ନୂଆଦିଲ୍ଲୀ,୦୫/୦୭:ପ୍ରାୟତଃ ବୈଜ୍ଞାନିକମାନେ ଏପରି କିଛି କରନ୍ତି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଆଉ ଏବେ ନାସାର ମହାକାଶଚାରୀ ନିକୋଲ ଆୟର୍ସ ଅନ୍ତରୀକ୍ଷ ଷ୍ଟେସନରୁ ମେକ୍ସିକୋ ଏବଂ ଆମେରିକା ଉପରୁ ଏଭଳି ଏକ ଫଟୋ ଉଠାଇଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହାକୁ 'ସ୍ପ୍ରାଇଟ୍' କୁହାଯାଉଛି। ସ୍ପ୍ରାଇଟ୍ ହେଉଛି ବାଦଲ ଝଡ଼ ମଧ୍ୟରେ ବିଜୁଳିର ଗତିବିଧି ଦ୍ୱାରା ସୃଷ୍ଟି ହୋଇଥିବା ଆଲୋକ। ତେବେ ଆୟର୍ସ ତାଙ୍କ ସୋସିଆଲ ମିଡ଼ିଆ ଏକ୍ସରେ ଏହାର ଫଟୋ ସେୟାର କରି ଏନେଇ ସୂଚନା ଦେଇଛନ୍ତି।
ଏକ୍ସରେ ପୋଷ୍ଟ କରି, ଆୟର୍ସ ଲେଖିଛନ୍ତି ଯେ, ଆଜି ସକାଳେ ଆମେ ମେକ୍ସିକୋ ଏବଂ ଆମେରିକା ଦେଇ ଯିବା ସମୟରେ ମୁଁ ଏହି ସ୍ପ୍ରାଇଟ୍ ଦେଖିଲି। ସ୍ପ୍ରାଇଟ୍ ହେଉଛି ଟିଏଲଇ , ଯାହା ମେଘ ଉପରେ ଘଟେ ଏବଂ ତଳେ ବଜ୍ରପାତରେ ତୀବ୍ର ବୈଦ୍ୟୁତିକ କାର୍ଯ୍ୟକଳାପ ଦ୍ୱାରା ଟ୍ରିଗର ହୁଏ। ମେଘ ଉପରେ ଆମର ଏକ ସୁନ୍ଦର ଦୃଶ୍ୟ ଅଛି, ତେଣୁ ବୈଜ୍ଞାନିକମାନେ ଏହିପରି ଚିତ୍ର ବ୍ୟବହାର କରି ଟିଏଲଇର ଗଠନ, ବୈଶିଷ୍ଟ୍ୟ ଏବଂ ବଜ୍ରପାତ ସହିତ ସମ୍ପର୍କକୁ ଭଲ ଭାବରେ ବୁଝିପାରିବେ। ରିପୋର୍ଟ ମୁତାବକ, ୧୯୮୯ ମସିହା ପର୍ଯ୍ୟନ୍ତ କେହି ବି ବିଶ୍ବାସ କରୁନଥିଲେ କି ସ୍ପ୍ରାଇଟ୍ ଅସଲି ବୋଲି । ପାଇଲଟମାନେ ଅନେକ ଥର ଲାଲ ବଜ୍ରପାତ ବିଷୟରେ ସୂଚନା ଦେଇଥିଲେ, ତା’ପରେ ବୈଜ୍ଞାନିକମାନେ ସେମାନଙ୍କ ଉପରେ ବିଶ୍ୱାସ କରିବା ଆରମ୍ଭ କରିଥିଲେ। ଏହା ବ୍ୟତୀତ ୨୦୨୨ ମସିହାରେ ହିମାଳୟ ଉପରୁ ଲାଲ ସ୍ପ୍ରାଇଟ୍ ଦେଖାଯାଇଥିଲେ, କିନ୍ତୁ ସେ ପର୍ଯ୍ୟନ୍ତ କେହି ଜାଣି ନଥିଲେ ଯେ ଏହା କ’ଣ। ଆପଣଙ୍କୁ କହି ରଖୁଛୁ ଯେ ଲାଲ ଆଲୋକର ଫଟୋଗୁଡ଼ିକ ଦକ୍ଷିଣ ତିବ୍ଦତୀୟ ମାଳଭୂମିର ଏକ ହ୍ରଦ ସ୍ଥଳ ନିକଟରେ ଉଠାଯାଇଥିଲା।
ସେହିପରି 'ଆଡଭାନ୍ସସ୍ ଇନ୍ ଆଟମୋସ୍ଫେରିକ୍ ସାଇନ୍ସେସ୍' ରିପୋର୍ଟ ଅନୁଯାୟୀ, ତିବ୍ଦତର ପୁମୋୟୋଙ୍ଗକୁଓ ହ୍ରଦ ନିକଟରେ ଦୁଇଜଣ ଜ୍ୟୋତିର୍ବିଜ୍ଞାନୀ ହିମାଳୟ ଉପରେ ଲାଲ ସ୍ପ୍ରାଇଟ୍ ଦେଖିଥିଲେ। ଏହାପରେ ସେମାନେ ଏହାର ଫଟୋ ଉଠାଇଥିଲେ। ସ୍ପ୍ରାଇଟ୍ଗୁଡ଼ିକ ଲାଲ କିମ୍ବା ସବୁଜ ରଙ୍ଗର ଉଜ୍ଜ୍ୱଳ ଜେଲିଫିସ୍ ପରି ଦେଖାଯାଏ ଏବଂ ଏହା ଝଡ଼ର ତୀବ୍ର ବିଜୁଳି ଦ୍ୱାରା ସୃଷ୍ଟି ହୁଏ।