ମାଲକାନଗିରି ୨୩/୨ ( ଆ.ପ୍ର) ମାଲକାନଗିରି ଜିଲ୍ଲା ସଦର ମହକୁମା ଜେଲ ସାହି ଠାରେ ଥିବା ଶ୍ରୀଶ୍ରୀ ନାକଟେଶ୍ଵରୀ ମାଙ୍କ ଯାତ୍ରା ଓଡିଶା ,ଆନ୍ଦ୍ର, ଛତିଶଗଡ, ତେଲାଙ୍ଗାନା ଚାରି ରାଜ୍ୟର ସହଶ୍ରାଧିକ ଭକ୍ତ ଓ ଶିରୁଆ, ଦିଶାରୀ, ୱାର୍ଡେ, ଗୁଣିଆଙ୍କ ସମାବେଶ ମଧ୍ୟରେ ଆନନ୍ଦ ଉଲ୍ଲାସ ସହ ରବିବାର ରାତ୍ର ଠାରୁ ଆରମ୍ଭ ହୋଇଯାଇଛି । ଦୁଇ ବର୍ଷରେ ଥରେ ହେଉଥିବା ଏହି ପ୍ରସିଦ୍ଧ ଯାତ୍ରା ଚାରି ଦିନ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିବସରେ ପ୍ରାତଃରେ ଗଙ୍ଗାବରଣ କରାଯାଇ ବିଭିନ୍ନ ଦେବାଦେବୀ ପିଠରୁ ଆବାହନ ହୋଇ ଆସିଥିବା ଲାଠି ଗୁଡିକୁ ଏକତ୍ରିତ କରାଯାଇ ସଂନ୍ଧ୍ୟାରେ ମାଉଲିମା ମନ୍ଦିର ନିକଟରୁ ମା ନାକଟେଶ୍ବରୀଙ୍କୁ ସୁସଜିତ ବିମାନରେ ରଖାଯାଇ କୋୟା ସିଙ୍ଗନାଟ, ପାରମ୍ପାରିକ ନୃତ୍ୟ, କାଳିଶୀ ନାଟ, ଢୋଲ ମର୍ଦ୍ଧଳ ଓ ଡ୍ରମପାର୍ଟି ବଜାଇ ଆତସ ବାଜି ଫୁଟାଇ ଠାକୁରଙ୍କ ବିମାନ, ଦେବାଦେବୀଙ୍କ ଲାଠି ସହର ପରିକ୍ରମା କରାଯାଇଥିଲା। ମା ନାକଟେଶ୍ଵରୀ ବିଭିନ୍ନ ସାହି ବସ୍ତିରେ ଭୋଗପାଇ ରାତ୍ରରେ ଜେଲସାହି ଠାରେ ଥିବା ନିଜ ମନ୍ଦିରକୁ ପାଛୋଟି ନିଆଯାଇ ଥିଲା। ଏହି ସୋଭା ଯାତ୍ରାରେ ଓଡିଶା, ଛତିଶଗଡ, ଆନ୍ଧ୍ରପ୍ରଦେଶ, ତେଲାଙ୍ଗାନା ରାଜ୍ୟର ଲକ୍ଷାଧିକ ଭକ୍ତ ଗଣ ଯୋଗଦେଇ ଠାକୁରଙ୍କ ଲାଠି ଧରି ସହର ପରିକ୍ରମା କରିଥିଲେ । ଆଜି ପ୍ରାତଃରୁ ମାଙ୍କ ପୀଠରେ ସକାଳ ଭୋଗ ଲାଗି ହେଲା ପରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଦିଶାରୀ ଓ ଶତାଧିକ ମାନସିକଧାରୀ ମହିଳା ଓ ପୁରୁଷ ମାନେ ମାଙ୍କ ଝୁଣା ଧୂଆଁ ଓ ପାଦୁକା ପାଇ ସାରିବା ପରେ କାଳିସି ନୃତ୍ୟ କରିଥିଲେ । ଏହି ସମୟରେ କେତେଜଣ ନିଜ ଦେହରେ ଲୁହା କଣ୍ଟା ଫୋଡି ଓ ଲୁହା କଣ୍ଟା ଦୋଳିରେ ବସି କାଳିସି ନାଟ କରିଥିଲେ ।

ଏହି ଯାତ୍ରା ଦ୍ଵାରା ଗାଁର ମଙ୍ଗଳ ହେବା ସହ ଜମିରେ ଭଲ ଫସଲ, ବର୍ଷା ହୋଇଥାଏ । ଗ୍ରାମ ଉପରେ ରୋଗ ବାଧକ ଓ ବିପଦ ଆସେ ନାହିଁ । ଭୁତ, ପ୍ରେତ,ଡୁମା ମାନେ ଦୂରେଇ ଯାଇଥାନ୍ତି ଓ ଚିଭିନ୍ନ ଗ୍ରାମର ନୁଆଖିଆ, ପୁଷ ପୁନେଇ ସରାସରି ପର୍ବ ଏଠାରେ କରାଯାଇଥାଏ । ମା ନାଳଟେଶ୍ବରୀ ପିଠରୁ ଦୋଳ ଯାତ୍ରା ଶୁଭାରମ୍ଭ ହୁଏ ବୋଲି ପ୍ରବାଦ ରହିଛି । ପୂଜାସ୍ଥଳକୁ ବିଭିନ୍ନ ଗ୍ରାମରୁ ସମସ୍ତ ଭକ୍ତ ମାନେ ପରିବାର ଧରି ଆସିଥାନ୍ତି । ମାଙ୍କ ପୀଠରେ ଭୋଗ ଲାଗାଇଲେ ଗାଁ ଓ ପରିବାରର ମଙ୍ଗଳ ହୋଇଥାଏ ବୋଲି ଲୋକ ମାନଙ୍କର ବିଶ୍ଵାସ ରହିଛି ।