ବାରଙ୍ଗ,୦୨/୧୧: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ବେଙ୍ଗାଲୁରୁ ପିଲିକୁଲା ପ୍ରାଣୀ ଉଦ୍ୟାନ ମଧ୍ୟରେ ଜନ୍ତୁ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି ।  ଏଥିପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ଅନୁମତି ପ୍ରଦାନ କରିଛନ୍ତି । ସେହି  ଅନୁଯାୟୀ, ଶୁକ୍ରବାର ସକାଳେ ନନ୍ଦନକାନନ ଉଦ୍ଭିଦ ଉଦ୍ୟାନର ଏସିଏଫ୍‌  ସୁଦୀପ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ୯ ଜଣିଆ  ଦଳ ପ୍ରାଣୀ ଉଦ୍ୟାନରୁ ୪ ପ୍ରଜାତିର ୮  ଜୀବଜନ୍ତୁ ନେଇ ବେଙ୍ଗାଲୁରୁ ପିଲିକୁଲା  ପ୍ରାଣୀ ଉଦ୍ୟାନ ଗସ୍ତ କରିଛନ୍ତି । 

ସେଥିରେ ଅଛନ୍ତି ହଳେ ଗୋଲ୍‌ଡେନ ଫିଜାଣ୍ଟ, ହଳେ  ସିଲଭର ଫିଜାଣ୍ଟ, ଗୋଟିଏ ଅଣ୍ଡିରା ଏସିଆନ ସିଂହ, ହଳେ ଘଡ଼ିଆଳ  କୁମ୍ଭୀର, ଗୋଟିଏ ଅଣ୍ଡିରା ଭାରତୀୟ ଧୂସର ଗଧିଆ । ଚଳିତ ମାସ ୧୦  ତାରିଖ ମଧ୍ୟରେ ସେଠାରୁ ୫ ପ୍ରଜାତିର ୧୫ ଜୀବଜନ୍ତୁ ନେଇ ଫେରିବେ ।  ସେଥିରେ ଦୁଇ ହଳ ମଳୟ ଅଜଗର, ଦୁଇ ହଳ ଜଙ୍ଗଲୀ କୁକୁର, ହଳେ  ଶଙ୍ଖଚିଲ, ଗୋଟିଏ ଅଣ୍ଡିରା ଓ ଦୁଇଟି ମାଈ ସାଧାରଣ ଓଧ, ଦୁଇଟି ମାଈ  ବଡ଼ ବଗ । ସୂଚନାଯୋଗ୍ୟ, ପ୍ରାଣୀ ଉଦ୍ୟାନରେ ଏକାକି ରହୁଥିବା ଜୀବଜନ୍ତୁଙ୍କ  ପାଇଁ ସାଥି ଓ ବଂଶ ବୃଦ୍ଧି ପାଇଁ କର୍ତ୍ତୃପକ୍ଷ ଏଭଳି ଅଦଳ ବଦଳ କରିଥାନ୍ତ।