ବାରଙ୍ଗ, ୧୫/୦୬: ରଜ ପାଇଁ ସୋମବାର (୧୫ ତାରିଖ) ନନ୍ଦନକାନନ ଖୋଲା ରହିବ ଏବଂ ମଙ୍ଗଳବାର (୧୬ ତାରିଖ) ବନ୍ଦ ରହିବ । ସୋମବାର ପର୍ଯ୍ୟଟକଙ୍କ ପାଇଁ ଉଭୟ ପ୍ରାଣୀ ଓ ଉଦ୍ଭିଦ ଉଦ୍ୟାନ ଖୋଲା ରହିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ରବିବାର ପହିଲି ରଜରେ ନନ୍ଦନକାନନରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଗରମ ଗୁଳୁଗୁଳିକୁ ଖାତିର ନକରି ପର୍ଯ୍ୟଟକମାନେ ଏଠାକୁ ଛୁଟି ଆସିଥିଲେ । ବିଶେଷକରି ଓଡ଼ିଆ ପର୍ଯ୍ୟଟକଙ୍କ ଅଧିକ ଭିଡ଼ ଦେଖିବାକୁ ମିଳିଥିଲା । ନନ୍ଦନକାନନରେ ମୋଟ ୨୯ ହଜାର ୩୮୦ ପର୍ଯ୍ୟଟକ ବୁଲିଛନ୍ତି । ସେଥିରେ ପ୍ରାଣୀ ଉଦ୍ୟାନରେ ୨୭ ହଜାର ୧୯୨ ଜଣ ଓ ଉଦ୍ଭିଦ ଉଦ୍ୟାନରେ ୨ ହଜାର ୧୮୮ ପର୍ଯ୍ୟଟକ ବୁଲିଥିଲେ । ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ବିଶେଷ କରି ବହୁ ସଂଖ୍ୟାରେ ଛୋଟ ପିଲା ବୁଲିବାକୁ ଆସିଥିଲେ ।
ସକାଳୁ ସକାଳୁ ଟିକଟ କାଉଣ୍ଟର, ଗାଡ଼ିଷ୍ଟାଣ୍ଡ୍ରେ ଭିଡ଼ ଆରମ୍ଭ ହୋଇଯାଇଥିଲା । ବାଘ, ଭାଲୁ, ସିଂହ, ଜିରାଫ, ପକ୍ଷୀ ଖୁଆଡ଼ ପାଖରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଜମା ହୋଇଥିଲେ । ଶିଶୁ ଉଦ୍ୟାନରେ ପିଲାମାନେ ଦୋଳି ଖେଳିଥିଲେ । ସୁରକ୍ଷା ଦୃଷ୍ଟିରୁ ଅଧିକ ସୁରକ୍ଷା କର୍ମୀ, ଅଧିକ ପିଇବା ପାଣି ବ୍ୟବସ୍ଥା, ବିଶ୍ରାମ ସ୍ଥଳୀ, ଡାକ୍ତରୀ ଦଳ, ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଥିଲା । ଉଦ୍ଭିଦ ଉଦ୍ୟାନରେ ମଧ୍ୟ ପର୍ଯ୍ୟଟକ ବିଭିନ୍ନ ଫୁଲ ବଗିଚା ବୁଲିବା ସହିତ ଦୋଳିର ମଜା ନେଇଥିଲେ । ନନ୍ଦନକାନନ ଥାନା ପକ୍ଷରୁ ନନ୍ଦନକାନନ ମୁଖ୍ୟରାସ୍ତାରେ ଟ୍ରାଫିକ ନିୟନ୍ତ୍ରଣ କରାଯିବା ସହିତ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା ।
ଅଧିକ ପଢ଼ନ୍ତୁ :- Weather Forecast: ୨୦ ଯାଏ ଉତ୍ତର ଓ ଉପକୂଳ ଓଡ଼ିଶାରେ ବିକ୍ଷିପ୍ତ ବର୍ଷା, ପଶ୍ଚିମରେ ତାତି ଜାରି
ସୂଚନାଯୋଗ୍ୟ, ସପ୍ତାହର ପ୍ରତ୍ୟେକ ସୋମବାର ନନ୍ଦନକାନନ ଛୁଟି ରହିଥାଏ । ଯଦି ସୋମବାର ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ, ବଡ଼ଦିନ, ନୂଆବର୍ଷ, ଦଶହରା କିମ୍ବା ରଜ ପଡ଼େ ତେବେ ସେଦିନ ନନ୍ଦନକାନନ ଖୋଲା ରହି ପରଦିନ ଅର୍ଥାତ୍ ମଙ୍ଗଳବାର ବନ୍ଦ ରହିବା ନିୟମ ରହିଛି ।