ଭୁବନେଶ୍ବର, ୨୭/୫ : ମୋର କିଛି ହେଲେ ଯାତ୍ରା ତୁଳସୀ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁ ଦାୟୀ ରହିବେ । ଏଭଳି ଖୋଲାଖୋଲି ବୟାନ ଦେଇଛନ୍ତି ଯାତ୍ରା ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ । ମଙ୍ଗଳବାର ଗଣମାଧ୍ୟମରେ ସେ କହିଛନ୍ତି , ମୋ ଜୀବନ ପ୍ରତି ଏବେ ବିପଦ ରହିଛି । ମୋତେ ଭୟ ଲାଗୁଛି । ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁ ଟଙ୍କା ଦେଇ ପୁଲିସକୁ ଚୁପ୍ କରାଉଛନ୍ତି । ଅଭିଯୋଗ କରିବାର ୩ଦିନ ବିତିଗଲାଣି, ପୋଲିସ କରୁଛି କ’ଣ ।
ଯଦି ଆଜି ନାଣ୍ଡୁ ବାବୁଙ୍କ ଉପରେ କିଛି କାର୍ଯ୍ୟାନୁଷ୍ଠାନ ନ ହୁଏ ତେବେ ଆଗକୁ ତୁଳସୀ, ଅଶୋକ ସମ୍ରାଟ ଏବଂ ପୃଥ୍ବୀରାଜ ଗଣନାଟ୍ୟରୁ ଅନେକ ମାମୁନି ସାମ୍ନାକୁ ଆସିବେ । ନାଣ୍ଡୁ ବାବୁ ଜଣେ ରାକ୍ଷସ । ମୋ ପାଖରେ ସବୁ ପ୍ରମାଣ ଅଛି । ଆଗକୁ ଆହୁରି ଦେବି । ସେ ଯେଉଁ କହୁଛନ୍ତି ମୁଁ ଦାମୀ ଦାମୀ ଶାଢୀ ଚୋରି କରିଛି ତାଙ୍କ କ୍ୟାମ୍ପରୁ ତାହା ତାଙ୍କର ଛୋଟ ପ୍ରକୃତି । ମୁଁ ମୋ ନିଜ ଟଙ୍କାରେ ଶାଢୀ ସବୁ କିଣିଛି । ତାଙ୍କ ପାଖରେ କ’ଣ ପ୍ରମାଣ ଅଛି ଦେଖାନ୍ତୁ । ମୁଁ ମାର୍ଚ୍ଚ ୧୦ରେ ଏଗ୍ରିମେଣ୍ଟ କରିଥିଲି । ଏପ୍ରିଲ ୫ରେ ୨୦୨୫/୨୬ପାଇଁ ମୋତେ ଷ୍ଟାରକାଷ୍ଟ ଘୋଷଣା କରିଥିଲେ । ଷ୍ଟାର କାଷ୍ଟରେ ମୋ ନା ଉଲ୍ଲେଖ କରିଥିଲେ ତାହା ପୁଣି ଡିଲେଟ ହୋଇଯାଇଛି । ଭୁବନେଶ୍ୱର ମହିଳା ଥାନାରେ କରିଥିବା ଅଭିଯୋଗ ବାଲିଆପାଳ ଟ୍ରାନ୍ସଫର ହୋଇଛି । ଆଶା ପୁଲିସ ମୋତେ ନ୍ୟାୟ ଦେବ ।
ସେହିଭଳି ତାଙ୍କ ସ୍ବାମୀ ବାପି କହିଛନ୍ତି ଏହି ଘଟଣା ନେଇ ଆମେ କଳାକାର ସଂଘର ଦ୍ବାରସ୍ଥ ହୋଇଛୁ । ସେମାନେ ଆମ କଥା ସବୁ ଶୁଣିଛନ୍ତି । ଆଗାମୀ ଦିନରେ ଏ ନେଇ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।