ନୂଆଦିଲ୍ଲୀ: ନାଗପୁର ହିଂସାକୁ ନେଇ ଆସିଲା ବଡ ଖବର। ଏହି ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଫହିମ ସମିମ ଖାନକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ସେ ଏକ ସ୍ଥାନୀୟ ଦଳ ମାଇନୋରିଟିସ ଡେମୋକ୍ରାଟିକ ପାର୍ଟି(ଏମଡିପି)ର ଜଣେ ସଦସ୍ୟ ଥିବା ଜଣାପଡିଛି। ଗତ ମାର୍ଚ୍ଚ ୧୭ ତାରିଖରେ ହୋଇଥିବା ହିଂସାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ବୋଲି ଅନୁସନ୍ଧାନରୁ ଜଣାପଡିଥିବା ନେଇ ପୋଲିସ ସୂଚନା ପ୍ରଦାନ କରିଛି।

ତେବେ ଗଣେଷପେଠ ପୋଲିସ ଥାନାରେ ଫହିମ ନାମରେ ଏକ ମାମଲା ରୁଜୁ ହେବା ପରେପରେ ପୋଲିସ ତାକୁ ଗିରଫ କରିଛି ବୋଲି ଜଣାପଡିଛି। ତେବେ ଏହା ପୂର୍ବରୁ ଜାରି ହୋଇଥିବା ବିଭିନ୍ନ ଭିଡିଓରେ ଫହିମ ଉସୁକେଇଲା ଭଳି ଭାଷଣ ଦେଉଥିବା ଦେଖିବାକୁ ମିଳିଛି। ତେବେ ସେ ଭାଷଣ ଜାରି କରିବା ପରେ ହିଂସା ଉଗ୍ରରୁପ ଧାରଣ କରିଥିଲା ବୋଲି ପୋଲିସକୁ ବିଭିନ୍ନ ସୁତ୍ରରୁ ଖବର ମିଲିଥିବା ଜଣାପଡିଛି। 



ଆପଣଙ୍କୁ ଜଣାଇରଖୁ ଯେ ଏହି ୩୮ ବର୍ଷିୟ ଯୁବକ ଏମଡିପି ଦଳର ସହର ସଭାପତି ଭାବେ କର୍ଯ୍ୟ କରୁଥିଲା ବେଳେ ୟଶୋଧାରା ନଗରରେ ଥିବା ସଞ୍ଜୟବାଗ କଲୋନିରେ ବାସ କରୁଥିବା ଜଣାପଡିଛି। ତେବେ ଫହିମକୁ ମାର୍ଚ୍ଚ ୨୧ ତାରିଖ ଯାଏଁ ପୋଲିସ ନିଜ ହେପାଜତରେ ରଖିବ ବୋଲି ସୂଚନା ମିଳିଛି। ଏନେଇ କେତେକ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ଜାରି ହୋଇଥିବା ଅନେକ ଭିଡିଓରେ ଫହିମ ଉତ୍ତେଜନା ସୃଷ୍ଟିକାରି ଭାଷଣ ପ୍ରଦାନ କରିଥିଲା। ଆଉ ଯାହାପରେ ଉଭୟ ଗୋଷ୍ଠି ମଧ୍ୟରେ ହିଂସା ଅଣାୟତ ହୋଇ ବ୍ୟାପକ ରୁପ ନେଇଥିଲା। 

ସୂଚନା ମୁତାବକ, ଫହିମ ଖାନ ଗତ ୨୦୨୪ ଲୋକସଭା ନିର୍ବାଚନରେ ନାଗପୁର ନିର୍ବାଚନମଣ୍ଡଳୀରୁ ଏମଡିପି ଦଳରୁ ଟିକଟ ପାଇଥିଲେ। ସେ କେନ୍ଦ୍ରମନ୍ତ୍ରୀ ନିତୀନ ଗଡକାରୀଙ୍କ ବିରୁଦ୍ଧରେ ନିର୍ବାଚନ ଲଢୁଥିଲେ। ତେବେ ସେ ୬.୫ ଲକ୍ଷ ଭଳି ଏକ ବିପୁଳ ଭୋଟ ବ୍ୟବଧାନରେ ପରାଜୟ ବରଣ କରିଥିଲେ। ତେବେ ତାଙ୍କର ଏହି ଉତ୍ତେଜନାପୂର୍ଣ୍ଣ ଭାଷଣ ପାଇଁ ତାଙ୍କ ନାଁ ରେ ମାମଲା ରୁଜୁ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଛି। 

ମହାରାଷ୍ଟ୍ରର ଛତ୍ରପତି  ଶମ୍ଭାଜୀନଗର ଜିଲ୍ଲାରେ ଥିବା ମୋଗଲ ଶାସକ ଔରଙ୍ଗଜେବଙ୍କ କବର ହଟାଇବାକୁ ନେଇ ସୋମବାର ନାଗପୁରରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ହିଂସାକାଣ୍ଡ  ଘଟିଥିଲା। ଉଭୟ ଗୋଷ୍ଠୀ ପରସ୍ପର ଉପରକୁ ଢ଼େଲାପଥର ମାଡ଼ ସହ ଅନେକ ଗାଡିକୁ ନିଆଁ  ଲଗାଇ ପୋଡି ଦେଇଛନ୍ତି। ଏ ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହିଂସାକୁ ଆୟତ କରିବା ପାଇଁ ଲୁହବୁହା ଗ୍ୟାସ୍‌  ପ୍ରୟୋଗ କରିବା ସହ ଲାଠିଚାର୍ଚ୍ଚ କରିଥିଲା। ଏଥିରେ ଅନେକ  ଆହତ ହୋଇଥିଲା ବେଳେ ୫୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିଲା। ତେବେ ନାଗପୁର ଅଞ୍ଚଳରେ ହିଂସା ସଂଗଠିତ ହେବା ପରେ ସୋମବାର ରାତିରୁ ପୋଲିସ ଉକ୍ତ ଅଞ୍ଚଳରେ କର୍ଫ୍ୟୁ ଘୋଷଣା କରିଛି। 

ବର୍ତ୍ତମାନ ନାଗପୁରରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ତେବେ ସହରର ଅନେକ ସମ୍ୱେଦନଶୀଳ ଅଞ୍ଚଳରେ ବର୍ତ୍ତମାନ ମଧ୍ୟ କର୍ଫ୍ୟୁ ଲାଗି ରହିଛି। ତେବେ ଉକ୍ତ ଅଞ୍ଚଳର ସୁରକ୍ଷା ପାଇଁ ପ୍ରାୟ ୨ ହଜାରରୁ ଅଧିକ ସଶସ୍ତ୍ର ପୋଲିସଙ୍କୁ ଉକ୍ତ ଅଞ୍ଚଳରେ ମୃତୟନ କାରଯାଇଛି ବୋଲି ଜଣେ ପୋଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।