦେବାକୁ ଏହି ଅଞ୍ଚଳର ଗ୍ରାମବାସୀମାନେ ଗୁହାରି କରିଛନ୍ତି ।

ଏହାସହ ପଢ଼ନ୍ତୁ : ଆଗକୁ ବଢ଼ିଲେ ସୀମା, ପଛରେ ପଡ଼ିଲେ ପୂର୍ବତନ ସ୍ବାମୀ ଗୁଲାମ